ସାଙ୍ଗକୁ ବଞ୍ଚାଇବାକୁ ଯାଇ ବୁଡ଼ିଗଲେ

ବାଲିଅନ୍ତା: ବାଲିଅନ୍ତା ବ୍ଲକ୍‌ ଇନ୍ଦ୍ରପାଳ ଗ୍ରାମ ନିକଟ କୁଆଖାଇ ନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡ଼ି ଆଜି ଜଣେ +୨ ବିଜ୍ଞାନ ଛାତ୍ରଙ୍କ ମୃତ୍ୟୁ ହୋଇଯାଇଛି। ମୃତ ଛାତ୍ର ଜଣଙ୍କ ହେଉଛନ୍ତି ପ୍ରଭୁଜୀ ଇଂରାଜୀ ମାଧ୍ୟମ ସ୍କୁଲ୍‌ର +୨ ବିଜ୍ଞାନ ଛାତ୍ର ଅମ୍ଳାନ ତ୍ରିପାଠୀ (୧୯)। ବାପାଙ୍କ ନାଁ ତାରିଣୀ ପ୍ରସାଦ ତ୍ରିପାଠୀ। ଦୁଇ ସାଙ୍ଗ ଉତ୍ସବ ଗୋସ୍ୱାମୀ ଓ ଅଭିଷେକ ଦାଶଙ୍କ ସହ ସେ ଗାଧୋଉଥିବା ବେଳେ ଏହି ଅଘଟଣ ଘଟିଥିଲା। ଏହି ଘଟଣା ଆଜି ସମଗ୍ର ବାଲିଅନ୍ତା ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ତାରିଣୀ ପ୍ରସାଦଙ୍କ ନିଜ ଘର ଖୋର୍ଧା ଟାଉନ୍‌ ଥାନା ନବୀନବାଗ ହୋଇଥିବା ବେଳେ ସେ ବାହାରେ ଚାକିରି କରନ୍ତି। ସେହିପରି ଉତ୍ସବ ଓ ଅଭିଷେକ୍‌ଙ୍କ ଘର ଟଙ୍କପାଣି ରୋଡ୍‌ ଅଞ୍ଚଳରେ ବୋଲି ସୂଚନା ମିଳିଛି। ବାଲିଅନ୍ତା ଥାନା ପୁଲିସ ଶବକୁ ବ୍ୟବଚ୍ଛେଦ କରାଇ ପରିବାରଲୋକଙ୍କୁ ହସ୍ତାନ୍ତର କରିଛି।

ସୂଚନାନୁଯାୟୀ ଆଜି ଅପରାହ୍ଣ ପ୍ରାୟ ଗୋଟାଏରେ ଅମ୍ଳାନ, ଉତ୍ସବ ଓ ଅଭିଷେକ୍‌ ଇନ୍ଦ୍ରପାଳ ଗ୍ରାମସ୍ଥିତ କୁଆଖାଇ ନଦୀ ପଠାରେ ପହଞ୍ଚିଥିଲେ। ପ୍ରଥମେ ଉତ୍ସବ ନଦୀ ଭିତରକୁ ପଶିଥିଲା। ପଛେ ପଛେ ଅମ୍ଳାନ ଓ ଅଭିଷେକ୍‌ ପାଣିକୁ ଡେଇଁଥିଲେ। କିନ୍ତୁ ଗୋଡ଼ ଖସିଯିବାରୁ ଉତ୍ସବ କିଛି ଦୂରକୁ ଭାସି ଯାଇଥିଲେ। ଏହା ଦେଖି ଅମ୍ଳାନ ତାଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ ହେଁ ନିଜେ ଗଭୀର ପାଣି ଭିତରକୁ ଚାଲି ଯାଇଥିଲେ। ଉତ୍ସବ ଓ ଅଭିଷେକ ଅମ୍ଳାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ସେମାନଙ୍କ ପାଟି ଶୁଣି ସେଠାରେ ଗାଧୋଉଥିବା କିଛି ସ୍ଥାନୀୟ ଲୋକ ଖୋଜାଖୋଜି କରିଥିଲେ ମଧ୍ୟ ଅମ୍ଳାନଙ୍କ ପତ୍ତା ପାଇ ନଥିଲେ। ପରେ ବାଲିଅନ୍ତା ଓ କଳ୍ପନା ଛକସ୍ଥିତ ଅଗ୍ନିଶମ ବିଭାଗ କର୍ମଚାରୀମାନେ ପହଞ୍ଚି ଅମ୍ଳାନଙ୍କ ଶବ ଉଦ୍ଧାର କରିଥିଲେ। ଏନେଇ ବାଲିଅନ୍ତା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

ଅଧା ରହିଲା ଡାକ୍ତର ସ୍ୱପ୍ନ: ଅମ୍ଳାନ ମେଧାବୀ ଛାତ୍ର ଥିଲେ। ଏ ବର୍ଷ ଯୁକ୍ତ ଦୁଇ ବିଜ୍ଞାନରେ ସର୍ବାଧିକ ନମ୍ବର ରଖି ପାସ୍‌ କରିଥିଲେ। ସ୍ୱପ୍ନ ଥିଲା ଡାକ୍ତରୀ ପଢ଼ିବେ। ହେଲେ ତାଙ୍କ ସ୍ୱପ୍ନ ଅଧା ରହିଗଲା। ଅପରପକ୍ଷେ ଏକମାତ୍ର ପୁଅ ଅମ୍ଳାନକୁ ହରାଇ ମା’ ସୁଚିତ୍ରା ତ୍ରିପାଠୀଙ୍କ ବୁକୁଫଟା କାନ୍ଦ ସମସ୍ତଙ୍କ ଆଖିରେ ଲୁହ ଭରି ଦେଇଥିଲା ।

ସମ୍ବନ୍ଧିତ ଖବର