ଦିନକ ପରେ ରାଜଧାନୀକୁ ୭୦ ବର୍ଷ ପୂରିବ ବଦଳିବ କଳେବର

ଭୁବନେଶ୍ୱର(ତାପସ ଦାସ): ଦିନକ ପରେ ଅର୍ଥାତ ଆସନ୍ତା ଏପ୍ରିଲ ୧୩ରେ ରାଜଧାନୀ ଭୁବନେଶ୍ୱରକୁ ୭୦ ବର୍ଷ ଛୁଇଁବ। ୭୦ ବର୍ଷର ଏହି ଅବଧି ମଧ୍ୟରେ ବଢ଼ିଛି ରାଜଧାନୀର କଳେବର। ହୁହୁ ହୋଇ ବୃଦ୍ଧି ପାଇଛି ଜନସଂଖ୍ୟା। ସହରକୁ ମାଡ଼ି ଆସିଛନ୍ତି ରାଜ୍ୟ ଓ ରାଜ୍ୟ ବାହାରର ଅପରାଧୀ। ଆଇନଶୃଙ୍ଖଳା ରକ୍ଷା କରିବାକୁ ପୁଲିସକୁ ନାକେଦମ ହେବାକୁ ପଡ଼ୁଛି। ଅନ୍ୟପକ୍ଷରେ ସହରର ଟ୍ରାଫିକ୍‌ ବ୍ୟବସ୍ଥା ମଧ୍ୟ ମୁଣ୍ଡବ୍ୟଥାର କାରଣ ସାଜିଛି। ଏହା ମଧ୍ୟରେ ଥାନା ସଂଖ୍ୟା ବୃଦ୍ଧି ପାଇ ୨୨ରେ ପହଞ୍ଚିଛି। ଆହୁରି ଅନେକ ଥାନାର ଭିତ୍ତି ପ୍ରସ୍ତର ପଡ଼ିଛି। ତଥାପି ଆଇନ୍‌ଶୃଙ୍ଖଳାକୁ ଅଧିକ କ୍ରିୟାଶୀଳ କରିବା ଓ ସହରକୁ ଅପରାଧମୁକ୍ତ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ଏହାକୁ ନଜରରେ ରଖି ରାଜଧାନୀକୁ ୨ଟି ପୁଲିସ ଜୋନ୍‌ରେ ବିଭକ୍ତ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ଦୁଇଟି ଜୋନ୍‌ରେ ଦୁଇ ଡିସିପିଙ୍କୁ ନିଯୁକ୍ତି ଦିଆଯିବାର ଯୋଜନା ରହିଛି। ଏହା ବ୍ୟତୀତ ଆହୁରି ଅନେକ ଯୋଜନା ରହିଥିବା କହିଛନ୍ତି ପୁଲିସ କମିସନର ଯୋଗେଶ ବାହାଦୁର ଖୁରାନିଆ। ଶ୍ରୀ ଖୁରାନିଆଙ୍କୁ ଭେଟିବା ଅବସରରେ ସେ କମିସନରେଟ୍‌ ପୁଲିସର ଆଗାମୀ ଯୋଜନା ସଂପର୍କରେ ଏପରି ମତ ରଖିଛନ୍ତି।

ଖୁବ୍‌ ଶୀଘ୍ର ଆଉ ଜଣେ ଡିସିପି
ଖୁବ୍‌ ଶୀଘ୍ର କମିସନରେଟ୍‌ ପୁଲିସ ଭୁବନେଶ୍ୱର ସହରାଞ୍ଚଳରେ ଆଉ ଜଣେ ଡିସିପି ନିଯୁକ୍ତ ହେବେ। ଏନେଇ ଏକ ଯୋଜନା ପ୍ରସ୍ତୁତ ହୋଇଛି। ରାଜ୍ୟ ସରକାରଙ୍କ ଗୃହ ବିଭାଗକୁ ଏହି ପ୍ରସ୍ତାବ ପଠାଯାଇଛି। ଜଣେ ଡିସିପିଙ୍କ ଅଧୀନରେ ମଞ୍ଚେଶ୍ୱର, ଲକ୍ଷ୍ମୀସାଗର, ସହିଦନଗର, ଖାରବେଳନଗର, କ୍ୟାପିଟାଲ, ମହିଳା, ବଡ଼ଗଡ଼, ଧଉଳି, ଶ୍ରୀ ଲିଙ୍ଗରାଜ ପ୍ରମୁଖ ଥାନା ରହିବ। ଅନ୍ୟ ଜଣେ ଡିସିପିଙ୍କ ଅଧୀନରେ ଜଟଣୀ, ତମାଣ୍ଡୋ, ଖଣ୍ଡଗିରି, ନୂଆପଲ୍ଲୀ, ଚନ୍ଦ୍ରଶେଖରପୁର, ଇନ୍‌ଫୋସିଟି, ଚନ୍ଦକା, ନନ୍ଦନକାନନ ଆଦି ଥାନା ରହିବ।

ନିଯୁକ୍ତ ହେବେ ପିସିଆର୍‌ ଡିସିପି
ପିସିଆର ଭ୍ୟାନ ଓ ପୁଲିସ କଣ୍ଟ୍ରୋଲରୁମ୍‌କୁ ଏକ ସ୍ୱତନ୍ତ୍ର ଜିଲ୍ଲା ପୁଲିସ ଭଳି ମାନ୍ୟତା ଦିଆଯିବ। ପୁଲିସ କଣ୍ଟ୍ରୋଲ ରୁମ୍‌କୁ ଦାୟିତ୍ୱରେ ଜଣେ ଡିସିପି ର‍୍ୟାଙ୍କର ଅଧିକାରୀ ରହିବେ। ତାଙ୍କ ଅଧୀନରେ ୩ ଜଣ ଇନ୍ସପେକ୍ଟର, ୧୫ ଜଣ ଏସ୍‌ଆଇ ଓ ଏଏସ୍‌ଆଇ ରହିବେ। ଦାୟିତ୍ୱରେ ରହିବାକୁ ଥିବା ଡିସିପି ସମସ୍ତ ଘଟଣାର ପ୍ରତ୍ୟେକ୍ଷ ଅନୁଧ୍ୟାନ କରିବେ ବୋଲି ପୁଲିସ କମିସନର ଖୁରାନିଆ କହିଛନ୍ତି।

ଜାତୀୟ ରାଜପଥରେ ଲାଗିବ ସ୍ପିଡ୍‌ ରାଡାର୍‌
ମେଟ୍ରୋ ସହରର ଜାତୀୟ ରାଜପଥ ଭଳି ଭୁବନେଶ୍ୱର ଦେଇ ଯାଇଥିବା ଜାତୀୟ ରାଜପଥରେ ଖୁବ୍‌ ଶୀଘ୍ର ସ୍ପିଡ୍‌ ରାଡାର ଲାଗିବ। ପିତାପଲ୍ଲୀ ଛକରୁ ଓଏମ୍‌ପି ଛକ ମଧ୍ୟରେ ୩ଟି ସ୍ପିଡ୍‌ ମିଟର ଲାଗିବ। ଜାତୀୟ ରାଜପଥରେ ଦ୍ରୁତ ବେଗରେ ଯାଉଥିବା ଭାରୀଯାନ ଉପରେ ଏହା ନଜର ରଖିବା ସହିତ ପୁଲିସ କଣ୍ଟ୍ରୋଲରୁମ୍‌କୁ ସବିଶେଷ ତଥ୍ୟ ଦେବ।

ଲାଗିବ ଏକ ହଜାର ସିସି କ୍ୟାମେରା
ସମଗ୍ର ସହର ରହିବ କମିସନେରଟ୍‌ ପୁଲିସ ନଜରରେ। ଏବେ ୫୦ଟି ଛକରେ ସିସି କ୍ୟାମେରା ଲାଗିଥିବାବେଳେ ତାକୁ ପୁଲିସ କଣ୍ଟ୍ରୋଲ ରୁମ୍‌ ସହିତ ସଂଯୋଗ କରାଯାଇଛି। ଖୁବ ଶୀଘ୍ର ଆଉ ଏକ ହଜାର ସିସି କ୍ୟାମେରା ସହରର ଅନ୍ୟ ପ୍ରମୁଖ ଛକରେ ଲାଗିବ।

ପ୍ରତିଷ୍ଠା ହେବ ଆଉ ଏକ ଟ୍ରାଫିକ୍‌ ଥାନା
ରାଜଧାନୀରେ ପ୍ରତ୍ୟେକ ଦିନ ୧୨ ଲକ୍ଷ ଗାଡ଼ି ଚଳାଚଳ କରୁଛି। ବାହାରୁ ମଧ୍ୟ ଗାଡ଼ି ମୋଟର ରାଜଧାନୀକୁ ଆସୁଛି। ଏହା ବ୍ୟତୀତ ତ୍ରିଶୂଳିଆ ବ୍ରିଜ୍‌ ଖୋଲିବା ପରେ ଏବେ ନନ୍ଦନକାନନ, ଇନ୍‌ଫୋସିଟି, ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଟ୍ରାଫିକ ସମସ୍ୟା ବହୁ ପରିମାଣରେ ବଢ଼ି ଯାଇଛି। ଏଭଳି ସମସୟରେ ରାଜଧାନୀରେ ଆଉ ଏକ ନୂଆ ଟ୍ରାଫିକ୍‌ ଥାନା ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ପ୍ରସ୍ତାବ ମଞ୍ଜୁର କରିଛନ୍ତି। ରାଜଧାନୀର ଟ୍ରାଫିକ ନିୟନ୍ତ୍ରଣ ପାଇଁ ଏଜି ଛକରେ ଗୋଟିଏ ମାତ୍ର ଟ୍ରାଫିକ୍‌ ଥାନା ରହିଛି। ଏବେ ସୁଦ୍ଧା ରାଜଧାନୀରେ ୧୭୬ଟି ଛକ ରହିଛି। କିନ୍ତୁ ଟ୍ରାଫିକ୍‌ ପୁଲିସ ମାତ୍ର ୫୨ଟି ଛକରେ ଡ୍ୟୁଟି କରୁଛନ୍ତି। ଅନ୍ୟ ବଳକା ଛକରେ ପୁଲିସ ଚାହିଁଲେ ମଧ୍ୟ ଟ୍ରାଫିକ ପୁଲିସ ଦେଇ ପାରୁନାହିଁ। ତେଣୁ ଆଉ ଏକ ଟ୍ରାଫିକ ଥାନା ପ୍ରତିଷ୍ଠା ହେଲେ ସମସ୍ୟାର ସମାଧାନ କିଛି ଅଂଶରେ ହୋଇ ପାରିବ। ଏଥିପାଇଁ ୧ କୋଟି ୯୧ ଲକ୍ଷ ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ପ୍ରଥମ ପଦକ୍ଷେପ ସ୍ୱରୂପ ଚନ୍ଦ୍ରଶେଖରପୁରଠାରେ ଥିବା ଟ୍ରାଫିକ୍‌ ୟୁନିଟକୁ ଥାନାରେ ରୂପାନ୍ତରିତ କରାଯିବ।

ବିମାନବନ୍ଦର ଓ ଭରତପୁରରେ ହେବ ନୂଆ ଥାନା
ଖୁବ୍‌ ଶୀଘ୍ର ବିମାନବନ୍ଦରରେ ଓ ଭରତପୁରରେ ଆଉ ଦୁଇଟି ଥାନା ପ୍ରତିଷ୍ଠା ହେବ। ବିମାନବନ୍ଦର ଥାନା ନିର୍ମାଣ ସରିଛି। ୩ ମହଲା ବିଶିଷ୍ଟ ଏହି ଥାନା ଆସନ୍ତା ମାସରେ ଉଦ୍‌ଘାଟନ କରାଯିବ। ଖଣ୍ଡଗିରି ଥାନା ସୀମା ବଡ଼ ହୋଇ ଯାଇଥିବାରୁ ଭରତପୁର ଅଞ୍ଚଳରେ ଏକ ଥାନା ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। ସେହିପରି ଜଟଣୀ ଥାନା ଅଧୀନ ଇନ୍‌ଫୋଭ୍ୟାଲିରେ ଫାଣ୍ଡି ପ୍ରତିିଷ୍ଠା କରାଯିବ ବୋଲି ପୁଲିସ କମିସନର୍‌ ଖୁରାନିଆ ସୂଚନା ଦେଇଛନ୍ତି।

ପ୍ରତିଷ୍ଠା ହେବ ସାଇବର୍‌ ପୁଲିସ ଷ୍ଟେସନ୍‌
ଦିନକୁ ଦିନ ସାଇବର ଅପରାଧ ବଢ଼ି ଚାଲିଛି। ଏ ନେଇ କଟକ ଯିବାକୁ ପଡ଼ୁଛି ଅଭିଯୋଗକାରୀଙ୍କୁ । ଏଥିପାଇଁ ଅନେକ ସମସ୍ୟାରେ ପଡ଼ୁଛନ୍ତି। ତେଣୁ ଭୁବନେଶ୍ୱରରେ ଏକ ସାଇବର ଥାନା ପ୍ରତିଷ୍ଠା କରିବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି।

ଗଠନ ହେବ ଏଭିକ୍‌ସନ୍‌ ଫୋର୍ସ
ବିଡିଏ ଓ ବିଏମ୍‌ସି ପକ୍ଷରୁ ପ୍ରତ୍ୟେକ ଦିନ ଜବରଦଖଲ ଉଚ୍ଛେଦ କରାଯାଉଛି। ଏହି ସମୟରେ ପୁଲିସ ଫୋର୍ସର ଆବଶ୍ୟକତା ରହୁଛି। କମିସନରେଟ୍‌ ପୁଲିସ ତାର ନିଜସ୍ୱ ଫୋର୍ସକୁ ଏଥପାଇଁ ନିୟୋଜିତ କରୁଛି। ଫଳରେ କୌଣସି ସ୍ଥାନରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଲେ ପୁଲିସ ସମସ୍ୟାରେ ପଡୁଛି। ତେଣୁ କମିସନରେଟ୍‌ ପୁଲିସ ଅଧୀନରେ ଏକ ସ୍ୱତନ୍ତ୍ର ଏଭିକସନ୍‌ ଫୋର୍ସ ଗଠନ କରିବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି।

ପ୍ରଥମ ଥାନା ଚନ୍ଦକା
ରାଜଧାନୀର ପ୍ରଥମ ଥାନା ହେଉଛି ଚନ୍ଦକା ଥାନା। ଅନେକ ଏହା ଜାଣନ୍ତି ନାହିଁ। ୧୪୮ ବର୍ଷ ତଳୁ ଏହି ଥାନା ପ୍ରତିଷ୍ଠା ହୋଇଥିଲା। ୧୮୬୮ ମସିହାରେ ଇଂରେଜ୍‌ମାନେ ଏହାକୁ ପ୍ରତିଷ୍ଠା କରିଥିଲେ। ୧୮୫୭ ମସିହାରେ ହୋଇଥିବା ସିପାହୀ ବିଦ୍ରୋଦକୁ ଦମନ କରିବା ଓ ସ୍ୱାଧୀନତା ସଂଗ୍ରାମୀ ବକ୍ସି ଜଗବନ୍ଧୁଙ୍କ ଉପରେ ବି୍ରଟିସ ସେନା ନଜର ରଖିବାକୁ ଚନ୍ଦକା ଥାନା ପ୍ରତିଷ୍ଠା ହୋଇଥିଲା। ଏହି ସମୟରେ ସମଗ୍ର ଭୁବନେଶ୍ୱର ପାହାଡ଼ ଓ ଘଞ୍ଜ ଜଙ୍ଗଲ ଥିଲା। ଯେଉଁ କେତୋଟି ଗାଁ ଥିଲା ସେଗୁଡିକ ଉପରେ ନଜର ରଖିବାକୁ ଲିଙ୍ଗରାଜ ମନ୍ଦିର ସମ୍ମୁଖରେ ଏକ ଫାଣ୍ଡି ପ୍ରତିଷ୍ଠା ହୋଇଥିଲା। ପରବର୍ତୀ ସମୟରେ ସେହି ଫାଣ୍ଡିକୁ ଥାନାରେ ପରିଣତ କରାଯାଇଥିଲା। ଏବେ ତାହା ଶ୍ରୀଲିଙ୍ଗରାଜ ଥାନା। ଦେଶ ସ୍ୱାଧୀନତା ହେବା ପରେ ପ୍ରଥମେ ୧୯୫୫ ମସିହାରେ କ୍ୟାପିଟାଲ୍‌ ଥାନା ପ୍ରତିଷ୍ଠା ହୋଇଥିଲା। ଏହା ପରେ ସହିଦନଗର ଓ ଖାରବେଳନଗର ଥାନା ପ୍ରତିଷ୍ଠା ହୋଇଥିଲା। ସେହିପରି ମହିଳାମାନଙ୍କ ଅଭିଯୋଗକୁ ଶୁଣିବା ଓ ସେମାନଙ୍କୁ ତ୍ୱରିତ ନ୍ୟାୟ ଦେବାକୁ ୨୦୦୧ରେ ମହିଳା ଥାନା ପ୍ରତିଷ୍ଠା ହୋଇଥିଲା। ବିଦ୍ୟୁତ ଚୋରି ରୋକିବାକୁ ୨୦୦୩ ମସିହାରେ ବିଦ୍ୟୁତ ଥାନା ପ୍ରତିଷ୍ଠା ହୋଇଥିଲା। ଏହି ଭଳି ଭାବେ ଥାନା ସଂଖ୍ୟା ଭୁବନେଶ୍ୱରରେ ବଢ଼ି ବଢ଼ି ଚାଲିଛି।

ଖୋର୍ଧା ଏସ୍‌ପିରୁ ଭୁବନେଶ୍ୱର ଡିସିପି
ତେବେ ୨୦୦୮ ମସିହାରେ ଖୋର୍ଧା ପୁଲିସ ଜିଲ୍ଲାଠାରୁ ଭୁବନେଶ୍ୱର ପୁଲିସକୁ ସଂପୂର୍ଣ ଅଲଗା କରି ଦିଆଯାଇଥିଲା। କଟକ ଓ ଭୁବନେଶ୍ୱର ପୁଲିସକୁ ମିଶାଇ ଆରମ୍ଭ ହୋଇଥିଲା କମିସନରେଟ୍‌ ପୁଲିସ ସେବା। ବରିଷ୍ଠ ଆଇପିଏସ୍‌ ବିନୟ ବେହେରା ପ୍ରଥମ ପୁଲିସ କମିସନର ଭାବେ ଯୋଗ ଦେଇଥିଲେ। ଭୁବନେଶ୍ୱରର ପ୍ରଥମ ଡିସିପି ହୋଇଥିଲେ ଆଇପିଏସ୍‌ ଅମିତାଭ ଠାକୁର। କମିସନରେଟ୍‌ ପୁଲିସ ବ୍ୟବସ୍ଥା ଲାଗୁ ହେବା ପରେ ଟ୍ରାଫିକ୍‌ ପୁଲିସକୁ ସଂପୂର୍ଣ ଅଲଗା କରି ଦିଆଯାଇଥିଲା। ୨୦୦୯ ମସିହାରେ ଏଜିଛକଠାରେ ଟ୍ରାଫିକ୍‌ ଥାନା ପ୍ରତିଷ୍ଠା ହୋଇଥିଲା। ଏସିପି ଟ୍ରାଫିକ୍‌ ଭାବେ ନିର୍ମଳ ଶତପଥୀ ଦାୟିତ୍ୱ ନେଇଥିଲେ। ଏବେ ଟ୍ରାଫିକ୍‌ ଦାୟିତ୍ୱ ସମ୍ଭାଳିବାକୁ ଡିସିପି ର‍୍ୟାଙ୍କର ଜଣେ ଅଧିକାରୀ। କମିସନରେଟ ପୁଲିସ ପ୍ରତିଷ୍ଠା ହେବା ପରେ ଇନ୍‌ଫୋସିଟି, ତମାଣ୍ଡୋ ଓ ଧଉଳି ଥାନା ଆଦି ପ୍ରତିଷ୍ଠା ହୋଇଥିଲା।

ସମ୍ବନ୍ଧିତ ଖବର