ଡାକୁଛି ଆଦିବାସୀ ଗାଁ

ଭୁବନେଶ୍ବର : ପ୍ରାକୃତିକ ରଙ୍ଗରେ ରଙ୍ଗେଇ ହୋଇଛି ମାଟିକାନ୍ଥ। ଚାଳ ଛପର ଉପରେ ଲଦି ହୋଇଛି ଲାଉ, କଖାରୁ ଲଟା। ପିଣ୍ଡାରେ ଧାନ କୁଟୁଛି ଢିଙ୍କି। ଅଳଙ୍କାରକୁ ଧାରଣ କରିଛି କଳାକୃତି ଖଚିତ ଖମ୍ବ। ଅମାର ଘରେ ସଜେଇ ହୋଇଛି ବିବିଧ ଶସ୍ୟ। ଏଇ କିଛି ଦିନ ହେବ ଆଦିବାସୀ ଗାଁ ପାଲଟିଛି ପ୍ରଦର୍ଶନୀ ପଡ଼ିଆ। ସହରର ଚାକଚକ୍ୟ ଭିତରେ ରହୁଥିବା ସହରବାସୀଙ୍କୁ ଯେମିତି କିମିଆ କରିଛି ଏହି ଆଦିବାସୀ ଗାଁ। ଝାଟିମାଟି ଚାଳ ଛପର ଘର ହୋଇଥିଲେ ହେଁ ଏଇଠି କିଛି ସମୟ ବିତାଇବାର ଲୋଭକୁ ସମ୍ଭାଳି ପାରୁନାହାନ୍ତି ସହରବାସୀ। ଦିନ ୨ଟା ବାଜିବା କ୍ଷଣି ଲୋକାରଣ୍ୟ ହୋଇଯାଉଛି ଆଦିବାସୀ ମେଳା।

ମୁଢ଼ି ମଟନ୍‌ରୁ ମାଣ୍ଡିଆ କାଫେ

ମାଣ୍ଡିଆ ପିଠାଠୁ ନେଇ ଖିରି। ବିଭିନ୍ନ ରକମର ପିଠାରୁ ନେଇ ମୁଆଁ। ପୁଣି ଝାଲ ମଟରଠୁ ନେଇ ମୁଢ଼ି ମଟନ୍‌ ଯାଏଁ; ସବୁକିଛି ଭେଟି ଦେଉଛି ଆଦିବାସୀ ଖାଦ୍ୟ ପ୍ରାଙ୍ଗଣ। ମେଳାରୁ କିଣାକିଣି ସରିବା ପରେ ଖାଦ୍ୟ ପ୍ରାଙ୍ଗଣରୁ ବିଭିନ୍ନ ସୁଆଦିଆ ଖାଦ୍ୟ ଖାଇ ଲୋକେ ଫେରୁଛନ୍ତି। ବିଶେଷକରି ମାଂସ ମୁଢ଼ି, ଝାଲ ମଟର ଓ ମାଣ୍ଡିଆ ପ୍ରସ୍ତୁତ ପିଠା ଖାଇବାକୁ ଆଗ୍ରହ ଦେଖାଉଛନ୍ତି। ପାରମ୍ପରିକ ପାନୀୟ ପିଇବା ପାଇଁ ମଧ୍ୟ ବିଶେଷ ଆଗ୍ରହ ପରିଲକ୍ଷିତ ହେଉଛି। ଏଥିସହ ଜନଜାତି ଚିତ୍ରକଳା ଓ ସ୍ଥାପତ୍ୟର ଅପୂର୍ବ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ସହ କିଣିବା ପାଇଁ ଭିଡ଼ ଜମୁଛି।

ଆଦିବାସୀ ଦରବରେ ମନ

ଖାଲି ଯେ ଆଦିବାସୀ ଗାଁ’ର ଅନୁଭବ ନେଉଛନ୍ତି ସେକଥା ନୁହେଁ, ଆଦିବାସୀ ଦ୍ରବ୍ୟ କିଣାବିକାରେ ମଧ୍ୟ ପ୍ରତିଯୋଗିତା ଦେଖିବାକୁ ମିଳିଛି। ହଳଦୀ, ମାଣ୍ଡିଆ, ଫୁଲବଡ଼ି, ମହୁ, ଝୁଣା, ପାଳୁଅ, କାନ୍ଦୁଲ, ଦେଶୀ ଚାଉଳ, କନ୍ଦମୂଳ କିଣିବାକୁ ଆଦିବାସୀ ହାଟ ପ୍ରାଙ୍ଗଣ ଲୋକାରଣ୍ୟ ହେଉଛି। ଯିଏ ବି ଯାଉଛି, ହାତରେ ଥଳି ଧରି ଫେରୁଛି। ସୁହାଇବା ଭଳି ଦର ଏବଂ ଖାଣ୍ଟି ଦରବ ହୋଇଥିବାରୁ ଏହି ମେଳାରୁ କିଣାକିଣି ପାଇଁ ଅନେକ ଦିନରୁ ଅପେକ୍ଷା କରିଥିବାରୁ ଏହା ସେମାନଙ୍କ ପାଇଁ ସୁଯୋଗ ଆଣି ଦେଇଛି। ଅନେକ ଜନଜାତି ନିଜ ପାରମ୍ପରିକ ପୋଷାକ ପରିଧାନ କରି ବିକ୍ରିବଟା କରୁଥିବାରୁ ଏହା ମେଳାର ଶୋଭାକୁ ଦ୍ବିଗୁଣିତ କରୁଛି।

ସମ୍ବନ୍ଧିତ ଖବର