କାକାଙ୍କ ଘରୁ ରାଗି ପଳେଇଥିଲି

ପିଲାବେଳେ ମୁଁ ଖୁବ୍‌ ଦୁଷ୍ଟ ଥିଲି। ସମ୍ବଲପୁରଠାରୁ ପ୍ରାୟ ୧୦୦ କିମି ଦୂରରେ ଥିବା କାକାଙ୍କ ଘରେ ରହି ପାଠ ପଢୁଥିଲି। ସେଠାକାର କନ୍‌ସର ହାଇସ୍କୁଲର ମୁଁ ଛାତ୍ର ଥିଲି। ସପ୍ତମ ଶ୍ରେଣୀରେ ପଢୁଥିବା ବେଳେ କ’ଣ ଗୋଟେ କାକାଙ୍କ ଘରେ ଝଗଡ଼ା କରି ମୁଁ ସାଇକେଲରେ ଆମ ଘରକୁ ପଳେଇ ଆସିବାକୁ ଚେଷ୍ଟା କଲି। ଜଙ୍ଗଲିଆ ରାସ୍ତାରେ ପ୍ରାୟ କୋଡ଼ିଏ କିମି ଆସିବା ପରେ ମତେ ଡର ଲାଗିଲା। ରାଗିକି ସିନା କାକାଙ୍କ ଘରୁ ପଳେଇ ଆସିଲି। କିନ୍ତୁ ଜଙ୍ଗଲ ରାସ୍ତା ଅତିକ୍ରମ କରି ଘରକୁ ଯିବାକୁ ଆଉ ସାହସ ଜୁଟାଇ ପାରିଲିନି। ଜଙ୍ଗଲ ମଧ୍ୟରେ ଥିବା ବନ୍ୟ ବିଭାଗର କାର୍ଯ୍ୟାଳୟ ନିକଟରେ ଅଟକିଗଲି। ବାପା ଯେହେତୁ ଜଙ୍ଗଲ ବିଭାଗରେ ଚାକିରି କରୁଥିଲେ, ତେଣୁ ସେଠାକାର କର୍ମଚାରୀଙ୍କୁ ମୋର ପରିଚୟ ଦେଇ ମତେ ପୁଣି କାକାଙ୍କ ଘରେ ଛାଡ଼ି ଦେବାକୁ ଅନୁରୋଧ କଲି। ସେମାନେ ମତେ କାକାଙ୍କ ଘରେ ଛାଡ଼ିଦେବାର ବନ୍ଦୋବସ୍ତ କଲେ। ସେଦିନର କଥା ମନେ ପଡ଼ିଲେ ଆଜି କେମିତି କେମିତି ଲାଗେ।

ମନୋଜ ମିଶ୍ର, ଅଭିନେତା

ସମ୍ବନ୍ଧିତ ଖବର