ବଦଳିଲା ଆଦିବାସୀ ମେଳା ଠିକଣା

ଆଦିବାସୀ ପଡ଼ିଆ ବଦଳରେ ଏଣିକି ଇଡକୋ ପଡ଼ିଆ

ଭୁବନେଶ୍ୱର : ଚଳିତବର୍ଷଠାରୁ ଆଦିବାସୀ ମେଳାର ଠିକଣା ବଦଳିଛି। ୟୁନିଟ୍‌-୧ସ୍ଥିତ ଆଦିବାସୀ ପ୍ରଦର୍ଶନୀ ପଡ଼ିଆରେ ଆଉ ଦେଖିବାକୁ ମିଳିବନି ଆଦିବାସୀଙ୍କ କଳା, କଳାବସ୍ତୁ, ବାସଗୃହ। ରାଜଧାନୀବାସୀଙ୍କୁ ଆଦିବାସୀ ଗାଁର ଅନୁଭୂତି ଦେଉଥିବା ଏହି ମେଳା ଏଣିକି ୟୁନିଟ୍‌-୩ସ୍ଥିତ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆକୁ ସ୍ଥାନାନ୍ତର ହୋଇଥିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ବିଧିବଦ୍ଧ ଘୋଷଣା ହୋଇଛି। ଜାନୁଆରି ୨୬ରୁ ଫେବ୍ରୁଆରି ୯ ପର୍ଯ୍ୟନ୍ତ ଏହି ମେଳା ଅନୁଷ୍ଠିତ ହେବ ବୋଲି ସ୍ଥିର ହୋଇଛି।

ସ୍ଥାନ ପରିବର୍ତନର କାରଣ ଟ୍ରାଫିକ୍‌ ସମସ୍ୟା ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି। ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏକ ପ୍ରେସ୍‌ ଇସ୍ତାହାରରେ କୁହାଯାଇଛି ଯେ, ଆଦିବାସୀ ମେଳାର କଳେବର ବୃଦ୍ଧି ପାଉଛି। ଜନସମାଗମ ବଢ଼ୁଥିବାରୁ ୟୁନିଟ୍‌-୧ଠାରେ ଥିବା ଆଦିବାସୀ ପ୍ରଦର୍ଶନୀ ପଡ଼ିଆରେ ଟ୍ରାଫିକ୍‌ ସମସ୍ୟା ହେଉଛି। ତାହାକୁ ଦୃଷ୍ଟିରେ ରଖି ଚଳିତବର୍ଷଠାରୁ ସ୍ଥାନ ପରିବର୍ତନ କରାଯାଇଛି। ଇଡକୋ ପ୍ରଦର୍ଶନୀ ପଡ଼ିଆ ଓ ଏହାର ଆଖପାଖରେ ପ୍ରଶସ୍ତ ସ୍ଥାନ ଥିବାରୁ ମେଳା ବୁଲିବାକୁ ଆସୁଥିବା ଲୋକଙ୍କ ଯିବା ଆସିବା ଓ ଗାଡ଼ି ରଖିବାକୁ ଅଧିକ ସ୍ଥାନ ମିଳିବ।

ଆହୁରି କୁହାଯାଇଛି ଯେ, ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆରେ ଲୋକେ ଯେପରି ସୁରୁଖୁରରେ ଆସି ମେଳାକୁ ଉପଭୋଗ କରିପାରିବେ ସେଥିପାଇଁ ପଦକ୍ଷେପ ନିଆଯାଇଛି। ଏଠାରେ ଆଦିବାସୀ ହାଟ, ଆଦିବାସୀ ଖାଦ୍ୟ ବଜାର ସାଙ୍ଗକୁ ଆଦିବାସୀଙ୍କ ଦ୍ୱାରା ଉତ୍ପାଦିତ କୃଷିଜାତ ଦ୍ରବ୍ୟ ଓ ସଂଗୃହୀତ ବିରଳ ବନଜାତ ଦ୍ରବ୍ୟ ଉପଲବ୍ଧ ହେବ। ଏହାବ୍ୟତୀତ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ କରାଯିବ। ଜାନୁଆରି ୩୧, ଫେବ୍ରୁଆରି ୧ ଓ ୨ ତାରିଖରେ ରାଜ୍ୟର ବିଭିନ୍ନ ବଛା ବଛା ଜନଜାତି ନୃତ୍ୟ ଦଳ ସେମାନଙ୍କ କାର୍ଯ୍ୟକ୍ରମ ପରିବେଷଣ କରିବେ।

ନୂତନ ସ୍ଥାନରେ ବି ଆଦିବାସୀ ଗାଁ ତିଆରି ହେବ ବୋଲି କୁହାଯାଇଛି। ହେଲେ ହାତରେ ଆଉ ମାତ୍ର ୮ ଦିନ ଥିବା ବେଳେ ଏପର୍ଯ୍ୟନ୍ତ ସାଜସଜ୍ଜା ଆରମ୍ଭ ହୋଇ ନ ଥିବା ଦେଖିବାକୁ ମିଳିଛି। ନିର୍ଧାରିତ ସମୟ ପୂର୍ବରୁ ଆଦିବାସୀ ଗାଁ ନିର୍ମାଣ ନେଇ ଆଶଙ୍କା ପ୍ରକାଶ ପାଇଛି। ସେହିପରି ଆଦିବାସୀଙ୍କ ଜୀବନଶୈଳୀ ଯେପରି ଦର୍ଶକଙ୍କୁ ଆକୃଷ୍ଟ କରିବ ସେଥିପ୍ରତି ମଧ୍ୟ ଧ୍ୟାନ ଦିଆଯାଉଛି। ପ୍ରତିଦିନ ଅପରାହ୍ଣ ୨ଟାରୁ ରାତି ୯ଟା ପର୍ଯ୍ୟନ୍ତ ଏହି ମେଳା ଅନୁଷ୍ଠିତ ହେବ। ସନ୍ଧ୍ୟା ୬ଟାରୁ ରାତି ୮ଟା ୩୦ ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ ବୋଲି ସୂଚନା ଦିଆଯାଇଛି। ଏତେ ସବୁ ପରେ ଯେଉଁ ଉଦ୍ଦେଶ୍ୟ ନେଇ ଆଦିବାସୀ ପ୍ରଦର୍ଶନୀ ପଡ଼ିଆ ପ୍ରତିଷ୍ଠା ହୋଇଥିଲା ତାହାର ଭବିଷ୍ୟତ ନେଇ ଏବେ ଆଶଙ୍କା ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର