ଆଦିଗୁରୁ ପଙ୍କଜଚରଣ ଦାସଙ୍କ ଶ୍ରାଦ୍ଧ ଦିବସ ପାଳିତ : ନୃତ୍ୟରେ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର : ନୃତ୍ୟରେ ନୃତ୍ୟରେ ଆଦିଗୁରୁ ପଙ୍କଜ ଚରଣ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଢାଳିଥିଲେ ନୃତ୍ୟଶିଳ୍ପୀମାନେ। ସ୍ୱର୍ଗତ ଦାସଙ୍କ ପଞ୍ଚଦଶ ଶ୍ରାଦ୍ଧ ଦିବସରେ ଉପଲକ୍ଷେ ‘ଗୁରୁ ପଙ୍କଜ ଚରଣ ଓଡ଼ିଶୀ ରିସର୍ଚ୍ଚ ଫାଉଣ୍ଡେସନ୍‌’ ପକ୍ଷରୁ ଏହି ନୃତ୍ୟ ଶ୍ରଦ୍ଧାଞ୍ଜଳି ଆଜି ସ୍ଥାନୀୟ ଭଞ୍ଜକଳା ମଣ୍ଡପରେ ଅନୁଷ୍ଠିତ ହୋଇଥିଲା। ଶ୍ରଦ୍ଧାଞ୍ଜଳି ସନ୍ଧ୍ୟାରେ ପ୍ରଥମ ପରିବେଷଣ ଥିଲା ନାଟ୍ୟଶାସ୍ତ୍ର ଆଧାରିତ ‘ପୁଷ୍ପାଞ୍ଜଳି ଧରାଭୂତ୍ୱା’ ଓ ‘ନାଟ ପସରା’। ଆଦିଗୁରୁ ସ୍ୱର୍ଗତ ଦାସଙ୍କ ରଚନାର ପୁନରୁଦ୍ଧାର କରିଥିବା ଗୁରୁ ଶରତ ଦାସଙ୍କ ନିର୍ଦ୍ଦେଶନାରେ ନୃତ୍ୟଶିଳ୍ପୀ ସୁହାଗନଳିନୀ ଦାସଙ୍କ ଦ୍ୱାରା ଏହା ପରିବେଷିତ ହୋଇଥିଲା। ନୃତ୍ୟଶିଳ୍ପୀ ପ୍ରଭାତ କୁମାର ସ୍ୱାଇଁ, ଶାଶ୍ୱତ ଯୋଶୀ ଓ ଲକି ପ୍ରଜ୍ଞା ପ୍ରତିଷ୍ଠିତ ମହାନ୍ତିଙ୍କୁ ‘ଯୁଗ ଗନ୍ଧର୍ବ’ ସମ୍ମାନରେ ସମ୍ମାନିତ କରାଯାଇଥିଲା। ପ୍ରେମ ଓ ପ୍ରଣୟର କବି ମାୟାଧର ମାନସିଂହଙ୍କ ‘ବରବଧୂ’ କବିତାର ମଞ୍ଜୁଳ ଉପସ୍ଥାପନାରେ ଦର୍ଶକଙ୍କୁ ବିମୋହିତ କରିଥିଲେ ଗୁରୁ ପ୍ରଭାତ କୁମାର ସ୍ୱାଇଁ। ପରେ ପରେ ଶାଶ୍ୱତ ଯୋଶୀ ପରିବେଷଣ କରିଥିଲେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ‘ରସ ପଞ୍ଚକ’। ଶେଷରେ ଦଳଗତ ନୃତ୍ୟରେ ‘ଗୀତ ଗୋବିନ୍ଦ’ ଅନୁଷ୍ଠାନ ପକ୍ଷରୁ ଗୁରୁ ପଦ୍ମଶ୍ରୀ କୁମ୍‌କୁମ୍‌ ମହାନ୍ତିଙ୍କ ସଂଯୋଜନାରେ ନୃତ୍ୟଶିଳ୍ପୀମାନେ ‘କି ଶୋଭା ଗୋ କୁଞ୍ଜେ’ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ ଗୁରୁ ଶରତ ଦାସ, ଗୁରୁ କୁମ୍‌କୁମ୍‌ ମହାନ୍ତି ଓ ଶାନ୍ତନୁ ପୃଷ୍ଟି। ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

ସମ୍ବନ୍ଧିତ ଖବର