ଦୁର୍ଘଟଣା ଦୁର୍ଗତଙ୍କ ଦେବଦୂତ

ରାସ୍ତା ଦୁର୍ଘଟଣାରେ ଶିକାର ଲୋକଙ୍କ ପାଇଁ ଦେବଦୂତ ସାଜିଛି ଗଙ୍ଗନଗରସ୍ଥିତ ଜୟ ଜଗନ୍ନାଥ ଆକ୍ସିଡେଣ୍ଟାଲ ହେଲ୍ପ ୟୁନିଟ୍‌। ଅନୁଷ୍ଠାନର ମୁଖ୍ୟ ରଙ୍କନିଧି ସାମଲଙ୍କ ତତ୍ତ୍ୱାବଧାନରେ ପ୍ରଥମେ ୫/୬ ଜଣ ଲୋକଙ୍କୁ ନେଇ ସଂଗଠନ ଜନ୍ମ ନେଇଥିଲା। ପ୍ରତ୍ୟେକ ମାସରେ ୧୨ରୁ ୧୫ ଜଣ ରାସ୍ତା ଦୁର୍ଘଟଣାରେ ଶିକାର ଆହତ ବ୍ୟକ୍ତିବିଶେଷଙ୍କୁୁ ରଙ୍କନିଧି ନିଜ ଅନୁଷ୍ଠାନ ଜରିଆରେ ହସ୍ପିଟାଲ୍‌ରେ ପହଞ୍ଚାଉଛନ୍ତି। ଅନୁଷ୍ଠାନର ପ୍ରତ୍ୟେକ ସଦସ୍ୟଙ୍କୁ ଫାଷ୍ଟଏଡ୍‌ କିଟ୍‌ ଯୋଗାଇ ଦିଆ ଯାଇଥିବା ବେଳେ ଫୋନ୍‌ଟିଏ ପାଇଲେ ଏମାନେ ଦୁର୍ଘଟଣା ସ୍ଥଳକୁ ଦୌଡ଼ି ଯାଆନ୍ତି। ଛୋଟବେଳୁ ସେବା ମନୋବୃତ୍ତି ଥିବା ରଙ୍କନିଧି ଏପରି କାର୍ଯ୍ୟ କରି ଆତ୍ମସନ୍ତୋଷ ପାଉଥିବା କହିଛନ୍ତି।

ଏହି ସଂଗଠନରେ କେବଳ ରାଜଧାନୀରେ ୫୦ରୁ ଅଧିକ ସ୍ୱେଚ୍ଛାସେବୀ କାର୍ଯ୍ୟ କରୁଛନ୍ତି। ଅନୁଷ୍ଠାନ ନିଜସ୍ୱ ଏକ ହେଲ୍‌ପଲାଇନ୍‌ ନମ୍ବର ୯୪୩୭୨୭୩୫୭୨ ମଧ୍ୟ ରଖିଛି। ଯେଉଁଥିରେ ଯୋଗାଯୋଗ କଲେ ସ୍ୱେଚ୍ଛାସେବୀମାନେ ପହଞ୍ଚି ଆହତମାନଙ୍କୁ ତୁରନ୍ତ ମେଡିକାଲରେ ମାଗଣାରେ ପହଞ୍ଚାଇବା ସହ ପ୍ରାଥମିକ ଚିକିତ୍ସା ଯୋଗାଇ ଦେଅନ୍ତି।

ଏପରି ସେବାମୂଳକ କାର୍ଯ୍ୟ ପଛରେ ଲୁଚି ରହିଥିବା ରହସ୍ୟ ଉନ୍ମୋଚନ କରି ରଙ୍କନିଧି କୁହନ୍ତି, ୨୦୧୨ ମସିହାର ଭିଏସ୍‌ଏସ୍‌ ନଗର ନିକଟରେ ଏକ ଦୁର୍ଘଟଣାରେ ଶିକାର ହୋଇଥିବା ଲୋକକୁ ପଥଚାରୀ ଅଟୋରେ ବସାଇ ମେଡିକାଲ ପଠାଇବାର ଯୋଜନା କରୁଥିଲେ। କିନ୍ତୁ ଅଟୋ ଡ୍ରାଇଭର ପୁଲିସ ଝାମେଲାକୁ ଡରି ଦୁର୍ଘଟଣାରେ ଶିକାର ହୋଇଥିବା ବ୍ୟକ୍ତିଙ୍କ ସହ ଉଦ୍ଧାରକାରୀ ଲୋକଙ୍କୁ ଆସିବାକୁ କହିଲେ। କିନ୍ତୁ କେହି ରାଜି ହୋଇନଥିଲେ। ଫଳରେ ଅଟୋ ଡ୍ରାଇଭର ଦୁର୍ଘଟଣାଗ୍ରସ୍ତ ଲୋକଟିକୁ ଅଟୋରୁ ଓହ୍ଲାଇ ରାସ୍ତାରେ ଛାଡ଼ି ପଳାଇଥିଲେ। ସେହି ଘଟଣା ଦେଖି ସଡ଼କ ଦୁର୍ଘଟଣାରେ ଶିକାର ହେଉଥିବା ଲୋକଙ୍କୁ ସହାୟତା କରିବାକୁ ସେଦିନ ସେ ଶପଥ ନେଇଥିଲେ। ରାସ୍ତା ଦୁର୍ଘଟଣାରେ ଲୋକଙ୍କୁ ହସ୍ପିଟାଲରେ ପହଞ୍ଚାଇବା ନେଇ କମିସନରେଟ୍‌ ପୁଲିସ ମଧ୍ୟ ତାଙ୍କୁ ସହଯୋଗ ଯୋଗାଇ ଦିଏ ବୋଲି ସେ କୁହନ୍ତି।

ଦୁର୍ଘଟଣାରେ ହାତ , ଗୋଡ଼ କଟି ଯାଇଥିବା କିମ୍ବା ଭାଙ୍ଗି ଯାଇଥିବା ଲୋକଙ୍କୁ କିପରି ଗାଡ଼ିରେ ବସା ଯିବ ସେ ନେଇ ମଧ୍ୟ ରଙ୍କନିଧି ତାଲିମ ନେବା ସହ ଅନୁଷ୍ଠାନର ସ୍ୱେଚ୍ଛାସେବୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଛନ୍ତି। ଜଗନ୍ନାଥ ଏକ୍ସିଡେଣ୍ଟାଲ ହେଲ୍ପ ୟୁନିଟରେ ଅବସରପ୍ରାପ୍ତ ଯନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଚିକିତ୍ସକ, ଓକିଲ, ଡ୍ରାଇଭର ମଧ୍ୟ ସାମିଲ ହୋଇଛନ୍ତି। ଯେଉଁମାନେ କି ଏଥିନେଇ ଅନୁଷ୍ଠାନକୁ ସହଯୋଗ ପ୍ରଦାନ କରିଥା’ନ୍ତି। ରଙ୍କନିଧି କହନ୍ତି, ୧୦୮ ଆମ୍ବୁଲାନ୍ସ ରୋଗୀଙ୍କୁ ଆଣି ହସ୍ପିଟାଲରେ ପହଞ୍ଚାଇଲେ ଡାକ୍ତରମାନେ ରୋଗୀର ଚିକିତ୍ସା ନକରି ପ୍ରଥମେ ସେ କିଏ, କେଉଁଠିକାର ଲୋକ ଆଦି ବିବରଣୀ ସଂଗ୍ରହ କରୁଛନ୍ତି। ଯେଉଁଥିିପାଇଁ ଅନେକଙ୍କ ଚିକିତ୍ସାରେ ବିଳମ୍ବ ପାଇଁ ଜୀବନ ଚାଲି ଯାଉଛି। ଏଥିନେଇ ସମସ୍ତେ ସଚେତନ ହେବା ଦରକାର। ଆଗାମୀ ଦିନରେ ସାରା ଓଡ଼ିଶାରେ ନିଜର ସଂଗଠନକୁ ବିସ୍ତାର କରିବା ତାଙ୍କ ଲକ୍ଷ୍ୟ ରହିଥିବା ରଙ୍କନିଧି କହିଛନ୍ତି।

ସମ୍ବନ୍ଧିତ ଖବର