ନାରୀ ସୁରକ୍ଷା ପାଇଁ ଗର୍ଜିଲା ଏବିଭିପି, ପୁଲିସ ସହ ଧସ୍ତାଧସ୍ତି, ଶତାଧିକ ଅଟକ

ଭୁବନେଶ୍ବର: ରାଜ୍ୟରେ ତଥା ଦେଶରେ ବଢୁଥିବା ନାରୀ ନିର୍ଯାତନା‌ ବି‌ରୋଧରେ ଏବିଭିପି ଲୋୟର ପିଏମ୍‌ଜି‌ରେ ଗର୍ଜନ କରିଛି। ଶହ ଶହ କର୍ମୀ ବିକ୍ଷୋଭ ପ୍ରଦର୍ଶନ କରି ବିଧାନସଭା ଆଡକୁ ମାଡ଼ି ଯିବା ବେଳେ ପୁଲିସ ସହ ଧସ୍ତାଧସ୍ତି ହୋଇଥିଲା। ପୁଲିସ ପ୍ରାୟ ୩୦୦ ବିକ୍ଷୋଭକାରୀଙ୍କୁ ଅଟକ ରଖିଛି। ସେମାନଙ୍କ ମଧ୍ୟରେ ୧୦୩ଜଣ ଛାତ୍ରୀ ଅଛନ୍ତି। ପୋଲିସ ସହ ଧସ୍ତାଧସ୍ତି ବେଳେ ୧୩ ଜଣ ଆହତ ହୋଇଛନ୍ତି। ଏହାକୁ ନେଇ ଦୀର୍ଘ ସମୟ ଧରି ଲୋୟର ପିଏମ୍‌ଜିରେ ଉତ୍ତେଜନା ଲାଗି ରହିଥିଲା। ହାଇଦ୍ରାବାଦ ପ୍ରାଣୀ ଚିକିତ୍ସକ ଦୁଷ୍କର୍ମ ଓ ହତ୍ୟା ଘଟଣା ହେଉ କିମ୍ବା ରାଜ୍ୟରେ ରାଇରଙ୍ଗପୁର ମହାବିଦ୍ୟାଳୟର ଅଧ୍ୟାପିକା, ପୁରୀ ଭଳି ଘଟଣା ସରକାରଙ୍କ ବିଫଳତା ବୋଲି ସେମାନେ ଅଭିଯୋଗ କରିଥିଲେ। ନାରୀ ମାନଙ୍କ ବିରୁଦ୍ଧରେ ଏଭଳି ନିର୍ଯାତନା କିମ୍ବା ହିଂସାକୁ ଆଦୌ ସହ୍ୟ ନ କରି ତା’ ବିରୁଦ୍ଧରେ ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସେମାନେ ଦାବି କାରିଥିଲେ। ଦେଶର ସମସ୍ତ ଦୁଷ୍କର୍ମ ଘଟଣାକୁ ଫାଷ୍ଟଟ୍ରାକ୍ କୋର୍ଟ ମାଧ୍ୟମରେ ଶୁଣାଣି କରି ଦୋଷୀଙ୍କୁ ୭ ଦିନ ମଧ୍ୟରେ ଫାଶୀ ଦଣ୍ଡରେ ଦଣ୍ଡିତ କରିବା ପାଇଁ ସରକାର ପଦକ୍ଷେପ ନେବାକୁ ଦାବି କରିଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ସହସମ୍ପାଦକ ସଙ୍ଗୀତା ପଣ୍ଡା, ରାଜ୍ୟ ସହଛାତ୍ରୀ ପ୍ରମୁଖ ନନ୍ଦିତା ନାୟକ, ମିତାଲି ମୋହିନୀ ରଥ, ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟା ସୋନାଲି ବେହେରା, ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ମାନସ କୁମାର ସାହୁ, ସଂଜୟ ମଲ୍ଲିକ, ରାଜ୍ୟ ସହସମ୍ପାଦକ ରତନ ଦିଗଲ, ବୁଦ୍ଧଦେବ ବାଗ, ଲକ୍ଷ୍ମୀନାରାୟଣ ନାୟକ, ଭବାନୀ ଶଙ୍କର ଦାସ, ପ୍ରମୁଖ ବିକ୍ଷୋଭର ନେତୃତ୍ୱ ନେଇଥିଲେ ।

ସମ୍ବନ୍ଧିତ ଖବର