ନିର୍ଦେଶକଙ୍କ ଡ୍ରାଇଭର୍‌ ଉପରେ ଖସି ପଡ଼ିଲା ସିଲିଂ

କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଭଙ୍ଗାଗଢ଼ା

ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲର ବିଭିନ୍ନ ଓ୍ଵାର୍ଡ ସମେତ ବିଭିନ୍ନ ସ୍ଥାନରେ ନିକଟରେ ନବୀକରଣ କରାଗଲା। ସିଲିଂ ସହିତ ଚିକ୍କଣିଆ ଟାଇଲ ଲାଗିଲା। ମାତ୍ର ନବୀକରଣକୁ ୩/୪ମାସ ପୂରିନି, ଦୁଇ ଦିନ ତଳେ ହସ୍ପିଟାଲର ନିର୍ଦେଶକଙ୍କ ଡ୍ରାଇଭର୍‌ ମୁଣ୍ଡ ଉପରେ ସିଲିଂ ଖସି ପଡ଼ିଲା। ଏଥିରେ ସେ ଆହତ ହୋଇଛନ୍ତି। ପୂର୍ବରୁ କ୍ୟାପିଟାଲ ହସ୍ପିଟାଲରେ ଭଙ୍ଗାଗଢ଼ାରେ ହୋଇଥିବା କେଳେଙ୍କାରୀ ନେଇ ଅଭିଯୋଗ ହୋଇ ଆସୁଥିଲା। ଭଙ୍ଗାଗଢ଼ା ନାଁରେ ଲକ୍ଷାଧିକ ଟଙ୍କା ହରିଲୁଟ୍‌ ହୋଇଥିବା ନେଇ ଯେଉଁ ଅଭିଯୋଗ ଆସୁଥିଲା ତାହା ଏହି ଘଟଣା ପରେ ଅଧିକ ଘନୀଭୂତ ହୋଇଛି। ଏ ପର୍ଯ୍ୟନ୍ତ ଖସି ପଡ଼ିଥିବା ସ୍ଥାନରେ ମରାମତି ମଧ୍ୟ ହୋଇନାହିଁ। ହସ୍ପିଟାଲ କର୍ତୃପକ୍ଷଙ୍କଠାରୁ ମରାମତି କରିଥିବା କଣ୍ଟ୍ରାକ୍ଟର ଯାଏ ସମସ୍ତେ ଯେପିରି ବେପରୁଆ ହୋଇଯାଇଛନ୍ତି। ଯଦି ରୋଗୀ ରହୁଥିବା ଓ୍ଵାର୍ଡ ଭିତରେ ଏଭଳି ଘଟିଥାନ୍ତା ତେବେ ଏଥିପାଇଁ କିଏ ଦାୟୀ ରହିବ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସୂଚନା ଅନୁଯାୟୀ, ଦୁଇ ଦିନ ତଳେ ହସ୍ପିଟାଲର ନିର୍ଦେଶକଙ୍କ ଡ୍ରାଇଭର୍‌ ଓ ଜଣେ ଆଟେଣ୍ଡାଣ୍ଟ ହସ୍ପିଟାଲରେ ବସିଥିବା ସମୟରେ ସେମାନଙ୍କ ମୁଣ୍ଡ ଉପରେ ଛାତରୁ ରଡ୍‌ ମିଶା ସିଲିଂ ଖସି ପଡ଼ିଥିଲା। ଏଥିରେ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ମାତ୍ର ଏହି ଘଟଣାକୁ ହସ୍ପିଟାଲ କର୍ତୃପକ୍ଷ ଯେତିକି ଗୁରୁତ୍ୱର ସହ ନେବା କଥା ସେତିକି ଗୁରୁତ୍ୱ ଦେଖାଉ ନ ଥିବା ନଜରକୁ ଆସିଛି। କ୍ୟାପିଟାଲ ହସ୍ପିଟାଲରେ ଗତ କିଛି ମାସ ଧରି ଭଙ୍ଗାଗଢ଼ା କାମ ଚାଲିଲା। ଯେଉଁଠି ପୂର୍ବରୁ କାମ ହୋଇଥିଲା ପରବର୍ତୀ ସମୟରେ ତାକୁ ଭାଙ୍ଗି ଆଉଥରେ ମରାମତି କରାଗଲା। ଚିକ୍କଣିଆ ଘର ତିଆରିଠାରୁ ଆରମ୍ଭ କରି ନୂତନ ଆସବାବପତ୍ର କିଣାଗଲା ନବୀକରଣ ନାଁରେ। ଏବେ ମଧ୍ୟ କିଛି ସ୍ଥାନରେ ନବୀକରଣ ଜାରି ରହିଛି। ଏଥିରେ ବ୍ୟାପକ କେଳେଙ୍କାରୀ ହୋଇଥିବା ଅଭିଯୋଗ ହୋଇଥିଲା। ତେବେ ନବୀକରଣ ନାଁରେ ହୋଇଥିବା ଠକାମିକୁ ପଦାରେ ପକାଇ ଦେଇଛି। ଏପରିକି ନିକଟରେ ଆର ଏଣ୍ଡ ବିର ଜନୈକି ଇଞ୍ଜିନିୟରଂଙ୍କୁ ମଧ୍ୟ ସମ୍ବର୍ଧିତ କରିଥିଲେ ହସ୍ପିଟାଲ କର୍ତୃପକ୍ଷ। କେଉଁ ପରିସ୍ଥିତିରେ ତାଙ୍କୁ ସମ୍ବର୍ଧିତ କରାଗଲା ତାହା ମଧ୍ୟ ସନ୍ଦେହ ସୃଷ୍ଟି କରିଛି। କ୍ୟାପିଟାଲ ହସ୍ପିଟାଲର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ନିର୍ଦେଶକଙ୍କ ଡ୍ରାଇଭର୍‌ଙ୍କ ମୁଣ୍ଡ ଉପରେ ଗତ ଦୁଇ ଦିନ ତଳେ ସିଲିଂ ଖସି ପଡ଼ିଥିଲା। ଏଥିରେ ସେ ସାମାନ୍ୟ ଆହତ ହୋଇଛନ୍ତି। ଯେଉଁ ସ୍ଥାନରେ ସିଲିଂ ଖସିଛି ଠିକ୍‌ ତାହା ଉପରେ କାମ ଚାଲିଥିବାରୁ ଏହା ହୁଏତ ଖସିଥାଇପାରେ ବୋଲି ସନ୍ଦେହ କରାଯାଉଛି ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର