ତେୟାଅଶୀ ବର୍ଷ ପରେ ବି ସ୍ବପ୍ନ ଅଧୁରା, ବନ୍ଦେ ଉତ୍କଳ ଜନନୀ…କୁ ମାନ୍ୟତା କେବେ?

ଭୁବନେଶ୍ବର(ସତ୍ୟନାରାୟଣ ରାଉତରାୟ): ତେୟାଅଶୀ ବର୍ଷ ତଳେ ଓଡ଼ିଆଙ୍କୁ ନେଇ ସ୍ବତନ୍ତ୍ର ରାଜ୍ୟର ପରିକଳ୍ପନା ସାକାର ରୂପ ନେଲା। ଉତ୍କଳର ବରପୁତ୍ରମାନଙ୍କ ଉଦ୍ୟମର ଫଳଶ୍ରୁତି ସ୍ବରୂପ ୧୯୩୬ ମସିହା ଏପ୍ରିଲ୍‌ ପହିଲାରେ ଓଡ଼ିଶା ପ୍ରଥମ ଭାଷା ଭିତ୍ତିକ ରାଜ୍ୟ ହେଲା। ମାତ୍ର ଓଡ଼ିଆତ୍ବକୁ ନେଇ ବରପୁତ୍ରମାନେ ଯେଉଁ ଦୂରଦର୍ଶୀ ସ୍ବପ୍ନ ଦେଖିଥିଲେ ତାହା ଆଜିଯାଏଁ ସାକାର ହେଲାନି। ଉତ୍କଳ ଦିବସ ପାଇଁ ପୂର୍ବଦିନ ସନ୍ଧ୍ୟାରୁ ସଚିବାଳୟ, ବିଧାନସଭାଠୁ ନେଇ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଆଲୁଅମାଳାରେ ଝଲସୁଛି। ଅଥଚ ସବୁ ସରକାରୀ ଫାଇଲ୍‌ ଏଯାଏଁ ଓଡ଼ିଆରେ ଲେଖା ହୋଇପାରିଲା ନାହିଁ। ନାମଫଳକ ଓଡ଼ିଆରେ ଲେଖାଗଲା ନାହିଁ। ସୀମା ବିବାଦ ତୁଟିଲା ନାହିଁ। ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଂଗୀତ ମାନ୍ୟତା ଦିଆଗଲା ନାହିଁ। ଏହା ହୀନମନ୍ୟତା ନା ଦୁଃସ୍ଥ ମାନସିକତା ତାହା ଏଯାଏଁ ବୁଝାପଡ଼ିଲା ନାହିଁ।

ବନ୍ଦେ ଉତ୍କଳ ଜନନୀ…କୁ ମାନ୍ୟତା କେବେ?
କେହି ମାନ୍ୟତା ଦେଉ କି ନଦେଉ, ମାତ୍ର କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ ‘ବନ୍ଦେ ଉତ୍କଳ ଜନନୀ…କୁ ସମ୍ମାନ ଜଣାଇ ସଭା ସମିତିରେ ସ୍ବୀକୃତି ମିଳି ସାରିଛି। ହେଲେ ୧୯୯୪ରୁ ବିଧିବଦ୍ଧ ଭାବେ ରାଜ୍ୟ ସଂଗୀତ ମାନ୍ୟତା ଦେବାକୁ ଯେଉଁ ଉଦ୍ୟମ ଆରମ୍ଭ ହୋଇଥିଲା, ସେଥିପ୍ରତି ଏଯାଏଁ ଦୃଷ୍ଟି ଦିଆଯାଉନାହିଁ। ୧୯୯୪ ମସିହାରେ ଯୁଧିଷ୍ଠିର ଦାସ ବାଚସ୍ପତି ଥିବା ବେଳେ ‘ବନ୍ଦେ ଉତ୍କଳ ଜନନୀ..କୁ ବିଧାନସଭା ଅଧିବେଶନର ଶେଷ ଦିନରେ ଗାଇ ସମ୍ମାନ ଦେବାକୁ ନିଷ୍ପତ୍ତି ହେଲା। ଶରତ କର ଓ ମହେଶ୍ୱର ମହାନ୍ତି ବାଚସ୍ପତି ଥିବା ବେଳେ ଏହି ଗୀତକୁ ରାଜ୍ୟ ସଂଗୀତର ମାନ୍ୟତା ପାଇଁ ପ୍ରକ୍ରିୟା ଆରମ୍ଭ ହେଲା। ବୈଠକ ବସିଲା। ଶ୍ରୀ ମହାନ୍ତି ସଂସ୍କୃତି ମନ୍ତ୍ରୀ ଥିବା ବେଳେ ବି ବୈଠକ ବସିଲା। ୩ଥର ବୈଠକ ପରେ ବି ଫଳପ୍ରଦ ହେଲା ନାହିଁ। ‘ବନ୍ଦେ ଉତ୍କଳ ଜନନୀ..କୁ କିଭଳି ବୋଲାଯିବ ସେ ସମ୍ପର୍କରେ କେବଳ ୪ଟି ନିଷ୍ପତ୍ତି ହେଲା। ଗୀତର ପ୍ରଥମ, ଚତୁର୍ଥ ଓ ଷଷ୍ଠ ପଦ ରାଜ୍ୟ ସଂଗୀତ ଭାବେ ବୋଲାଯିବ ବୋଲି ସ୍ଥିର ହେଲା। ଆକାଶବାଣୀରେ ସଂଗୀତ ସୁଧାକର ବାଳକୃଷ୍ଣ ଦାଶ ଗାଇଥିବା ମୂଳ କଣ୍ଠସ୍ୱର ଏହାର ସ୍ୱର ହେବ ବୋଲି ଥୟ ହେଲା। ୯୦ ସେକେଣ୍ଡ୍‌ ମଧ୍ୟରେ ଗାନ କରାଯିବ ଏବଂ ଗାଇବା ସମୟରେ ସମସ୍ତେ ଦଣ୍ଡାୟମାନ ହେବେ ବୋଲି ସ୍ଥିର ହେଲା। ସଂଗୀତକୁ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ପକ୍ଷରୁ ସ୍ୱର କରାଯିବା ପରେ ସଂସ୍କୃତି ବିଭାଗ ଏହାକୁ ଗୃହୀତ କରିବା ପାଇଁ ଗୃହ ବିଭାଗକୁ ପଠାଇଲା। କିନ୍ତୁ ଗୃହ ବିଭାଗ ସଂସ୍କୃତି ବିଭାଗ ନିକଟରୁ ଏଭଳି କୌଣସି ଚିଠି ପାଇନାହିଁ ଏବଂ ରାଜ୍ୟ ସଂଗୀତ ଭାବେ ମାନ୍ୟତା ଦେବା ପାଇଁ ଆମର ଅଧିକାର ନାହିଁ ବୋଲି ସୂଚାଇ ଦେଲା। ଏନେଇ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ଅଧ୍ୟକ୍ଷତାରେ ସଚିବାଳୟରେ ଏକ ବୈଠକ ବି ବସିଥିଲା। ଏ ସଂକ୍ରାନ୍ତରେ ଅଧିକ ତର୍ଜମା ପାଇଁ ଆଇନ ସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ ହେଲା। କର୍ଣ୍ଣାଟକ, ବିହାର ଓ ଆସାମ ଢାଞ୍ଚାକୁ ଗ୍ରହଣ କରାଯିବ ବୋଲି ନିଷ୍ପତ୍ତି ହେଲା। କିନ୍ତୁ ଏଯାଏଁ ମାନ୍ୟତା ପାଇପାରିଲା ନାହିଁ। ତେଣୁ ଏହି ସଂଗୀତ ଗାୟନ ବେଳେ ଉପସ୍ଥିତ ବ୍ୟକ୍ତିବିଶେଷ ସେଠାରେ ଦଣ୍ଡାୟମାନ ତ ହେଉଛନ୍ତି କିନ୍ତୁ ବୈଠକରେ ନିଆଯାଇଥିବା ଆଉ ୩ଟି ନିଷ୍ପତ୍ତିକୁ ଗ୍ରହଣ କରାଗଲା ନାହିଁ। ବାସ୍ତବରେ ମାନ୍ୟତା ମିଳିନଥିବାରୁ ଏସବୁ କେହି ବି ପାଳନ କରୁନାହାନ୍ତି।

ଘୋଷଣାରେ ସୀମିତ ନାମଫଳକ ନିର୍ଦେଶନାମା
ଓଡ଼ିଆରେ ନାମ ଫଳକ ଲେଖିବା ପାଇଁ ନିର୍ଦେଶନାମା ଜାରି ହେଲା। ୨୦୧୧ ମସିହା ଅଗଷ୍ଟ ୨୯ରୁ ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ଏନେଇ ପ୍ରକ୍ରିୟା ଆରମ୍ଭ ହେଲା। କଟକର ବାଣିଜ୍ୟ କର ଆୟୋଗକୁ ଚିଠି କରାଗଲା ଯେ ସମସ୍ତ ବ୍ୟାବସାୟିକ ପ୍ରତିଷ୍ଠାନର ନାମଫଳକ ଓଡ଼ିଆରେ ଲେଖାହେବ। ପରିବହନ ବ୍ୟବସ୍ଥାକୁ ମଧ୍ୟ ଚିଠି କରାଗଲା। ସମସ୍ତ କାର୍ଯ୍ୟାଳୟକୁ ଓ ଜିଲ୍ଲାପାଳଙ୍କୁ ଏ ସମ୍ବନ୍ଧରେ ପ୍ରତିଷ୍ଠାନ ପକ୍ଷରୁ ଚିଠି ହେଲା। ବାରମ୍ବାର ଏ ସମ୍ବନ୍ଧରେ ମନେ ପକେଇ ଦେବାରୁ ଅଧିକାଂଶ କାର୍ଯ୍ୟାଳୟର ନାମଫଳକ ଇଂରାଜୀ ସହ ଓଡ଼ିଆରେ ଲେଖା ହୋଇଛି ସତ, ମାତ୍ର ବ୍ୟାବସାୟିକ ପ୍ରତିଷ୍ଠାନ ଏହାକୁ ଗୁରୁତ୍ବ ଦେଲେ ନାହିଁ। ସଚେତନତା ଯେ ଆସିନି ସେ କଥା ନୁହେଁ, କିନ୍ତୁ ଯେତିକି ହେବା କଥା ହେଲା ନାହିଁ।

ସୀମା ଉପରେ ଲୋଲୁପ ଦୃଷ୍ଟି
କୋରାପୁଟର କୋଟିଆ ଗ୍ରାମପୁଞ୍ଜ ଉପରେ ଆନ୍ଧ୍ରପ୍ରଦେଶ ଲୋଲୁପ ଦୃଷ୍ଟି ପକାଇଛି। ଉଭୟ ଓଡ଼ିଶା ଓ ଆନ୍ଧ୍ର‌ପ୍ରଦେଶ ଏହାକୁ ନିଜର ବୋଲି ଦାବି କରି ଆସୁଛନ୍ତି। ସରକାରୀ ସେବା ବି ସେଇ ଅନୁଯାୟୀ ଯୋଗାଇ ଦିଆଯାଉଛି। ମାମଲା ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଯାଇଥିଲେ ବି ସୀମା ବିବାଦ ସମାଧାନ ହୋଇପାରିନାହିଁ। ପଶ୍ଚିମବଙ୍ଗ ଶଙ୍ଖମେଦି ଗ୍ରାମ ଓ ଉଦୟପୁର ବେଳାଭୂମି ଉପରେ ଦୃଷ୍ଟି ପକାଇଛି। ଛତିଶଗଡ଼ ତା ରାଜ୍ୟର କିଛି ଭୂମିହୀନକୁ ଓଡ଼ିଶାର ଜମିକୁ ଟେକି ଦେଇ ବାଃବାଃ ନେଉଛି ବୋଲି ଉତ୍କଳ ସମ୍ମିଳନୀର ମଞ୍ଚେଶ୍ବର ଶାଖା ସଭାପତି ଦିଲ୍ଲୀପ ଦାଶଶର୍ମା କହିଛନ୍ତି। ବିଚ୍ଛିନ୍ନାଞ୍ଚଳରେ ଓଡ଼ିଆ ଭାଷାକୁ ବଞ୍ଚେଇ ରଖିବା ପାଇଁ କିନ୍ତୁ ଏବେ ବି ୬୦୦ରୁ ଓଡ଼ିଆ ଲିପି ଶିକ୍ଷା କେନ୍ଦ୍ର ଚାଲିଛି। ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗରେ ଓଡ଼ିଆ ଦ୍ବିତୀୟ ରାଜଭାଷା ମାନ୍ୟତା ପାଇଛି। କିନ୍ତୁ ଛତିଶଗଡ଼ରେ ପାଖାପାଖି ୫୦ ପ୍ରତିଶତ ଓଡ଼ିଆ ବସବାସ କରୁଥିଲେ ହେଁ ସେଠାରେ ଓଡ଼ିଆ ଦ୍ବିତୀୟ ରାଜଭାଷା ମାନ୍ୟତା ପାଇପାରିନାହିଁ ବୋଲି ଶ୍ରୀ ଦାଶଶର୍ମା କହିଛନ୍ତି।

ଏପ୍ରିଲ୍‌ ଫୁଲ୍‌ ନା ଉତ୍କଳ ଦିବସ?
ଓଡ଼ିଆଙ୍କ ପାଇଁ ମହତ୍ତ୍ୱ ରଖୁଥିବା ଏହି ଉତ୍କଳ ଦିବସରେ କାହାକୁ ବୋକା ବନେଇ ଏପ୍ରିଲ୍‌ ଫୁଲ୍‌ କରିବା ନା ଶୁଭେଚ୍ଛା ଜଣାଇ ଗର୍ବ ଅନୁଭବ କରିବା? ଓଡ଼ିଶାର ବ୍ୟକ୍ତିବିଶେଷ ଓ ଯୁବବର୍ଗ ସୋସିଆଲ୍‌ ମିଡିଆରେ ଏବେ ଯେଉଁ ଅନୁପାତରେ ଆଡ୍‌ଭାନ୍‌ସ ଏପ୍ରିଲ୍‌ ଫୁଲ୍‌ ବାର୍ତା ପଠାଉଛନ୍ତି ସେହି ତୁଳନାରେ ଉତ୍କଳ ଦିବସର ବାର୍ତା ଗୌଣ। ଏହି ପରିପ୍ରେକ୍ଷୀରେ ଓଡ଼ିଆମାନେ ଆଜିର ଦିନ ବାବଦରେ ଚିନ୍ତା କରିବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ କହିଛନ୍ତି।

ସମ୍ବନ୍ଧିତ ଖବର