ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା ନ ସୁଧୁରିଲେ ଆନ୍ଦୋଳନ

ଭୁବନେଶ୍ୱର : ବିଜେଡି ସରକାର ଗତ ୧୭ବର୍ଷ ଧରି ଓଡ଼ିଶାରେ ଶାସନ କରି ଆସୁଛି। ମାତ୍ର ରାଜ୍ୟର ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା ସାଙ୍ଗକୁ ସରକାରଙ୍କ ଦୁର୍ନୀତିଗ୍ରସ୍ତ ନୀତି ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଅନ୍ଧକାରକୁ ଠେଲି ଦେଇଛି। ଅଧିକାଂଶ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ୬୦ ପ୍ରତିଶତରୁ ଅଧିକ ଅଧ୍ୟାପକ ପଦବି ଖାଲି ପଡ଼ିଛି। କ୍ୟାମ୍ପସରେ ଗୁଣ୍ଡାରାଜ ଓ ଛାତ୍ରୀମାନଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହାର ବିରୋଧରେ ଆଗାମୀ ଦିନରେ ବିରାଟ ଛାତ୍ର ଆନ୍ଦୋଳନ ରୂପ ନେବ ବୋଲି କହିଛନ୍ତି ଏବିଭିପିର ରାଷ୍ଟ୍ରୀୟ ସାଧାରଣ ସଂପାଦକ ବିନୟ ବିଦ୍ରେ।

ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବିଦ୍ରେ କହିଲେ, ଓଡ଼ିଶାର ୮ଟି ଜିଲ୍ଲାରେ ଗୋଟିଏ ବି ସରକାରୀ ମହାବିଦ୍ୟାଳୟ ନାହିଁ। ମେଧାବୃତ୍ତିକୁ ନେଇ ହୋଇଥିବା ୧୦୦କୋଟିର ଦୁର୍ନୀତିକୁ ବିଦ୍ୟାର୍ଥୀ ପରିଷଦ ସାମ୍ନାକୁ ଆଣିଥିଲା। ନିଯୁକ୍ତି ମେଳା ନାଁରେ ୪୦ହଜାର ଇଞ୍ଜିନିୟରିଂ ଓ ବୃତ୍ତିଗତ ଛାତ୍ରଛାତ୍ରୀଙ୍କଠାରୁ ୧୦୦ ଟଙ୍କା ନେଇ ଗୋଟିଏ ବି ପିଲାଙ୍କୁ ଚାକିରି ଦିଆ ନ ଯିବା ରାଜ୍ୟ ସରକାରଙ୍କ ଅପାରଗତାକୁ ପଦାରେ ପକାଇ ଦେଇଛି। କେବଳ ଏତିକି ନୁହେଁ ରାଜନୈତିକ ହସ୍ତକ୍ଷେକୁ ଜାହିର କରିବା ପାଇଁ ଗଭର୍ଣ୍ଣିଂ ବଡିର ସଭାପତି ଭାବେ ବିଧାୟକ, ମନ୍ତ୍ରୀ ଓ ସରକାରୀ ପଦାଧିକାରୀଙ୍କ ମିଛରେ ଶିକ୍ଷାବିତ ଭାବେ ଥଇଥାନ କରାଯାଇଥିବା ସେ ଅଭିଯୋଗ କରିଛନ୍ତି। ଅଷ୍ଟମ ପାସ୍‌ କରି ନ ଥିବା ବିଧାୟକ ଡିଗ୍ରି କଲେଜରେ ପିଏଚ୍‌ଡି କରିଥିବା ଅଧ୍ୟକ୍ଷଙ୍କୁ ପରିଚାଳନା ଗତ ଶିକ୍ଷା ଦେଉଛନ୍ତି। ସରକାରୀ ପ୍ରାୟୋଜିତ ଗୁଣ୍ଡାରାଜ ଓ ଛାତ୍ରୀଙ୍କ ସୁରକ୍ଷା ନେଇ ବିଦ୍ୟାର୍ଥୀ ପରିଷଦ ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଶ୍ରୀ ବିଦ୍ରେ କହିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ଏବିଭିପିର ରାଜ୍ୟ ସଂପାଦକ ଅଭିଳାଷ ପଣ୍ଡା ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର