ବ୍ୟବସାୟୀଙ୍କୁ ଲୁଟ୍ ମାମଲା, ଅଭିଯୁକ୍ତ ଗିରଫ
ସୁମୁଦି ବୋମାମାଡ଼ ଘଟଣା, ୨ ଅଭିଯୁକ୍ତ ଗିରଫ, ମୋବାଇଲ ଚୋର ଗିରଫ
ଭୁବନେଶ୍ବର : ୟୁନିଟ୍-୧ ମାର୍କେଟର ଜଣେ ବ୍ୟବସାୟୀଙ୍କୁ ଖଣ୍ଡାରେ ଆକ୍ରମଣ କରି ୪୦ ହଜାର ଟଙ୍କା ଲୁଟ୍ ଘଟଣାରେ କ୍ୟାପିଟାଲ ଥାନା ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲା ସହିଦନଗର ଥାନା ବାଙ୍କୁଆଳ ଅଞ୍ଚଳର ସାଗର ସ୍ବାଇଁ ଓରଫ ଲିପୁ(୨୩)। ଗତ ମାର୍ଚ୍ଚ ୧୨ ତାରିଖ ରାତିରେ ୟୁନିଟ୍-୧ ମାର୍କେଟର ସନ୍ତୋଷ କୁମାର ସାହୁ ନାମକ ଜଣେ ବ୍ୟବସାୟୀ ଦୋକାନ ବନ୍ଦ କରି ଲକ୍ଷ୍ମୀସାଗର ସ୍ଥିତ ଘରକୁ ଫେରୁଥିଲେ। ରାସ୍ତାରେ ଲିପୁ ଓ ତାର ତିନି ସହଯୋଗୀ ମିଶି ତାଙ୍କୁ ଅତର୍କିତ ଭାବେ ଖଣ୍ଡାରେ ଆକ୍ରମଣ କରି ୪୦ ହଜାର ଟଙ୍କା ନେଇଯାଇଥିଲେ। ଏନେଇ ସନ୍ତୋଷ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ। ପୂର୍ବରୁ ଲିପୁର ସହଯୋଗୀ ବିଘ୍ନେଶ୍ବର ରଣା ଓ ନାରାୟଣ ସ୍ବାଇଁଙ୍କୁ ସହିଦନଗର ଥାନା ପୁଲିସ ଗିରଫ କରିଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ସୁମୁଦି ବୋମାମାଡ଼ ଘଟଣା, ୨ ଅଭିଯୁକ୍ତ ଗିରଫ
ବାଲିପାଟଣା : ବାଲିପାଟଣା ଥାନା ସୁମୁଦି ବୋମାମାଡ଼ ମାମଲାର ମୁଖ୍ୟ ଅଭିଯୁକ୍ତ ରାଜୀବ ଲୋଚନ ସ୍ବାଇଁ ଏବଂ ସହଯୋଗୀ ଦୀପକ ରାଉତରାୟଙ୍କୁ ପୁଲିସ ଗିରଫ କରିଛି। ଆଜି ଦିନ ପ୍ରାୟ ୩ଟା ବେଳେ ନୂଆସାହି ବଜାର ନିକଟରୁ ଏସିପିଙ୍କ ନେତୃତ୍ବରେ ବାଲିପାଟଣା ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ରାଜୀବ ନାମରେ ବାଲିପାଟଣା ଥାନାରେ ୨୩ଟି କେସ୍ ଥିବା ବେଳେ ରାଜ୍ୟର ବିଭିନ୍ନ ଥାନାରେ ୩୦ରୁ ଊର୍ଧ୍ବ ମାମଲା ରହିଛି। ଗତ ୧୪ ତାରିଖ ସୁମୁଦି ଗ୍ରାମରେ ହୋଇଥିବା ବୋମାମାଡ଼ ମାମଲାରେ ଆହତଙ୍କ ପକ୍ଷରୁ ଦିଆଯାଇଥିବା ଏତଲାକୁ ଭିତ୍ତିକରି ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବାଲିପାଟଣା ଥାନା ଅଧିକାରୀ ବଳରାମ ନାୟକ କହିଛନ୍ତି।
ମୋବାଇଲ ଚୋର ଗିରଫ
ଭୁବନେଶ୍ୱର : ମୋବାଇଲ ଚୋରି କରିବା ଅଭିଯୋଗରେ ଲକ୍ଷ୍ମୀସାଗର ଥାନା ପୁଲିସ ହଳଦୀପଡ଼ିଆ ବସ୍ତିର ସୁବାସ ବେହେରାକୁ ଗିରଫ କରିଛି। ତା’ ଠାରୁ ଚୋରି ମୋବାଇଲ ଜବତ ହୋଇଛି। ଗତକାଲି ସନ୍ଧ୍ୟାରେ ସେହି ବସ୍ତିର ନିବାସ ବେହେରାଙ୍କ ଘରେ କେହି ନଥିବା ବେଳେ ସୁବାସ ପଶି ମୋବାଇଲ ନେଇ ଯାଇଥିଲା। ସେ ସନ୍ଦେହରେ ପଚରାଉଚୁରା କରିଥିଲେ ମଧ୍ୟ ସୁବାସ ମାନିନଥିଲା। ନିବାସ ଥାନାରେ ଅଭିଯୋଗ କରିବା ପରେ ପୁଲିସ ସୁବାସକୁ ଧରିଥିଲା। ଚୋରି ନେଇ ସେ ସ୍ବୀକାର କରିବା ସହ ମୋବାଇଲ ଫେରାଇଥିଲା। ତାକୁ ଆଜି କୋର୍ଟ ଚାଲାଣ କରାଯାଇଛି।