ବାତ୍ୟାକୁ ତିନି ମାସ ପୂରିଲାଣି, ଅନ୍ଧାରରେ ଇନ୍‌ଫୋସିଟି ଅଞ୍ଚଳ

ଖୁଣ୍ଟ ଅଛି, ଲାଇଟ୍‌ ଜଳୁନି, ବଢ଼ୁଛି ଦୁର୍ଘଟଣା, ଲୁଟ୍‌

ଚନ୍ଦ୍ରଶେଖରପୁର: ମାସେ କି ଦୁଇ ମାସ ନୁହେଁ; ବାତ୍ୟା ‘ଫନି’କୁ ତିନି ମାସ ବିତିଲାଣି। ତଥାପି ସୁଧୁରୁନି ବିଦ୍ୟୁତ୍‌ ବ୍ୟବସ୍ଥା। ଶହେ ଦିନ ପରେ ବି ଅନ୍ଧାରରେ ଇନ୍‌ଫୋସିଟି ରାସ୍ତା। ବିଦ୍ୟୁତ୍‌ ଖୁଣ୍ଟ ମରାମତି ହେଉ କି ଷ୍ଟ୍ରିଟ୍‌ ଲାଇଟ୍‌ ଜଳୁନି। ପରିଣାମସ୍ବରୂପ ଇନ୍‌ଫୋସିଟି ଓ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଚୋରି, ଲୁଟ୍, ରାହାଜାନି ଓ ଡକାୟତି ଦିନକୁ ଦିନ ବଢ଼ିବାରେ ଲାଗିଛି। ଦେଶର ଏକାଧିକ ପ୍ରମୁଖ ସଫ୍ଟୱେୟାର କମ୍ପାନିର କାର୍ଯ୍ୟାଳୟ ଏହି ଅଞ୍ଚଳରେ ହୋଇଥିବାରୁ ସନ୍ଧ୍ୟା ହେବା କ୍ଷଣି କର୍ମଚାରୀମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହେଉଛି। ଥରେ କି ଦୁଇ ଥର ନୁହେଁ। ସ୍ଥାନୀୟ ଅଞ୍ଚଳର ଲୋକେ ଏକାଧିକଥର ଏନେଇ ଅଭିଯୋଗ କରିଥି‌ଲେ ମଧ୍ୟ କେହି ଶୁଣୁନାହାନ୍ତି। ବିଦ୍ୟୁତ୍‌ ଖୁଣ୍ଟ ମରାମତି ହେଉନି କି ଷ୍ଟ୍ରିଟ୍‌ ଲାଇଟ୍‌ ଜଳୁନି, େଉଁଥିପାଇଁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସନ୍ଧ୍ୟା ସମୟରେ ଚଳଚଞ୍ଚଳ ରହୁଥିବା କିଟ୍ ବିଶ୍ବବିଦ୍ୟାଳୟଠାରୁ ଶିଖରଚଣ୍ଡି ପାହାଡ଼ ଛକ ପର୍ଯ୍ୟନ୍ତ ରାସ୍ତା ଅନ୍ଧାର ହୋଇରହିଛି। ସେହିପରି ଇନ୍‌ଫୋସିଟି ଥାନା ଛକ ନିକଟରୁ କିସ୍ ଶ୍ରୀବାଣୀ କ୍ଷେତ୍ର ପର୍ଯ୍ୟନ୍ତ ରାସ୍ତା, ସିଲିକନ୍ କଲେଜଠାରୁ ଇନ୍‌‌ଫୋସିଟି ଛକ ଓ ଶୈଳଶ୍ରୀବିହାର ସାଇ ମନ୍ଦିର ପର୍ଯ୍ୟନ୍ତ ରାସ୍ତାରେ ଲାଇଟ୍‌ ଜଳୁ ନାହିଁ। ଏହି ଅଞ୍ଚଳରେ ଥିବା ବିଦ୍ୟୁତ୍‌ ଖୁଣ୍ଟଗୁଡ଼ିକ ଠିକ୍‌ ନଥିବାରୁ ଯାନବାହାର ଲାଇଟ୍ ଓ ରାସ୍ତାପାର୍ଶ୍ବ ଦୋକାନ ଲାଇଟ୍‌ରେ ରାସ୍ତା ଆଲୋକିତ ହେଉଛି। ସନ୍ଧ୍ୟା ପରେ ଗାଡ଼ି ଚଳାଚଳ କମିବା ପରେ ଏହି ରାସ୍ତା ଏବେ ଅସାମାଜିକଙ୍କ ଆଡ଼ାସ୍ଥଳୀ ପାଲଟିଛି।

ବଡ଼ କଥା ହେଲା ଯେ ବାତ୍ୟା ପରଠାରୁ ରାସ୍ତାରେ ବେପରୁଆ ଗାଡ଼ି ଚାଳକଙ୍କ ପାଇଁ ସଡ଼କ ଦୁର୍ଘଟଣା ବି ବଢ଼ିବାରେ ଲାଗିଛି। ଦୁର୍ଘଟଣାରେ କେବଳ ଏହି ଅଞ୍ଚଳରେ ୪ ଜଣଙ୍କ ପ୍ରାଣ ଯାଇଥିବା ବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି। ଏଭଳି ସ୍ଥିତିରେ କଙ୍କଡ଼ାକୁ ଗୋଳି ପାଣି ସୁହାଇଲା ଭଳି ଅପରାଧୀଙ୍କୁ ଉକ୍ତ ଅଞ୍ଚଳ ଅନ୍ଧାର ହେବା ଆହୁରି ସୁଯୋଗ ଦେଉଛି। ପ୍ରତିଦିନ ରାତିରେ ଏହି ଅଞ୍ଚଳରେ ଲୁଟ୍ ହେଉଥିବା ଉଭୟ ଚନ୍ଦ୍ରଶେଖରପୁର ଓ ଇନଫୋସିଟି ଥାନାରେ ଅଭିଯୋଗ ହେଉଛି। ଶୈଳଶ୍ରୀବିହାର, ଇନ୍‌ଫୋସିଟିବାସୀ ଏନେଇ ଚନ୍ଦ୍ରଶେଖରପୁର ଓ ପଟିଆ ବିଦ୍ୟୁତ୍ ବିଭାଗ କାର୍ଯ୍ୟାଳୟରେ ଅଭିଯୋଗ କରିଥି‌ଲେ ମଧ୍ୟ କୌଣସି ପ୍ରକାର ସୁଫଳ ମିଳିପାରିନି। ଏହି ଅଞ୍ଚଳରେ ଅନେକ ଶିକ୍ଷାନୁଷ୍ଠାନ ସହ ସଫ୍ଟୱେୟାର କମ୍ପାନିର କାର୍ଯ୍ୟାଳୟ ରହିଥିବାରୁ ବିଳମ୍ବିତ ରାତିରେ ଛାତ୍ରଛାତ୍ରୀ ଓ କର୍ମଚାରୀମାନେ ଯିବା ଆସିବା କରୁଛନ୍ତି। ଲୁଟ୍‌ ହେବାର ଭୟ ବି ରହୁଛି। ଗୋଟିଏ ପଟେ ଇନ୍‌ଫୋଭ୍ୟା‌ଲି-୨ର ବିକାଶ ହୋଇପାରୁ ନଥିବାରୁ ଜାତୀୟ ତଥା ଅନ୍ତର୍ଜାତୀୟସ୍ତରର କମ୍ପାନିଗୁଡ଼ିକ ସେଠାରେ ପୁଞ୍ଜିନିବେଶ କରିବା ପାଇଁ ଆଗ୍ରହ ଦେଖାଉନାହାନ୍ତି। ଏବେ ସୁଦ୍ଧା ମାତ୍ର ଗୋଟିଏ କମ୍ପାନି ଆଗ୍ରହ ଦେଖାଇଛି। ଏଭଳି ସମୟରେ ଇନ୍‌ଫୋସିଟି ଅଞ୍ଚଳରେ ଅବ୍ୟବସ୍ଥା ଲାଗି ରହିବା କମ୍ପାନିଗୁଡ଼ିକୁ ନିରୁତ୍ସାହିତ କରିବ ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର