୧୨ଟା ପରେ ସବୁ ସ୍ବାଭାବିକ

ଭୁବନେଶ୍ବର: ବିଭିନ୍ନ ଶ୍ରମିକ ସଙ୍ଗଠନ ପକ୍ଷରୁ ୧୨ଦଫା ଦାବି ନେଇ ଡକାଯାଇଥିବା ୪୮ଘଣ୍ଟିଆ ଧର୍ମଘଟ ଶେଷ ହୋଇଛି। ପ୍ରଥମ ଦିନ ଧର୍ମଘଟର ପ୍ରଭାବରେ ରାଜଧାନୀରେ ଶାନ୍ତିପୂର୍ଣ୍ଣ ବନ୍ଦ ଦେଖିବାକୁ ମିଳିଥିଲା। ଦ୍ବିତୀୟ ଦିନରେ କିନ୍ତୁ ପ୍ରଥମ ଦିନ ଭଳି ପ୍ରଭାବ ଦେଖିବାକୁ ମିଳିନି। ସକାଳୁ ସକାଳୁ ବିଭିନ୍ନ ଶ୍ରମିକ ସଂଗଠନ ଓ ବାମ ଦଳଗୁଡ଼ିକ ପକ୍ଷରୁ ରେଳ ରୋକ ସହ ବିଭିନ୍ନ ଛକରେ ପିକେଟିଂ କରାଯାଇଥିଲା। କିଛି ସ୍ଥାନରେ ଲୋକଙ୍କୁ ଅଟକାଇ ବିକ୍ଷୋଭକାରୀମାନେ ହଟ୍ଟଗୋଳ କରିଥିଲେ। ଫଳରେ କେତେକ ପ୍ରମୁଖ ରାସ୍ତାରେ କିଛି ସମୟ ପାଇଁ ଯାତାୟାତ ପ୍ରଭାବିତ ହୋଇଥିଲା। ହେଲେ କୌଣସି ପ୍ରକାରର ଅଘଟଣ ଘଟି ନଥିବା କମିସନରେଟ୍ ପୁଲିସ ପକ୍ଷରୁ କୁହାଯାଇଛି। ସକାଳୁ ସକାଳୁ ବିଭିନ୍ନ ବାମ ଦଳ ଓ ଶ୍ରମିକ ସଂଗଠନ ପକ୍ଷରୁ ରେଳ ରୋକ କରାଯିବା ସହ ନୂଆପଲ୍ଲୀ, ରାଜମହଲ, ରାଜଭବନ, ପଟିଆ ଛକରେ ପିକେଟିଂ କରାଯାଇଥିଲା। ଏହି ସମୟରେ ରାସ୍ତାରେ ବାଇକ୍ ଓ ସ୍କୁଟିରେ ଯାଉଥିବା ଲୋକଙ୍କୁ ବି ବିକ୍ଷୋଭକାରୀ ଛାଡ଼ି ନଥିଲେ। ଆଜି ଟିୟୁସିଆଇ, ପାର୍ଲେଜି ଲିଙ୍ଗରାଜ ବିସ୍କୁଟ୍‌ସ ୱାର୍କର୍ସ ୟୁନିଅନ, ଅଲ୍‌ ଓଡ଼ିଶା ଶିଳ୍ପ ମହାସଂଘର ୫୦୦ରୁ ଅଧିକ ଶ୍ରମିକ ପଟିଆ ଅଞ୍ଚଳରେ ପିକେଟିଂ କରି ବିଭିନ୍ନ ଅନୁଷ୍ଠାନକୁ ବନ୍ଦ କରିଥିଲେ। ଏହାପରେ ପଟିଆ ଛକରେ ରାସ୍ତା ବନ୍ଦ କରିଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ରାସ୍ତା ଅବରୋଧ ହଟାଇଥିଲେ। ପ୍ରାୟ ୩୦୦ଜଣଙ୍କୁ ଅଟକ ରଖିଥିଲା। ଟିୟୁସିଆଇର ରାଜ୍ୟ ସମ୍ପାଦକ ଶିବରାମ କହିଛନ୍ତି ଯେ, ଦୁଇଦିନିଆ ଧର୍ମଘଟ ସଫଳ ହୋଇଛି। ଆଜିର ଧର୍ମଘଟର ପ୍ରଭାବ ମଧ୍ୟାହ୍ନ ୧୨ଟା ପରେ ଦେଖିବାକୁ ମିଳି ନଥିଲା। ସବୁ ସ୍ବାଭାବିକ ହୋଇ ଯାଇଥିଲା। ଲୋକମାନେ କାର୍‌ ଓ ବାଇକ୍‌ରେ ଯାତାୟାତ କରୁଥିଲେ। ମୋ ବସ୍‌ ଚଳାଚଳ ବନ୍ଦ ଥିବାରୁ ଲୋକମାନେ ଅଟୋ ଉପରେ ନିର୍ଭର କରିଥିଲେ। ଆଜି ବି ପ୍ରାୟ ସମସ୍ତ ପେଟ୍ରୋଲ ପମ୍ପ ବନ୍ଦ ଥିବାରୁ ଲୋକମାନେ ବହୁ ହଇରାଣ ହୋଇଥିଲେ। ପେଟ୍ରୋଲ ପମ୍ପ ସମ୍ମୁଖରେ ବସିଥିବା ଖୁଚୁରା ବ୍ୟବସାୟୀଙ୍କଠାରୁ ପେ‌ଟ୍ରୋଲ ଲିଟର ପିଛା ୧୦୦ଟଙ୍କା ଦେଇ କିଣୁଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର