ଦେଢ଼ ମାସ ପରେ ଟପର୍‌ ତାଲିକା

ଉତ୍କଳ ବିଶ୍ୱବିଦ୍ୟାଳୟର ଯୁକ୍ତ୩ ବ୍ୟାକ୍‌ ପରୀକ୍ଷା ଫଳ ପ୍ରକାଶ

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନ ଯୁକ୍ତ ୩ କଲେଜଗୁଡ଼ିକର କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗର ବ୍ୟାକ୍‌ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ଗତ ଏପ୍ରିଲ ୨୪ରେ ରେଗୁଲାର ଛାତ୍ରଛାତ୍ରୀଙ୍କ ରେଜଲ୍ଟ ବାହାରିଥିଲା। ଉଭୟ ରେଗୁଲାର ଓ ବ୍ୟାକ୍‌ ପରୀକ୍ଷା ଫଳକୁ ମିଶାଇ ପ୍ରକାଶ ପାଇଥିବା ରେଜଲ୍ଟରେ ବିଜ୍ଞାନ ବିଭାଗ ପାସ୍‌ହାର ସର୍ବାଧିକ ରହିଛି। ବିଜ୍ଞାନରେ ମୋଟ ୧୧,୭୫୯ ପିଲା ପରୀକ୍ଷା ଦେଇଥିବା ବେଳେ ୧୦,୩୩୫ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ପାସ୍‌ହାର ୮୮% ରହିଛି। କଳା ବିଭାଗରେ ୩୪,୩୦୫ ଜଣ ପରୀକ୍ଷା ଦେଇଥିବା ବେଳେ ୨୮,୬୯୮ ଜଣ କୃତକାର୍ଯ୍ୟ ହୋଇଛନ୍ତି, ପାସ୍‌ହାର ୮୪% ରହିଛି। ବାଣିଜ୍ୟରେ ପରୀକ୍ଷା ଦେଇଥିବା ୬୧୦୦ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୪,୯୯୫ ଜଣ କୃତକାର୍ଯ୍ୟ ହୋଇଛନ୍ତି। ପାସ୍‌ହାର ୮୨% ରହିଛି।

ଆଜି ପ୍ରକାଶିତ ବ୍ୟାକ୍‌ ପେପର୍‌ ପରୀକ୍ଷା ଫଳରେ ବିଜ୍ଞାନ ବିଭାଗରେ ବ୍ୟାକ୍‌ ପେପର ଦେଇଥିବା ୭୨୨୫ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୬୦୪୩ ଜଣ ପାସ୍‌ କରିଛନ୍ତି। ସମ୍ମାନରେ ୩୩୩୧ ପରୀକ୍ଷା ଦେଇଥିବା ବେଳେ ୨୯୩୧ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ପାସ୍‌ରେ ପରୀକ୍ଷା ଦେଇଥିବା ୩୮୯୪ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୩୧୧୨ ଜଣ କୃତକାର୍ଯ୍ୟ ହୋଇଛନ୍ତି। କଳା ବିଭାଗରେ ୧୭,୮୬୫ ଜଣ ବ୍ୟାକ୍‌ ଦେଇଥିବା ବେଳେ ୧୩,୯୦୫ ଜଣ ପାସ୍‌ କରିଛନ୍ତି। ସମ୍ମାନରେ ପରୀକ୍ଷା ଦେଇଥିବା ୮୩୨୧ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୬୯୭୦ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ପାସ୍‌ରେ ପରୀକ୍ଷା ଦେଇଥିବା ୯୫୪୪ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୬୯୩୫ ଜଣ କୃତକାର୍ଯ୍ୟ ହୋଇଛନ୍ତି। ବାଣିଜ୍ୟ ବିଭାଗରେ ବ୍ୟାକ୍‌ ପରୀକ୍ଷା ଦେଇଥିବା ୪୧୫୪ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୩୨୭୬ ଜଣ ପାସ୍‌ କରିଛନ୍ତି। ସମ୍ମାନରେ ୧୫୪୦ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୩୦୦ ଜଣ ଓ ପାସ୍‌ରେ ୨୬୧୪ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୯୭୬ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରାସ୍ଥିତ ଲୋକନାଥ ମହାବିଦ୍ୟାଳୟର ବିଜ୍ଞାନ ବିଭାଗର ଗଣିତ ବିଷୟ ଛାତ୍ରୀ ଋତୁଶ୍ରୀ ସମନ୍ତସିଂହାର ବିଜ୍ଞାନ ବିଭାଗରେ ଟପର୍‌ ହୋଇଛନ୍ତି। ସେ ୧୪୩୮ ମାର୍କ ରଖିଛନ୍ତି। ସେହିପରି କଳାରେ ରାଜଧାନୀ କଲେଜର ଇଂରାଜୀ ବିଷୟ ଛାତ୍ରୀ ରଚିତା ସୁଲଗ୍ନା ପ୍ରଧାନ ୧୪୦୬ ମାର୍କ ରଖି ଟପର୍‌ ଓ ଡିଏଭି ସ୍କୁଲ ଅଫ୍‌ ବିଜନେସ୍‌ର ଆକାଉଣ୍ଟିଂ ବିଷୟର ଛାତ୍ର ସିଦ୍ଧାର୍ଥ ଶଙ୍କର ପଣ୍ଡା ୧୩୩୮ ନମ୍ବର ରଖି ବାଣିଜ୍ୟରେ ଟପର୍‌ ହୋଇଥିବା ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ରେଗୁଲାର ପରୀକ୍ଷା ଫଳ ପ୍ରକାଶ ପାଇବାର ୪୯ ଦିନ ପରେ ଟପର୍‌ ତାଲିକା ପ୍ରକାଶକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଟପର୍‌ ତାଲିକା ପ୍ରକାଶରେ କିଛି ଘୋଟାଲା ହୋଇଥିବା ନେଇ ସେମାନେ ଆଶଙ୍କା ପ୍ରକାଶ କରିଛନ୍ତି। ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ପ୍ରଦୀପ କୁମାର ବେହେରା କହିଛନ୍ତି ଯେ ପୂର୍ବରୁ କେବଳ ରେଗୁଲାର ଛାତ୍ରଛାତ୍ରୀଙ୍କ ଫଳ ପ୍ରକାଶ ପାଇଥିଲା। ଏବେ ବ୍ୟାକ୍‌ ପେପର୍‌ ରେଜଲ୍ଟ ବାହାରିଛି। ତେଣୁ ଉଭୟକୁ ରେଜଲ୍ଟ ବାହାରିଲା ପରେ ଆମେ ଟପର୍‌ ତାଲିକା ପ୍ରକାଶ କରିଛୁ।

ୟୁନିଟ୍‌-୮ ଡିଏଭି ସ୍କୁଲ୍‌ ଅଫ୍‌ ବିଜିନେସ୍‌ ମ୍ୟାନେଜ୍‌ମେଣ୍ଟର ସଫଳତା
ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ସହବନ୍ଧିତ ଯୁକ୍ତ୩ କଲେଜର ବାଣିଜ୍ୟ ବିଭାଗ ଶେଷ ବର୍ଷ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ ଆକାଉଣ୍ଟିଂ ଅନର୍ସରେ ଶ୍ରେଷ୍ଠ ୧୦ଟି ସ୍ଥାନ ମଧ୍ୟରୁ ୟୁନିଟ୍‌-୮ସ୍ଥିତ ଡିଏଭି ସ୍କୁଲ୍‌ ଅଫ୍‌ ବିଜିନେସ୍‌ ମ୍ୟାନେଜ୍‌ମେଣ୍ଟର ଛାତ୍ରଛାତ୍ରୀ ପ୍ରଥମ ୪ଟି ସ୍ଥାନ ସହ ୭ଟି ସ୍ଥାନ ଅକ୍ତିଆର କରିଛନ୍ତି। ଛାତ୍ର ସିଦ୍ଧାର୍ଥ ଶଙ୍କର ପଣ୍ଡା ୮୦.୮୦% ନମ୍ବର ରଖି ବାଣିଜ୍ୟ ବିଭାଗରେ ବିଶ୍ୱବିଦ୍ୟାଳୟ ଟପର୍‌ ହୋଇଛନ୍ତି। ଛାତ୍ରୀ ଭୂମିକା ପଟେଲ୍‌ ୮୦.୫୦% ରଖିଥିବା ବେଳେ ଐଶ୍ୱର୍ଯ୍ୟା ମିଶ୍ର ୭୮.୪୦%, ରାଧିକା ଶର୍ମା ୭୮.୧୦%, ପୂଜା ସିହ୍ନା ୭୭.୧୦%, ପଦ୍ମଜା ରାଜବଂଶୀ ୭୬.୯୦% ଓ ପୂଜା ଅଗ୍ରଓ୍ଵାଲ ୭୬.୪୦% ନମ୍ବର ରଖିଛନ୍ତି। ଶିକ୍ଷାନୁଷ୍ଠାନର ପାସ୍‌ହାର ଶତ ପ୍ରତିଶତ ରହିଛି। ୯୪% ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ଏହି ସଫଳତା ପାଇଁ ଅନୁଷ୍ଠାନର ସଭାପତି ମଦନ ମୋହନ ପଣ୍ଡା ଓ ଅଧ୍ୟକ୍ଷ ଡ. ଡି.ଏନ୍‌. ମିଶ୍ର କୃତୀ ଛାତ୍ରଛାତ୍ରୀ, ଅଭିଭାବକ, ଅଧ୍ୟାପକ, ଅଧ୍ୟାପିକାଙ୍କୁ ସାଧୁବାଦ ଜଣାଇଛନ୍ତି।

ସମ୍ବନ୍ଧିତ ଖବର