ଭୁବନେଶ୍ବର: ଜୁନ ୨ ତାରିଖ। ଭୁବନେଶ୍ବର ଏୟାରପୋର୍ଟର ଟର୍ମିନାଲ। ଜଣେ ପ୍ରବାସୀ ଭାରତୀୟ ନିରଜ ଚନ୍ଦନ ଲୁଟ୍ର ଶିକାର ହେଲେ। ତାଙ୍କ ବ୍ୟାଗ ଭିତରୁ ୫ ଲକ୍ଷ ଟଙ୍କା, ସୁନାଗହଣା, ପାସପୋର୍ଟ ଓ ଅନେକ ଗୁରୁତ୍ବପୂର୍ଣ କାଗଜପତ୍ର ଚୋରି ହୋଇ ଯାଇଥିଲା। ଏ ନେଇ ନିରଜ ଏୟାରଫିଲଡ୍ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଏପିରିକି ବିମାନବନ୍ଦରରେ ଲାଗିଥିବା ସିସି କ୍ୟାମେରାରେ ଲୁଟ୍ର ଲାଇଭ ଦୃଶ୍ୟ ବି ଦେଖିଥିଲା। କିନ୍ତୁ ପୁଲିସ ଏଯାଏଁ ଏହି ଲୁଟ୍ ଘଟଣାର ପର୍ଦାଫାସ କରିବାକୁ ସକ୍ଷମ ହୋଇ ପାରିନାହିଁ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁଯାୟୀ ଘାନା ଦେଶରେ ରହୁଥିବା ନିରଜ ଚନ୍ଦନ ତାଙ୍କ ପତ୍ନୀ ଆଲଫା ଚନ୍ଦନ ଓ ତାଙ୍କ ୨ପୁଅ ସହ ଓଡ଼ିଶାକୁ ବୁଲିବାକୁ ଆସିଥିଲେ। ବିଜୁ ପଟ୍ଟନାୟକ ବନ୍ଦରରେ ସେ ରାତି ପ୍ରାୟ ୮ଟାରେ ଓହ୍ଲାଇଥିଲେ। ଏତିକିବେଳେ ନିରଜଙ୍କ ପତ୍ନୀ ଆଲଫା ଚନ୍ଦନ ଅନ୍ୟ ମନସ୍କ ଥିବା ବେଳେ ଲଗେଜ୍ ଟ୍ରଲିରେ ଥିବା ତାଙ୍କ ଭ୍ୟାନିଟ୍ ବ୍ୟାଗ୍ କେହି ଦୁର୍ବୃତ୍ତ ଆଖି ପିଛୁଳାକେ ଚୋରି କରି ନେଇଥିଲା। ସେ ଟର୍ମିନାଲରେ ଖୋଜାଖୋଜି କରିଥିଲେ ମଧୢ ତାଙ୍କ ବ୍ୟାଗ୍ର ସନ୍ଧାନ ପାଇନଥିଲେ। ସେଥିରେ ତାଙ୍କର ୩ହଜାର ଡଲାର, ୩ଟି ମୋବାଇଲ୍, ପରିବାରର ସମସ୍ତଙ୍କ ଭିସା ଓ ପାସପୋର୍ଟ ଥିଲା। ଥାନାରେ ଅଭିଯୋଗ ହେବା ପରେ କମିସନରେଟ ପୁଲିସ ଉପରେ ଭରସା କରି ଏକ ସପ୍ତାହ ପର୍ଯ୍ୟନ୍ତ ନିରଜ ଏଠାରେ ହୋଟେଲରେ ରହିଥିଲେ। କିନ୍ତୁ ପୁଲିସ ଲୁଟେରା ଧରିବାରେ ଅସମର୍ଥ ହେବା ପରେ ସେ ଦିଲ୍ଲୀ ଫେରି ଯାଇଥିଲେ। ସେଠାରେ ଥାଇ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ, ପୁଲିସ ଡିଜିଙ୍କୁ ଟୁଇଟ କରିଥିଲେ। ଏତେ ସବୁ ପରେ ମଧ୍ୟ କମିସନରେଟ ପୁଲିସ ଉପରେ ଏହାର କୌଣସି ପ୍ରଭାବ ପଡ଼ିନାହିଁ। ଘଟଣାକୁ ୬ ମାସ ପୂରିଗଲାଣି। ଏହା ମଧ୍ୟରେ ନିରଜ କମିସନରେଟ ପୁଲିସକୁ ଦୁଇ ଦୁଇ ଥର ଯୋଗାଯୋଗ ମଧ୍ୟ କରି ସାରିଲେଣି। କିନ୍ତୁ କେହି ତାଙ୍କ କଥା ଶୁଣୁନାହାନ୍ତି। କେବଳ ଏହି ଘଟଣା କାହିଁକି, ଗତ ବର୍ଷ ୨୦୧୭ମସିହା ମାର୍ଚ ୫ ତାରିଖରେ ଓମାନରୁ ଦିଲ୍ଲୀ ଦେଇ ଫେରୁଥିବା ବେଳେ ଖୋର୍ଧା ଜିଲ୍ଲା ବାଲୁଗାଁର ଅମର ଦାସଙ୍କ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଲଗେଜ୍ ଚୋରି ହୋଇଥିଲା। ୧୦ଦିନ ପରେ ଲଗେଜ୍ଟି ମିଳିଥିଲେ ମଧୢ ସେଥିରୁ ୩ଟି ଦାମୀ ଫୋନ୍ ନଥିଲା। ସେହିପରି ୨୦୧୭ ମସିହାର ଡିସେମ୍ବର ୭ତାରିଖରେ ରାଉରକେଲାର ଦୁଇ ଭଉଣୀ ନେହା ପନସାରୀ ଓ ମୀନାକ୍ଷି ଖଣ୍ତେଲଵାଲଙ୍କ ୩ଲକ୍ଷ ଟଙ୍କାର ଡାଇମଣ୍ତ୍, ୧୦ହଜାର ଟଙ୍କା ଓ ଏଟିଏମ୍ କାର୍ଡ ଚୋରି ହୋଇଥିଲା। ଏନେଇ ସେ ଥାନାରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ ଏହି ଲୁଟପାଟ ଘଟଣା ଉପରୁ ରହସ୍ୟ ଉଠାଇବାକୁ ସକ୍ଷମ ହୋଇ ପାରିନାହିଁ। କଡ଼ା ସୁରକ୍ଷା ବଳୟ ମଧୢରେ ଥିବା ବିମାନବନ୍ଦର ଟର୍ମିନାଲରୁ କିଭଳି ଚୋରି ହେଉଛି ତାହା ଏବେ ସମସ୍ତଙ୍କ ବିଚଳିତ କରିଛି। ବିମାନବନ୍ଦର ଭିତରେ ଏଭଳି ଲୁଟପାଟ, ଚୋରି ଓ ବିମାନବନ୍ଦର ନିକଟରେ ଛିନତାଇ ଭଳି ଅପରାଧ ବଢ଼ିବାରୁ କମିସନରେଟ ପୁଲିସ ପକ୍ଷରୁ ଗତ କିଛି ଦିନ ତଳେ ବିମାନବନ୍ଦର ଥାନା ପ୍ରତିଷ୍ଠା କରାଯାଇଥିଲା। ସ୍ବତନ୍ତ୍ର ଭାବେ ବିମାନବନ୍ଦର ସଂକ୍ରାନ୍ତୀୟ ଅପରାଧ ମାମଲାର ଅନୁସନ୍ଧାନ କରିବାକୁ ଏହି ଥାନାକୁ ଦାୟିତ୍ବ ଦିଆଯାଇଛି। କିନ୍ତୁ ଥାନା ପ୍ରତିଷ୍ଠା ହେବାକୁ ଦୁଇ ସପ୍ତାହରୁ ଅଧିକ ହୋଇ ଗଲାଣି। କିନ୍ତୁ ପୁଲିସ ଏସବୁ ଅପରାଧ ଉପରେ ଏବେ ସୁଦ୍ଧା ନଜର ପକାଇ ନାହିଁ। ଏ ସମ୍ପର୍କରେ ବିମାନବନ୍ଦର ଥାନା ଇନ୍ସପେକ୍ଟର ବଳରାମ ନାୟକ କହିଛନ୍ତି ପୁଲିସ ଏକ ବିଶ୍ବକପି ହକି ପାଇଁ ବ୍ୟସ୍ତ ଅଛି। ହକି ବିଶ୍ବକପ ପରେ ବିମାନବନ୍ଦରରେ ଘଟିଥିବା ସମସ୍ତ ଅପରାଧର ତଦନ୍ତ ଆରମ୍ଭ ହେବ।