ଦୁଇ ବର୍ଷ ପରେ ପ୍ରଦର୍ଶିତ ହେଲା ‘ଆଦିଭୂମି’

ଭୁବନେଶ୍ୱର: ସମଦୃଷ୍ଟି ମୁକ୍ତ ବିଦ୍ୟାଳୟ ଓ ଲୋହିଆ ଏକାଡେମିର ମିଳିତ ଆନୁକୂଲ୍ୟରେ ଆଜି ଚଳଚ୍ଚିତ୍ର ‘ଆଦିଭୂମି’ ପ୍ରଥମ ଥର ପାଇଁ ପ୍ରଦର୍ଶିତ ହୋଇଛି। ସ୍ଥାନୀୟ ଲୋହିଆ ଏକାଡେମି ପରିସରରେ ପ୍ରଦର୍ଶିତ ଏହି ଚଳଚ୍ଚିତ୍ରଟି ଖଣି ଦୁର୍ନୀତି, ବିଭିନ୍ନ ଜନ ଆନ୍ଦୋଳନ, ବିସ୍ଥାପନ ଓ ଜଳ, ଜଙ୍ଗଲ ଓ ଜମିର ଲୁଟ୍‌ ଏବଂ ଏସବୁକୁ ନେଇ ହେଉଥିବା ରାଜନୀତିର ନିଚ୍ଛକ ଛବି ଓ ସତ୍ୟ ଘଟଣା ଉପରେ ଆଧାରିତ। ଚଳଚ୍ଚିତ୍ରର ନିର୍ଦ୍ଦେଶନା ସତ୍ୟବ୍ରତ ଦ୍ୱିବେଦୀ ଦେଇଛନ୍ତି। ବିଭିନ୍ନ ଛୋଟ ଛୋଟ ସତ୍ୟ ଘଟଣାକୁ ନେଇ ନିର୍ମିତ ଏହି ଚଳଚ୍ଚିତ୍ରଟିର ସମୟସୀମା ୧ ଘଣ୍ଟା ୫୦ ମିନିଟ୍‌ ରହିଛି। ଚଳଚ୍ଚିତ୍ରଟି ୨ ବର୍ଷ ତଳୁ ସେନ୍‌ସର୍‌ ପ୍ରମାଣପତ୍ର ପାଇଥିଲେ ମଧ୍ୟ କିଛି ଖଣି ମାଫିଆ ଓ ରାଜନୈତିକ ଲୋକଙ୍କ ଚକ୍ରାନ୍ତ ଫଳରେ ଏଯାଏଁ ବଡ଼ ପରଦାକୁ ଆସିପାରି ନାହିଁ ବୋଲି ସମାଜସେବୀ ପ୍ରଫୁଲ୍ଲ ସାମନ୍ତରା କହିଛନ୍ତି। ଆଜିର ଏହି କାର୍ଯ୍ୟକ୍ରମରେ ଅନୀଲ ଧୀର ପରିଚୟ ପ୍ରଦାନ କରିଥିଲେ। ଲୋକମାନଙ୍କ ପାଇଁ ଓ ସମାଜର ବିଭିନ୍ନ ଘଟଣାବଳୀକୁ ନେଇ ଆଧାରିତ ଚଳଚ୍ଚିତ୍ରଗୁଡ଼ିକୁ ପ୍ରତିମାସରେ ଏକାଡେମି ପରିସରରେ ପ୍ରଦର୍ଶିତ କରାଯିବ ବୋଲି ସମଦୃଷ୍ଟିର ସ୍ୱୟଂପ୍ରଭା ପାଢ଼ୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର