ମୁଖ୍ୟମନ୍ତ୍ରୀଙ୍କ କାର୍‌କେଡ୍‌କୁ ଡେଇଁବା ପୂର୍ବରୁ ଯୁବତୀ ଅଟକ

ଭୁବନେଶ୍ବର: ଫରେଷ୍ଟ ପାର୍କ ଟ୍ରାଫିକ୍‌ ନିକଟରେ ମୁଖ୍ୟମନ୍ତ୍ରୀଙ୍କ କାର୍‌କେଡ୍‌କୁ ଡେଇଁ ଆତ୍ମହତ୍ୟା ଉଦ୍ୟମ ପୂର୍ବରୁ କ୍ୟାପିଟାଲ ଥାନା ପୁଲିସ ଆଜି ଜଣେ ଯୁବତୀଙ୍କୁ ଅଟକ ରଖିଥିଲା। ତାଙ୍କ ନାଁ ବନ୍ଦନା ମହାନ୍ତି। ମହିଳା ଥାନାରେ ପଚରାଉଚରା ପରେ ତାଙ୍କୁ ଛାଡ଼ି ଦିଆଯାଇଥିବା ଜଣାପଡ଼ିଛି। ପୁଲିସ ସୂଚନା ଅନୁଯାୟୀ, ବନ୍ଦନା ୨୦୧୭ରେ ଏକ ଓପେଲ୍‌ଫେଡ୍‌ ବୁଥ୍‌ ପାଇଥିଲେ। ଆଇଗିଣିଆ ଏମ୍‌ସ ରୋଡ୍‌ ନିକଟରେ ଏକ ସରାକରୀ ଜାଗା ଚିହ୍ନଟ ପରେ ସେଠାରେ ବୁଥ୍‌ ତିଆରି ପାଇଁ ତାଙ୍କୁ ଅନୁମତି ଦିଆଯାଇଥିଲା। ବନ୍ଦନା ଯେଉଁ ସ୍ଥାନରେ ବୁଥ୍‌ କରିଥିଲେ, ଉକ୍ତ ଜାଗାକୁ ଲାଗି ଏକ ଘରୋଇ ଜମି ଥିଲା। କୌଣସି କାରଣକୁ ନେଇ ଉକ୍ତ ଜାଗା ମାଲିକ ପ୍ରଶାନ୍ତ ଆଚାର୍ଯ୍ୟ ସେଠାରେ ବୁଥ୍‌ ତିଆରିକୁ ବିରୋଧ କରିଥିଲେ। ଏନେଇ ସେ କୋର୍ଟରେ ଏକ ମାମଲା ମଧ୍ୟ କରିଥିଲେ। ୨୦୧୮ରେ ମାମଲାର ଶୁଣାଣି କରି କୋର୍ଟ ବୁଥ୍‌ ନିର୍ମାଣ ଉପରେ ରହିତାଦେଶ ଜାରି କରିଥିଲେ। କିଛିଦିନ ପରେ ତହସିଲଦାର ଓ ଓପେଲ୍‌ଫେଡ୍‌ କର୍ତୃପକ୍ଷ ସେଠାରେ ବୁଥ୍‌କୁ ନିର୍ମାଣ ଆଦେଶକୁ ବାତିଲ କରିବା ସହିତ ଅନ୍ୟ କେଉଁଠି ଜାଗା ବାଛିବାକୁ ବନ୍ଦନାଙ୍କୁ ଚିଠି କରିଥିଲେ। ମାତ୍ର ନୂଆ ସ୍ଥାନ ଚିହ୍ନଟ ପୂର୍ବରୁ ବିଡିଏ, ବିଏମ୍‌ସି ଓ ଜିଏ ବିଭାଗ ପକ୍ଷରୁ ତାଙ୍କ ଅର୍ଦ୍ଧନିର୍ମିତ ବୁଥକୁ ଭାଙ୍ଗି ଦିଆଯାଇଥିଲା ବୋଲି ବନ୍ଦନା ଅଭିଯୋଗ କରିଛନ୍ତି। ଫଳରେ ମାନସିକ ଆଘାତ ପାଇ ସେ ମୁଖ୍ୟମନ୍ତ୍ରୀଙ୍କ କାର୍‌କେଡ୍‌କୁ ଡେଇଁ ଆତ୍ମହତ୍ୟା କରିବା ପାଇଁ ସ୍ଥିର କରିଥିଲେ। ଆଜି ପୂର୍ବାହ୍ଣ ପ୍ରାୟ ସାଢ଼େ ୧୦ଟାରେ ଫରେଷ୍ଟ ପାର୍କ ଟ୍ରାଫିକ୍‌ ନିକଟରେ କାର୍‌କେଡ୍‌କୁ ଅପକ୍ଷା କରି ବସିଥିଲେ। ତେବେ ସେ କୌଣସି ପଦକ୍ଷେପ ନେବା ପୂର୍ବରୁ ଖବର ପାଇ କ୍ୟାପିଟାଲ ଥାନା ପୁଲିସ ସେଠାରୁ ତାଙ୍କୁ ମହିଳା ଥାନାକୁ ନେଇ ଅଟକ ରଖିଥିଲା। ‌ସବୁ ଜାଣିବା ପରେ ତାଙ୍କୁ ଓପେଲ୍‌ଫେଡ୍‌ କମିସନର୍‌ଙ୍କ ନିକଟକୁ ନେଇ ଆଲୋଚନା କରାଯାଇଥିଲା। ଅନ୍ୟପକ୍ଷରେ ବନ୍ଦନା ଅଭିଯୋଗରେ ଦର୍ଶାଇଛନ୍ତି ଯେ ୨୦୧୭ରୁ ପ୍ରଶାନ୍ତ ଆଚାର୍ଯ୍ୟ ଓପେଲ୍‌ଫେଡ୍‌ ବୁଥକୁ ବିରୋଧ କରିଆସୁଥିଲେ। ମିସ୍ତ୍ରିଙ୍କୁ ମାରପିଟ୍‌ କରିବା ସହ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଉଥିଲେ। ତେବେ ନଭେମ୍ବର ୨୯ ତାରିଖରେ ପ୍ରଶାନ୍ତ ଏବଂ ଜଣେ ପାଖ ଦୋକାନୀ ତାଙ୍କ ଦୋକାନ ଭାଙ୍ଗି ଦେଇଥିଲେ। ଦୋକାନରେ ଥିବା ବିଭିନ୍ନ ଜିନିଷ ଭଙ୍ଗାରୁଜା କରିବା ସହିତ ଖାଦ୍ୟପଦାର୍ଥ ନଷ୍ଟ କରିଦେଇଥିଲେ। ଏଥିରେ ତାଙ୍କର ପାଖାପାଖି ୩ଲକ୍ଷରୁ ଊର୍ଧ୍ବ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି ବୋଲି ସେ କହିଛନ୍ତି। ସେ ଥାନାରେ ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବାରୁ ସେ ଏପରି ରାସ୍ତା ବାଛିଥିଲେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର