ଅଚ୍ୟୁତ ସାମନ୍ତଙ୍କୁ ପ୍ରଫେସର ଏମିରେଟସ୍‌ ସମ୍ମାନ

ଭୁବନେଶ୍ୱର : ଶିକ୍ଷାବିତ୍‌ ଓ ସମାଜସେବୀ ଅଚ୍ୟୁତ ସାମନ୍ତଙ୍କୁ ୟୁନିଭର୍ସିଟି ଅଫ୍‌ କାମ୍ବୋଡ଼ିଆରୁ ଗୁରୁବାର ସମ୍ମାନଜନକ ପ୍ରଫେସର ଏମିରେଟସ୍‌ (ଡିଷ୍ଟିଙ୍ଗୁଇସ୍‌ଡ ପ୍ରଫେସରସିପ୍‌) ସମ୍ମାନ ପ୍ରଦାନ କରାଯାଇଛି। ଆଜି ନମ୍‌ପେନ୍‌ସ୍ଥିତ ୟୁନିଭର୍ସିଟି ଅଫ କାମ୍ବୋଡ଼ିଆଠାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ଉତ୍ସବରେ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ତଥା ବୋର୍ଡ ଅଫ୍‌ ଟ୍ରଷ୍ଟିର ଅଧ୍ୟକ୍ଷ ଡ. କାଓ କିମ୍‌ ହର୍ନ ଶ୍ରୀ ସାମନ୍ତଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଥିଲେ। ଅନ୍ତର୍ଜାତୀୟସ୍ତରରେ ଶିକ୍ଷା ଓ ସମାଜସେବା କ୍ଷେତ୍ରରେ ଉତ୍କର୍ଷତା ପ୍ରତିପାଦନ କରିଥିବା ବ୍ୟକ୍ତିବିଶେଷଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥାଏ। ଶିକ୍ଷା ମାଧ୍ୟମରେ ଦାରିଦ୍ର୍ୟ ଦୂରୀକରଣ କ୍ଷେତ୍ରରେ ସମଗ୍ର ବିଶ୍ୱରେ ଉଦାହରଣ ସୃଷ୍ଟି କରିଥିବା ଶ୍ରୀ ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିବା ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଛି। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଇଣ୍ଟରନ୍ୟାସ୍‌ନାଲ କୋର୍ଟ ଅଫ୍‌ ଜଷ୍ଟିସ୍‌ର ଜଜ୍‌ ନ୍ୟାୟମୂର୍ତ୍ତି ଦଲବୀର ଭଣ୍ଡାରୀ, ବିଶ୍ୱବିଦ୍ୟାଳୟର ଗବେଷଣା ପରିଷଦ ନିର୍ଦ୍ଦେଶକ ତ୍ରାଭିସ୍‌ ମିଚେଲ୍‌, ଡିନ୍‌ ଡ. ହେମ୍‌ ସ୍ରାସ୍‌, ଡ. ମାଇକେଲ୍‌ ମିନେହାନ୍‌, ବିଶ୍ୱବିଦ୍ୟାଳୟର ସାଧାରଣ ବ୍ୟାପାର ଉପାଧ୍ୟକ୍ଷ ଖେମ୍‌ ରାନି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର