ଆଦିବାସୀ ବୁଲିଲେ ଆଦିବାସୀ ମେଳା

ଭୁବନେଶ୍ବର: ସେମାନେ ଆଦିବାସୀ। ମାତ୍ର ଆଜି ଆଦିବାସୀ ମେଳା ବୁଲିବା ପରେ ଏକ ଅଜବ ରୋମାଞ୍ଚରେ ରୋମାଞ୍ଚିତ ହୋଇପଡ଼ୁଥିଲେ। ରାଜଧାନୀରୁ ୨୫ କିଲୋମିଟର ଦୂରରେ ରହୁଥିବା କୋହ୍ଲ ଜନଜାତିରେ ୨୬ ଜଣ ଆଜି ପ୍ରଦର୍ଶନୀ ପଡ଼ିଆରେ ଚାଲିଥିବା ଆଦିବାସୀ ଗାଁରେ ତାଙ୍କ ଭଳି ଅନ୍ୟ ଜନଜାତି ସମୂହଙ୍କ ଘର ଦେଖି ବିଭୋର ହୋଇଥିଲେ। ମାଣ୍ଡିଆରେ ତିଆରି ସୁପ୍‌ ଓ ପିଠା ଚାଖିଥିଲେ। ସ୍ବୟଂ ସହାୟିକା ଗୋଷ୍ଠୀ କିଭଳି ଆଦିବାସୀ ମେଳାରେ ବେପାର କରି ଅର୍ଥ ରୋଜଗାର କରୁଛନ୍ତି, ଏହା ଦେଖି କିଛି ଜନଜାତିର ଲୋକେ ଉତ୍ସାହିତ ହୋଇଥିଲେ।
ଜୀବନରେ କେବେ ଆଦିବାସୀ ମେଳା ବୁଲିବାର ସୁଯୋଗ ପାଇନଥିଲେ। ତେଣୁ ଏହିଭଳି ଏକ ମେଳା ସମ୍ପର୍କରେ ଶୁଣି ପ୍ରଥମଥର ପାଇଁ ବୁଲିବାକୁ ଆଗ୍ରହ ପ୍ରକାଶ କରିଥିଲେ। ତେଣୁ ସାମାଜିକ କର୍ମୀ ସୁଶାନ୍ତ ସାହୁଙ୍କ ଉଦ୍ୟମରେ ସନ୍ତୋଷ କୁମାର ସାହୁ, ରଂଜନ କୁମାର ସାହୁ କନ୍ଦଳେଇ ଗ୍ରାମର କିଛି ବାସିନ୍ଦାଙ୍କୁ ନେଇ ଆଦିବାସୀ ମେଳା ବୁଲାଇଥିଲେ। ଆଦିବାସୀ ମେଳା ବାବଦରେ ଆଗରୁ ଶୁଣିଥିଲେ ହେଁ କେବେ ଦେଖିବାର ସୁଯୋଗ ନଥିଲା। ଦେଖିବା ପରେ ଅନେକ କିଛି ଜାଣିବା ସହ ଶିଖିବାର ସୁଯୋଗ ମିଳିଲା ବୋଲି କନ୍ଦଳେଇ ଗାଁ’ର ମୁଖିଆ ଲୁନ୍ଦୁରୁ କୁଙ୍କାଲ୍‌ କହିଛନ୍ତି। ସମାଜସେବୀ ପ୍ରିୟବ୍ରତ ପଣ୍ଡା, ମହେନ୍ଦ୍ର କୁମାର ସାହୁ, ତ୍ରିଲୋଚନ ବେଉରା, ଭରତ ଚନ୍ଦ୍ର ସାହୁ, ପ୍ରଦୀପ୍ତ ରଂଜନ ରାଉତ ପ୍ରମୁଖ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର