ଆରମ୍ଭ ହେଲା ଅଭିଲେଖ ସପ୍ତାହ: ପ୍ରଦର୍ଶିତ ହେଉଛି ୭୫ ଓଡ଼ିଆ ସିନେପତ୍ରିକାର ପ୍ରଚ୍ଛଦ

ଭୁବନେଶ୍ବର: କାନ୍ଥରେ ଟଙ୍ଗା ହୋଇଥିବା କାଠ ଫ୍ରେମ୍‌ ସବୁ ୮୪ ବର୍ଷର ଓଡ଼ିଆ ଚଳଚ୍ଚିତ୍ରର ଇତିହାସ ବଖାଣୁଥିଲେ। କଳା ଧଳାଠାରୁ ଆରମ୍ଭ କରି ରଙ୍ଗିନ୍‌, ପୁରୁଣାଠାରୁ ଆରମ୍ଭ କରି ନୂ୍ଆ ପର୍ଯ୍ୟନ୍ତ, ପ୍ରାୟ ୭୫ଟି ଓଡ଼ିଆ ସିନେମା ପତ୍ରିକାକୁ ସଂଗ୍ରହ କରି ଚଳଚ୍ଚିତ୍ର ଇତିହାସକୁ ସାଇତିବାର ପ୍ରୟାସ କରାଯା‌ଇଥିଲା। ଓଡ଼ିଆ ଚଳଚ୍ଚିତ୍ରର ଗପ ଓ ଚର୍ଚ୍ଚା ସବୁ ପବନରେ ମିଳେଇଯିବା ଓ ଲେଖା ସବୁ ଉଇ ଚରିଯିବା ପୂର୍ବରୁ ଫିଲ୍ମ ଜର୍ଣ୍ଣାଲିଷ୍ଟସ୍‌ ଫୋରମ୍‌ ସେ ସବୁକୁ ସଂଗ୍ରହ କରିନେଇଛି। ଓଡ଼ିଆ ଚଳଚ୍ଚିତ୍ର ଇତିହାସକୁ ସଂରକ୍ଷଣ ଉଦ୍ଦେଶ୍ୟରେ ଓଡ଼ିଆ ସିନେଛାୟା ପାଇଁ ଲେଖାଯାଇଥିବା ଏହି ପତ୍ରିକା ପ୍ରଚ୍ଛଦଗୁଡ଼ିକୁ ନେଇ ଆଜିଠାରୁ ରାଜ୍ୟ ଅଭିଲେଖାଗାରଠାରେ ଆରମ୍ଭ ହୋଇଛି ପ୍ରଦର୍ଶନୀ ‘ଛାୟାଲିପି’।

‘ଅଭିଲେଖ ସପ୍ତାହ’ ପାଳନ ଅବସରରେ ଆୟୋଜିତ ଏହି ପ୍ରଦର୍ଶନୀକୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରମୁଖ ସଚିବ ମନୋରଞ୍ଜନ ପାଣିଗ୍ରାହୀ ଉଦ୍‌ଘାଟନ କରି କହିଲେ, ଏଭଳି ଏକ ନିଆରା ପ୍ରଦର୍ଶନୀ ରାଜ୍ୟରେ ପ୍ରାୟତଃ ପ୍ରଥମ। ଏହି ପଦକ୍ଷେପ ଆଗାମୀ ପିଢ଼ିଙ୍କ ପାଇଁ ସୁସ୍ଥ ବାର୍ତ୍ତା ପ୍ରଦାନ କରିବ ବୋଲି ମୋର ଆଶା। ରାଜ୍ୟ ସଂଗ୍ରହାଳୟରେ ଖୋଲିଥିବା ଚଳଚ୍ଚିତ୍ର ଗ୍ୟାଲେରିରେ ଏହି ପ୍ରଦର୍ଶନୀର ସମସ୍ତ ଫଟୋକୁ ସ୍ଥାନିତ କରିବାକୁ ସେ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମରେ ବିଭାଗୀୟ ନିର୍ଦ୍ଦେଶକ ବିଜୟ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ‘ପଞ୍ଚସଖା ଓ ସାମାଜିକ ପ୍ରତିବାଦ’ ଆଲୋଚନାଚକ୍ରରେ ଉତ୍କଳ ବିଶ୍ବବିଦ୍ୟାଳୟର ଇତିହାସ ବିଭାଗ ମୁଖ୍ୟ ପ୍ରଧ୍ୟାପକ ବସନ୍ତ କୁମାର ମଲ୍ଲିକ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ତତ୍‌କାଳୀନ ଋଢ଼ିବାଦୀ ବ୍ୟବସ୍ଥା ବିରୋଧରେ ଗା‌ଣତାନ୍ତ୍ରିକ ଆନ୍ଦୋଳନର ସୂତ୍ରପାତ କରିବାରେ ପଞ୍ଚସଖାଙ୍କ ଭୂମିକା ସମ୍ପର୍କରେ ଶ୍ରୀ ମଲ୍ଲିକ କହିଥିଲେ। ସିନେଗବେଷକ ସୂର୍ଯ୍ୟ ଦେଓ ପ୍ରଦର୍ଶନୀର ଆଭିମୁଖ୍ୟ ସମ୍ପର୍କରେ କହିଥିଲେ। ଏହି ଅବସରରେ ‘ସିନେ ଗାଇଡ୍‌’ ଓ ‘ବାଣୀଚିତ୍ର’ର ସମ୍ପାଦକ ପରୀକ୍ଷିତ ଜେନା ଓ ‘ମନୋରଞ୍ଜନ’ ପତ୍ରିକାର ସମ୍ପାଦକ ଶ୍ରୀକାନ୍ତ ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କନ୍ଧମାଳ ଜିଲ୍ଲାର ସାରସ୍ବତ ସାଧକ ସ୍ବର୍ଗତ ପଣ୍ଡିତ ରଘୁନାଥ ରଥଙ୍କ ପ୍ରଦତ୍ତ ୨୫୦୦ ଖଣ୍ଡ ବିରଳ ପୁସ୍ତକକୁ ଅଭିଲେଖାଗାର ପକ୍ଷରୁ ଗ୍ରହଣ କରାଯାଇଥିଲା। ସଭାରେ ଅଭିଲେଖାଗାରର ଅଧୀକ୍ଷକ ଶେଖ୍‌ ସୁଲେମାନ୍‌ ଅଲ୍ଲୀ ସ୍ବାଗତ ଭାଷଣ ଦେଇଥିଲେ।

ସମ୍ବନ୍ଧିତ ଖବର