ବାଇକ୍‌ ଚାଳକଙ୍କ ଉପରେ ଚଢ଼ିଗଲା ବସ୍

ଭୁବନେଶ୍ୱର: ସଡ଼କ ସୁରକ୍ଷା ସପ୍ତାହ ପାଳନକୁ ୪୮ ଘଣ୍ଟା ନ ବିତୁଣୁ ଭୁବନେଶ୍ବରର ପ୍ରମୁଖ ଛକ ମାଷ୍ଟର କ୍ୟାଣ୍ଟିନ୍‌ରେ ଆଜି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ, କଣ୍ଟିଲୋର ରତ୍ନାକର ଖଟୁଆ। ରତ୍ନାକର ଆଜି ଅପରାହ୍‌ଣ ସାଢ଼େ ୧ଟା ବେଳେ ବାଇକ୍‌ ନେଇ ଯାଉଥିବା ବେଳେ ଏକ ବସ୍‌ ତାଙ୍କ ଉପରେ ମାଡ଼ି ଯାଇଥିଲା। ଘଟଣାସ୍ଥଳରେ ହିଁ ରତ୍ନାକରଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା। ଦୁର୍ଘଟଣାଗ୍ରସ୍ତ ବସ୍‌ ଓ ରତ୍ନାକରଙ୍କ ବାଇକ୍‌କୁ ଖାରବେଳ ନଗର ଥାନା ପୁଲିସ ଜବତ କରିଛି। ଏହାସହ ପୁଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ବସ୍‌ ଚାଳକଙ୍କ ବିରୋଧରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ରତ୍ନାକର ଟଙ୍କପାଣି ରୋଡ୍‌ର ଏକ ଫାର୍ମ ହାଉସ୍‌ରେ କାମ କରୁଥିଲେ। ସେ ସମ୍ପର୍କୀୟଙ୍କଠାରୁ ଟଙ୍କା ଆଣି ବାଣୀବିହାରରୁ ଫେରୁଥିବା ବେଳେ ଏହି ଅଘଟଣ ଘଟିଥିଲା। ଅପରାହ୍‌ଣ ୫ଟା‌ରେ ତାଙ୍କ ପରିବାରବର୍ଗ ମେଡିକାଲରେ ପହଞ୍ଚି ଶବକୁ ଚିହ୍ନଟ କରିଛନ୍ତି। ଅନ୍ୟପକ୍ଷରେ ମାଷ୍ଟରକ୍ୟାଣ୍ଟିନ ଛକରେ ଦୁର୍ଘଟଣା ଘଟି ଜଣେ ଯୁବକଙ୍କ ମୃତ୍ୟୁ ଘଟିବା ପରେ ରାଜଧାନୀରେ ଟ୍ରାଫିକ ପରିଚାଳନାରେ ତ୍ରୁଟି ଥିବା ନେଇ ଅଭିଯୋଗ ହୋଇଛି। ବସ ଚାଳକଙ୍କ ବେପରୁଆ ଚାଳନାରୁ ଏଭଳି ଦୁଘର୍ଟଣା ଘଟିଲା ବୋଲି ସ୍ଥାନୀୟ ଲୋକ କହିଛନ୍ତି।

ସମ୍ବନ୍ଧିତ ଖବର