ସେନାରୁ ଅବସର ନେବା ପରେ ଭୁବନେଶ୍ୱରରେ ପରିବା ବିକ୍ରି କରୁଛନ୍ତି ସଂସାରୀ !

ଭୁବନେଶ୍ୱର (ମହେନ୍ଦ୍ର ସାହୁ): ଦୀର୍ଘ ୧୭ ବର୍ଷ ପର୍ଯ୍ୟନ୍ତ ଭାରତୀୟ ସେନା ପାଇଁ ଜମ୍ମୁକଶ୍ମୀର, ଲେହ, ଲଦାଖ, ରାଜସ୍ଥାନ ଓ ଗୁଜରାଟରେ ନିଜର ସେବା ଦେଇ ୨୦୧୭ ମସିହା ନଭେମ୍ବରରେ ଅବସର ନେବା ପରେ ସଂସାରୀ ବେହେରା ଏକ ନୂଆ କାମ ହାତକୁ ନେଇଛନ୍ତି। ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ କରୁଥିବା କାମ ସଂପର୍କରେ ଜାଣିଲେ ଆପଣ ଚକିତ ହୋଇ ପାରନ୍ତି- ସେ ପାଲଟିଛନ୍ତି ଜଣେ ପରିବାବିକାଳି।

ରାଜଧାନୀର ବିଭିନ୍ନ ଅଂଚଳରେ ପନିପରିବା ବିକ୍ରି କରୁଛନ୍ତି ସଂସାରୀ। ଟଙ୍କା ରୋଜଗାର କରିବା ତାଙ୍କର ଲକ୍ଷ୍ୟ ନୁହେଁ ବରଂ ଦରଦାମ ଆକାଶ ଛୁଆଁ ହୋଇପଡ଼ିଥିବାରୁ ବସ୍ତି ଅଚଂଳର ଗରିବ ଲୋକଙ୍କୁ ଉଚିତ ମୂଲ୍ୟରେ ପରିବା ଦେବା ହେଉଛି ତାଙ୍କର ମୂଳ ଉଦ୍ଦେଶ୍ୟ। ଗରିବ ଲୋକେ ଅଧିକ ପରିମାଣରେ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସେଥିପାଇଁ ସେମାନଙ୍କୁ ଅନ୍ୟ ଖର୍ଚ୍ଚରୁ କାଟ କରିବାକୁ ପଡୁଛି। ସେମାନଙ୍କୁ ସାମାନ୍ୟ ଆଶ୍ୱସ୍ତି ଦେବା ଲକ୍ଷ୍ୟ ନେଇ ସଂସାରୀ ପରିବା ବିକ୍ରି କରୁଛନ୍ତି। ଏଥି ସହିତ କିଛି ଲୋକଙ୍କୁ ରୋଜଗାର ଦେଇ ପରୋକ୍ଷ ଭାବେ ସେମାନଙ୍କର ପରିବାର ପୋଷିବା ହେଉଛି ସଂସାରୀଙ୍କର ଅନ୍ୟତମ ଲକ୍ଷ୍ୟ।

ସେନାର ‘ତୋପ ବିଭାଗ’ରୁ ଅବସର ନେଇଥିବା ସଂସାରୀ ବେହେରା ଏବେ ରାଜଧାନୀର ଶାସ୍ତ୍ରୀନଗର ଅଂଚଳରେ ଏକ ଭଡ଼ା ଘରେ ନିଜ ପରିବାର ସହିତ ରହୁଛନ୍ତି। ସକାଳ ଜଳଖିଆ ସାରି ସେ ପିକ୍‌-ଅପ୍‌ ଗାଡ଼ି ନେଇ ପରିବା ବିକ୍ରି କରିବାକୁ ବାହାରି ଯାଉଛନ୍ତି। ମଧ୍ୟାହ୍ନରେ ଘରକୁ ଫେରୁଛନ୍ତି। ସେନାରୁ ଅବସର ନେଇଥିବାରୁ ସେ ସ୍ଥାନୀୟ ୧୨୦ ବାଟାଲିଅନର ଆର୍ମି କ୍ୟାଣ୍ଟିନରେ ପ୍ରତିଦିନ ପରିବା ଦେଇ ଖୁସି ଅନୁଭବ କରିଥାନ୍ତି। ଏତଦ ବ୍ୟତୀତ ସେ ଭାରତୀୟ ଷ୍ଟେଟ ବ୍ୟାଙ୍କ କଲୋନୀ ଓ ଅନ୍ୟ ବସ୍ତି ଅଂଚଳରେ ମଧ୍ୟ ପରିବା ବିକ୍ରି କରିବାକୁ ଯାଆନ୍ତି। ସ୍ଥାନୀୟ ୟୁନିଟ-୧ ଓ କଟକ ଜିଲ୍ଲାର ବାଙ୍କୀ ଅଚଂଳରୁ ସଂସାରୀ ପରିବା କିଣିଥାନ୍ତି।

ସଂସାରୀ କୁହନ୍ତି, ଆଜିକାଲି ପରିବା ଚାଷରେ ପ୍ରବଳ ମାତ୍ରାରେ ସାର ଓ କୀଟନାଶକ ଔଷଧ ବ୍ୟବହାର ହେଉଛି। ଫଳରେ ଏଥିରୁ ଉତ୍ପାଦିତ ହେଉଥିବା ପରିବା ସ୍ୱାସ୍ଥ୍ୟପାଇଁ ବିପଦ କିନ୍ତୁ ଗ୍ରାମାଞ୍ଚଳରୁ ଯାଇ ପରିବା ଆଣିଲେ ତାହା ଗୋଟିଏ ପ୍ରକାରର ଠିକଠାକ ରହୁଛି। ବଜାରରେ ମିଳୁଥିବା ପରିବା ତୁଳନାରେ ଗ୍ରାମାଞ୍ଚଳ ପରିବା ସତେଜ ରହୁଛି।

କୃଷି ଓ କୃଷିଜାତ ଦ୍ରବ୍ୟ ପ୍ରତି ସଂସାରୀଙ୍କ ପିଲାଟି ଦିନରୁ ଦୁର୍ବଳତା ରହିଛି। ସେନାରେ ମୁତୟନ ଥିବା ବେଳେ ଛୁଟିରେ ଘରକୁ ଆସିଲେ ବିଲରେ କାମ କରନ୍ତି। ଏବେ ବି ଗାଁକୁ ଗଲେ ପରିବାର ଲୋକଙ୍କ ସହିତ ଚାଷ ଜମିକୁ ଗଲେ ବହୁତ ଖୁସି ଅନୁଭବ କରିଥାନ୍ତି। ବର୍ଷ ୨୦୦୦ ମସିହାରେ ସେନାରେ ଯୋଗ ଦେବା ପୂର୍ବରୁ ସଂସାରୀ ଘର ଲୋକଙ୍କୁ ଚାଷ କାମରେ ସହଯୋଗ କରୁଥିଲେ ୧୨ ବର୍ଷ ବୟସରୁ ପାଠ ପଢ଼ା ସହିତ ଚାଷ କାମ ସହିତ ସଂପୃକ୍ତ ଥିଲେ।

ଦେଶ ପାଇଁ ପୁଣି ଥରେ ବନ୍ଧୁକ ଧରିବାକୁ ପ୍ରସ୍ତୁତ: ସଂସାରୀ

ବିଗତ କିଛି ଦିନ ହେବ ଭାରତର ମସ୍ତକ କୁହାଯାଉଥିବା ଜମ୍ମୁ କଶ୍ମୀର ଅଶାନ୍ତ ହୋଇପଡ଼ିଛି । ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ଚଳିତ ମାସ ୧ ତାରିଖରେ ଘାଟୀର ବିଭିନ୍ନ ସ୍ଥାନରେ ଅଚାନକ ୨୮ ହଜାର ଯବାନ ମୁତୟନ କରାଯାଇଛି। ଘାଟୀରୁ ପର୍ଯ୍ୟଟକ ଓ ବାହାର ଛାତ୍ରଙ୍କୁ ବାହାରିଯିବା ପାଇଁ ରାଜ୍ୟ ପ୍ରଶାସନ ନିର୍ଦ୍ଦେଶ ଦେଇଛନ୍ତି। ଜମ୍ମୁ କଶ୍ମୀରରେ ଯେକୌଣସି ସମୟରେ ପରିସ୍ଥିତି କିଛି ବି ହୋଇପାରେ। ତେଣୁ ସେନା ଦରକାର ପଡ଼ିଲେ ଅବସରପ୍ରାପ୍ତ ସୈନ୍ୟକୁ ପୁଣିଥରେ ଡାକିିପାରେ। ଏଭଳି ପରିସ୍ଥିତିରେ ସଂସାରୀ ବେହେରା ଦେଶ ପାଇଁ ପୁଣି ଥରେ ବନ୍ଧୁକ ଧରିବାକୁ ପ୍ରସ୍ତୁତ ଅଛନ୍ତି।

ସଂକ୍ଷେପରେ ସଂସାରୀ ବେହେରା
ଜନ୍ମସ୍ଥାନ: ଭାଲିଆଡିହ, ଶରଣକୁଳ, ଜିଲ୍ଲା: ନୟାଗଡ଼
ଜନ୍ମତାରିଖ: ୧୯୮୦ ଅକ୍ଟୋବର ୩
ବର୍ତ୍ତମାନ ଠିକଣା: ଶାସ୍ତ୍ରୀନଗର, ଭୁବନେଶ୍ୱର
ଶିକ୍ଷାଗତ ଯୋଗ୍ୟତା: ଦଶମ ପାସ

ସମ୍ବନ୍ଧିତ ଖବର