ଜେଲ୍‌ରେ ଲାଗିବ ଅତ୍ୟାଧୁନିକ ଟେଲିଫୋନ୍‌, ପରୀକ୍ଷାମୂଳକ ଭାବେ ଝାରପଡ଼ାରୁ ଆରମ୍ଭ

ଭୁବନେଶ୍ୱର: ଜେଲ୍‌ ସୁଧାର କାର୍ଯ୍ୟକ୍ରମରେ ଯୋଡ଼ି ହେବାକୁ ଯାଉଛି ନୂଆ ଫର୍ଦ୍ଦ। ରାଜ୍ୟର ଜେଲ୍‌ଗୁଡ଼ିକରେ ପ୍ରଥମ ଥର ପାଇଁ ‘ଅଟୋମେଟିକ୍‌ ରେଷ୍ଟ୍ରିକ୍‌ଟେଡ୍‌ ଟେଲିଫୋନିକ୍‌ ସିଷ୍ଟମ୍‌’(ଏଆର୍‌ଟିଏସ୍‌) ବ୍ୟବସ୍ଥା ପ୍ରଚଳିତ ହେବାକୁ ଯାଉଛି। ଆସନ୍ତା ବୁଧବାର ଝାରପଡ଼ା ଜେଲ୍‌ରେ ଏହି ବ୍ୟବସ୍ଥାର ପରୀକ୍ଷଣ ହେବାକୁ ଯାଉଛି। ଏ ନେଇ ସୂଚନା ଦେଇଛନ୍ତି ଡିଜି(କାରାଗାର) ସତ୍ୟଜିତ ମହାନ୍ତି। ଜେଲ୍‌ ଅନ୍ତେବାସୀଙ୍କ ସହ କଥା ହେଉଥିବା ପରିଜନମାନେ ଏହି ବ୍ୟବସ୍ଥାରେ ବାଧାମୁକ୍ତ କଥା ହେବା ସହ କଏଦୀମାନେ କ’ଣ କଥା ହେଲେ ଜେଲ୍‌ କର୍ତ୍ତୃପକ୍ଷଙ୍କ ପାଖରେ ତାହାର ରେକର୍ଡ ମଧ୍ୟ ରହିପାରିବ। ବୁଧବାର ଏହି ପରୀକ୍ଷଣ ସଫଳ ହେଲେ ପ୍ରାଥମିକ ପର୍ଯ୍ୟାୟରେ ସମସ୍ତ ସର୍କଲ ଜେଲ୍‌ରେ ଏହି ବ୍ୟବସ୍ଥା କାର୍ଯ୍ୟକ୍ଷମ ହେବ ବୋଲି ଶ୍ରୀ ମହାନ୍ତି କହିଛନ୍ତି।
କାରାଗାର ଅନ୍ତେବାସୀମାନଙ୍କୁ ପରିଜନଙ୍କ ସହ କଥାବାର୍ତ୍ତା ହେବା ପାଇଁ ବ୍ୟବସ୍ଥା ରହିଛି। ଏକ ନିର୍ଦ୍ଦିଷ୍ଟ ସମୟରେ ସେମାନଙ୍କୁ ସୁଯୋଗ ଦିଆଯାଉଛି। ଏକାଠି ଅନେକ ଲୋକ ବଡ଼ପାଟିରେ କଥା ହେଉଥିବାରୁ କାହା କଥା କେହି ଶୁଣି ପାରୁ ନ ଥିବା ଅଭିଯୋଗ ହେଉଛି। ଫୋନ୍‌ କରିବା ବ୍ୟବସ୍ଥା ସୀମିତ ଥିବା ବେଳେ ଅଧିକ କଏଦୀ ଫୋନ୍‌ କରିବାକୁ ଚାହୁଥିବାରୁ ସମସ୍ୟା ହେଉଛି। ଫୋନ୍‌ କରିବା ପାଇଁ ଜଣେ କଏଦୀକୁ କେତେ ସମୟ ଦିଆଯିବ ତାହା ଆନୁଷ୍ଠାନିକ ଭାବେ ଧାର୍ଯ୍ୟ ହୋଇ ନ ଥିବାରୁ କିଏ ଦୀର୍ଘ ସମୟ ଧରି କଥା ହେଉଛି ତ ଆଉ କିଏ କଥା ହେବାକୁ ସୁଯୋଗ ପାଉନାହିଁ। ଅନ୍ୟପଟେ କିଏ, କେଉଁଦିନ, କାହା ସହିତ, କ’ଣ କଥା ହେଲା, ତାହା କାରାଗାର କର୍ତ୍ତୃପକ୍ଷ ଜାଣିବାକୁ ସକ୍ଷମ ହେଉନାହାନ୍ତି। ଏହି ବ୍ୟବସ୍ଥାକୁ ଶୃଙ୍ଖଳିତ କରିବା ପାଇଁ ଜେଲ୍‌ରେ ଏହି ଏଆର୍‌ଟିଏସ୍‌ ବ୍ୟବସ୍ଥା ହେବାକୁ ସ୍ଥିର ହୋଇଛି।
କଏଦୀ ବା ବିଚାରାଧୀନ କଏଦୀମାନେ ସର୍ବାଧିକ ତିନିଟି ମୋବାଇଲ ବା ଟେଲିଫୋନ୍‌ ନମ୍ବର ଜେଲ୍‌ କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରିବେ। କର୍ତ୍ତୃପକ୍ଷ ଏହି ନମ୍ବରଗୁଡ଼ିକୁ ଯାଞ୍ଚ କରିବେ। ନମ୍ବରଗୁଡ଼ିକ କେହି ଅପରାଧୀ ବ୍ୟବହାର କରୁଛି କି ନାହିଁ? କଏଦୀ ସହ ମୋବାଇଲ ନମ୍ବର ବ୍ୟବହାରକାରୀର କଣ ସମ୍ପର୍କ? ଏ ସବୁ ଯାଞ୍ଚ କରିବା ପରେ ତାହାର ଉପଯୁକ୍ତ ପରିଚୟ ସଂଗ୍ରହ କରାଯିବ। ଏହା ପରେ ଯାଇ କଏଦୀ ସହ କଥାବାର୍ତ୍ତାର ସୁଯୋଗ ଦିଆଯିବ। ଏହି ବ୍ୟବସ୍ଥାରେ ଇଅର ଫୋନ୍‌ ସହ ମାଇକ୍ରୋଫୋନ୍‌ ରହିବ। ଜଣେ କଏଦୀକୁ ୬ରୁ ୮ ମିନିଟ୍‌ ଦେବାପାଇଁ ଏକ ନିର୍ଦ୍ଦିଷ୍ଟ ସମୟ ଧାର୍ଯ୍ୟ ହେବ। ସେହି ସମୟ ମଧ୍ୟରେ ଫୋନ୍‌ ଅଟୋମେଟିକ୍‌ କଟିଯିବ। ଫଳରେ ନିର୍ଦ୍ଧାରିତ ସମୟରୁ ଅଧିକ ସମୟ କେହି କଥା ହୋଇ ପାରିବେ ନାହିଁ। ଅନ୍ୟପଟେ କଥାବାର୍ତ୍ତାର ସମସ୍ତ ରେକର୍ଡ ରହିବ। ପରବର୍ତ୍ତୀ ସମୟରେ କୌଣସି ଅପରାଧକୁ ନେଇ ଖୋଳତାଡ଼ ହେ‌ଲେ ବା କଏଦୀ କ’ଣ କଥା ହୋଇଥିଲା ଜାଣିବା ଆବଶ୍ୟକତା ପଡ଼ିଲେ ତାହା ସମ୍ଭବ ହୋଇ ପାରିବ। ଏଥିପାଇଁ ଏକ ସ୍ବୀକୃତିପ୍ରାପ୍ତ ସଫ୍ଟୱେର କମ୍ପାନି ସହ କଥାବାର୍ତ୍ତା କରାଯାଇ ଝାରପଡ଼ାରେ ଏହାକୁ ଦୁଇଦିନ ଭିତରେ ସଂସ୍ଥାପନ କରାଯିବାକୁ ବ୍ୟବସ୍ଥା ହୋଇଛି। ବୁଧବାର ବିଧିବଦ୍ଧ ଭାବରେ କାରାଗାର ଡିଜିଙ୍କ ଉପସ୍ଥିତିରେ ଏହି ବ୍ୟବସ୍ଥାର ପରୀକ୍ଷା ମୂଳକ ପ୍ରଚଳନ ହେବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର