କଣ୍ଢେଇ ମେଳଣ ଗଣ୍ଡଗୋଳ ମାମଲାରେ ଜଣେ ଗିରଫ

ଢେଲାମାଡ଼ କରି ମହିଳା ଗିରଫ, ୯ ମୋବାଇଲ୍‌ ଜବତ, ଚୋର ଗିରଫ

ଖଣ୍ଡଗିରି : ଭଗବାନପୁର କଣ୍ଢେଇ ମେଳଣ ଗଣ୍ଡଗୋଳ ମାମଲାରେ ତମାଣ୍ଡୋ ଥାନା ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଛି। ସେ ହେଲେ, ଭଗବାନପୁର ଗାଁର ତପନ ବେହେରା ଓରଫ୍ ପାକୁନା(୩୦)। ପୁଲିସ ସୂଚନାନୁସାରେ, ଗତ ୬ତାରିଖ ଅପରାହ୍ଣରେ ଭଗବାନପୁରରେ ଏକ ଗୋଷ୍ଠୀ ସଂଘର୍ଷ ଘଟିଥିଲା। କଣ୍ଢେଇ ମେଳଣକୁ ନେଇ ଲାଗି ରହିଥିବା ଛକାପଞ୍ଝାରୁ ଘଟିଥିବା ଏହି ଗଣ୍ଡ‌ଗୋଳରେ ଭଗବାନପୁରର ବାବୁଲି ଚମ୍ପତି ଓ ଚକ୍ରଧର ସାହୁଙ୍କ ସହ ଦଳିତ ସାହିର କିଛି ଲୋକ ଆହତ ହୋଇଥିଲେ। ଗଣ୍ଡଗୋଳକାରୀମାନଙ୍କୁ ତୁରନ୍ତ ଗିରଫ କରିବାକୁ ଦଳିତ ସାହିର ଲୋକେ ଜୋନ୍‌-୩ ଏସିପିଙ୍କ ନିକଟରେ ଦାବି କରିଥିଲେ।

ଢେଲାମାଡ଼ କରି ମହିଳା ଗିରଫ

ଭୁବନେଶ୍ୱର : ସରକାରୀ କ୍ବାର୍ଟର୍ସ ଉପରକୁ ଢେଲା ମାଡ଼ କରିବା ଅଭିଯୋଗରେ ଖାରବେଳ ନଗର ଥାନା ପୁଲିସ ଶାସ୍ତ୍ରୀନଗର‌ ରାମପୁର ବସ୍ତିରେ ରହୁଥିବା ସସ୍ମିତା କାଣ୍ଡିଙ୍କୁ ଗିରଫ କରିଛି। ସସ୍ମିତାଙ୍କ ଘର ଯାଜପୁର ଟମକା ଥାନା ତିହିରି ଗ୍ରାମରେ। ତେବେ ତାଙ୍କ ସହ ସାମିଲ ଥିବା ଅନ୍ୟ ୫ ଜଣ ଅଭିଯୁକ୍ତ ଫେରାର୍‌ ଥିବା ଜଣାଯାଇଛି। ସୂଚନା ମୁତାବକ, ୟୁନିଟ୍‌ ୪ରେ ଥିବା ଆଇଭିଏମ୍‌ କ୍ବାର୍ଟର୍ସ ଅଞ୍ଚଳରେ ସସ୍ମିତା କୋଇଲା ବିକ୍ରି କରନ୍ତି। କ୍ବାର୍ଟର୍ସରେ ରହୁଥିବା‌ ନାରାୟଣ ମିଶ୍ର ଓ ଅନ୍ୟମାନେ ବିରୋଧ କରିଥିଲେ। ଏଥିରେ ରାଗିଯାଇ ସସ୍ମିତା ସେମାନଙ୍କୁ ଗାଳିଗୁଲଜ କରିବା ସହ କ୍ବାର୍ଟର୍ସ ଉପରକୁ ଢେଲାମାଡ଼ କରିଥିଲେ।

୯ ମୋବାଇଲ୍‌ ଜବତ, ଚୋର ଗିରଫ

ଖଣ୍ଡଗିରି : ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ ଚାଲାଣ ହେବାକୁ ଥିବା ୩୦ଟି ‌ନୂଆ ମୋବାଇଲ୍‌ ଫୋନ୍‌ ପ୍ୟାକେଟ୍‌କୁ ଲୁଟି ନେଇଥିବା ଲୁଟେରାକୁ ଦୀର୍ଘ ଦେଢ଼ମାସ ପରେ ଧରିବାରେ ସକ୍ଷମ ହୋଇଛି ଖଣ୍ଡଗିରି ଥାନା ପୁଲିସ। ଅଭିଯୁକ୍ତ ହେଲେ, ଭୁବନେଶ୍ବର ଅଶୋକନଗର ଅଞ୍ଚଳର ଏସ୍‌ ରାଜୁ(୨୭)। ପୁଲିସ ତା’ ନିକଟରୁ ୯ଟି ନୂଆ ମୋବାଇଲ୍‌ ଫୋନ୍‌ ସେଟ୍‌ ଜବତ କରିଥିବା ବେଳେ ୨୧ଟି ବିକି ଦେଇଥିବା ଜଣାପଡ଼ିଛି। ତେବେ ଖୁବ୍‌ଶୀଘ୍ର ସେଗୁଡ଼ିକୁ ଜବତ କରାଯିବ ବୋଲି ପୁଲିସ କହିଛି। ସୂଚନାନୁସାରେ ଅଭିଯୋଗକାରୀ ସତ୍ୟଭୂଷଣ ମହାନ୍ତିଙ୍କର ବାପୁଜୀ ନଗରରେ ଉର୍ମିଳା ଏଣ୍ଟରପ୍ରାଇଜର୍ସ ନାମକ ଏକ ମୋବାଇଲ୍ ଦୋକାନ ରହିଛି। ଫେବ୍ରୁଆରି ୨୦ତାରିଖ ଦିନ ସେ ବସ୍‌ ଯୋଗେ ନୟାଗଡ଼ର ଜଣେ ଖୁଚୁରା ବ୍ୟବସାୟୀଙ୍କ ଦୋକାନକୁ ୩୦ଟି ନୂଆ ମୋବାଇଲ୍ ଫୋନ୍‌ ସେଟ୍‌ ପଠାଇବା ପାଇଁ ବରମୁଣ୍ଡା ବସ୍‌ଷ୍ଟାଣ୍ଡକୁ ଯାଇଥିଲେ। ସେ ବସ୍‌କୁ ଅପେକ୍ଷା କରିଥିବାବେଳେ ସେଠାରୁ ତାଙ୍କ ବ୍ୟାଗ୍‌ଟି କେହି ଦୁର୍ବୃତ୍ତ ଚୋରି କରି ନେଇଥିଲା। ଏ ନେଇ ସେ ତୁରନ୍ତ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ ଓ ପୁଲିସକୁ ସମସ୍ତ ତଥ୍ୟ ଦେଇଥିଲେ। ସେହିଦିନଠାରୁ ପୁଲିସ ମୋବାଇଲ୍‌ ଟ୍ରାକିଂ କରୁଥିଲା। ଅଭିଯୁକ୍ତ ଏସ୍ ରାଜୁ ଜଣେ ପେସାଦାର ପକେଟ୍‌ମାର୍ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର