ରାଜଧାନୀରେ ଖୋଲିବ ଆଉ ଏକ ଆର୍‌ଟିଓ

ଭୁବନେଶ୍ବର: ରାଜଧାନୀରେ ଯାନବାହନ ବୃଦ୍ଧିକୁ ନଜରରେ ରଖି ଆଉ ଏକ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ) ଖୋଲିବାକୁ ପରିବହନ ବିଭାଗ ଯୋଜନା କରୁଛି। ଭୁବନେଶ୍ବର (ଏକାମ୍ର) ଅଞ୍ଚଳକୁ ନଜରରେ ରଖି ଏହି ନୂଆ ଆର୍‌ଟିଓ ଅଫିସ୍ ଖୋଲିବ। ଏହାର ନାମ ଏକାମ୍ର ଆରଟିଓ ରହିବ। ଏହା ଉତ୍ତରା ଛକ ନିକଟରେ ନିର୍ମାଣ ହେବ। ଏଥିପାଇଁ ପରିବହନ କମିସନର ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ସଚିବଙ୍କୁ ପ୍ରସ୍ତାବ ଦେଇଛନ୍ତି। ପରିବହନ କମିସନରଙ୍କ ପ୍ରସ୍ତାବ ଅନୁଯାୟୀ, ଆରଟିଓ, ଭୁବନେଶ୍ବର-୧କୁ ଭୁବନେଶ୍ବର ସେଣ୍ଟ୍ରାଲ ଆରଟିଓ କରାଯିବ। ଭୁବନେଶ୍ବର-୨ ଆରଟିଓକୁ ଭୁବନେଶ୍ବର ଉତ୍ତର ଆରଟିଓ କରାଯିବ। ଆଉ ନୂଆକରି ଭୁବନେଶ୍ବର ଏକାମ୍ର ଆରଟିଓ ଖୋଲିବ। ମୁଖ୍ୟତଃ ବାଲିପାଟଣା, ବାଲିଅନ୍ତା, ଉତ୍ତରା ଆଦି ଅଞ୍ଚଳର ଲୋକଙ୍କୁ ନଜରରେ ରଖି ଏହା ଖୋଲିବାକୁ ଯୋଜନା ହେଉଛି।

ଏବେ ଭୁବନେଶ୍ବର-୧, ଆରଟିଓ ଉପରେ ଅଧିକ ଚାପ ପଡ଼ୁଥିବାରୁ ଏହାକୁ ନଜରରେ ରଖି ଏପରି କରିବାକୁ ଯୋଜନା ହେଉଛି। ପରିବହନ ବିଭାଗର ସୂଚନା ଅନୁଯାୟୀ, ଭୁବନେଶ୍ବର-୧ ଆରଟିଓରେ ୨୦୧୬ରେ ୫୯୯୫୦ଟି ଗାଡ଼ି ପଞ୍ଜୀକୃତ ହୋଇଥିବାବେଳେ ୪୬୦୨୬ଟି ଡ୍ରାଇଭିଂ ଲାଇସେନ୍ସ ଇସ୍ୟୁ ହୋଇଛି। ୨୦୧୭ରେ ୭୧୯୯୦ଟି ଗାଡ଼ି ପଞ୍ଜୀକୃତ ହୋଇଥିବାବେଳେ ୫୨୫୭୮ଟି ଲାଇସେନ୍ସ ଏବଂ ୨୦୧୮ରେ ୭୭୫୮୦ଟି ଗାଡ଼ି ପଞ୍ଜୀକୃତ ହୋଇଥିବାବେଳେ ୪୮୪୯୪ଟି ଡ୍ରାଇଭିଂ ଲାଇସେନ୍ସ ଇସ୍ୟୁ ହୋଇଛି। ଆରଟିଓ-୨ରେ ଏବେ ବର୍ଷକୁ ପ୍ରାୟ ୨୦ହଜାର ଗାଡ଼ି ପଞ୍ଜୀକରଣ ହେଉଥିବା ଜଣାପଡ଼ିଛି। ଆରଟିଓ-୧ ଉପରେ ଚାପ ଅଧିକ ପଡ଼ୁଥିବାବେଳେ ଜାତୀୟ ରାଜପଥରେ ବି ଅସମ୍ଭାଳ ଭିଡ଼ ଜମୁଛି। ଏହାକୁ ନଜରରେ ରଖି ଏକାମ୍ର ଆରଟିଓ ପ୍ରତିଷ୍ଠା କରିବାକୁ କୁହାଯାଇଛି। ଭୁବନେଶ୍ବର ଆରଟିଓ-୨, ୨୦୧୩ ମସିହାରେ ପ୍ରତିଷ୍ଠା ହୋଇଥିଲେ ହେଁ ଆରଟିଓ-୧ର ଭିଡ଼ କମୁନି। ବର୍ଷକୁ ବର୍ଷ ଗାଡ଼ି ପଞ୍ଜୀକରଣ ସଂଖ୍ୟା ବଢ଼ିବା‌ରେ ଲାଗିଛି। ତେଣୁ କମିସନରେଟ୍ ପୁଲିସ ଅଞ୍ଚଳରେ ଥିବା ବିଭିନ୍ନ ଥାନା ଅନୁଯା‌ୟୀ ତିନିଟି ଆରଟିଓ ଖୋଲିବାକୁ ପ୍ରସ୍ତାବ ଦିଆଯାଇଛି। ସେହିପରି ରାଜ୍ୟରେ ଆଉ ୫ଟି ନୂଆ ଆରଟିଓ ଖୋଲିବ। ନୂଆ ଆରଟିଓରେ ଜଣେ ଲେଖାଏଁ ଆରଟିଓ, ଦୁଇଜଣ ଅତିରିକ୍ତ ଆରଟିଓ, ଜଣେ ଆଇଏମ୍‌ଭି, ଜଣେ ଆସିଷ୍ଟାଣ୍ଟ ଏମ୍‌ଭିଆଇ, ଜଣେ ଆସିଷ୍ଟାଣ୍ଟ ଆରଟିଓ, ତିନି ଜଣ ଜୁନିଅର ଏମ୍‌ଭିଆଇ, ଜଣେ ଇନସ୍ପେକ୍ଟର ଟ୍ରାଫିକ, ୩ଜଣ ଟ୍ରାଫିକ୍‌ ଏସ୍‌ଆଇ, ୩ଜଣ ଟ୍ରାଫିକ ଏଏସ୍ଆଇ, ୧୫ଜଣ ଟ୍ରାଫିକ କନ୍‌ଷ୍ଟେବଳ, ଜଣେ ମୁଖ୍ୟ କିରାଣି, ୨ଜଣ ବରିଷ୍ଠ କିରାଣି, ୩ଜଣ କନିଷ୍ଠ କିରାଣି, ୫ଜଣ ଡିଇଓ, ଜଣେ ଝାଡ଼ୁଦାର, ଜଣେ ପିଅନ ରହିବେ।

ଆର୍‌ଟିଓ-୧ର ବୋଝ କମାଇବାକୁ ଖୋଲିବ ଏକାମ୍ର ଆରଟିଓ
ଭୁବନେଶ୍ବର-୨ ହେବ ଭୁବନେଶ୍ବର ଉତ୍ତର
ଆରଟିଓ-୧ ହେବ
ଭୁବନେଶ୍ବର ସେଣ୍ଟ୍ରାଲ

କେଉଁ ଆରଟିଓ ଅଧୀନରେ କେଉଁ ଅଞ୍ଚଳ ରହିବ
ଏକାମ୍ର ଆରଟିଓ ଅଧୀନରେ ଏୟାରଫିଲ୍ଡ, ଧଉଳି, ଲିଙ୍ଗରାଜ, ବାଲିପାଟଣା, ବାଲିଅନ୍ତା, ବଡ଼ଗଡ଼ ଏବଂ ଏୟାରପୋର୍ଟ ଥାନା ଅଞ୍ଚଳ ରହିବ। ଭୁବନେଶ୍ବର ସେଣ୍ଟ୍ରାଲ ଆରଟିଓ ଅଧୀନରେ ସହିଦନଗର, କ୍ୟାପିଟାଲ, ଖାରବେଳ ନଗର, ଖଣ୍ଡଗିରି, ଲକ୍ଷ୍ମୀସାଗର, ତମାଣ୍ଡୋ ଥାନା ରହିବ। ଭୁବନେଶ୍ବର ଉତ୍ତର ଆରଟିଓ ଅଧୀନରେ ନନ୍ଦନକାନନ ଥାନା, ଚନ୍ଦକା, ମଞ୍ଚେଶ୍ବର, ନୂଆପଲ୍ଲୀ, ଚନ୍ଦ୍ରଶେଖରପୁର, ଇନ୍‌ଫୋସିଟି ଥାନା ଅଞ୍ଚଳ ରଖିବାକୁ ଯୋଜନା ଅଛି।

ଖୋର୍ଦ୍ଧା ଏଆରଟିଓ ହେବ ଆର୍‌ଟିଓ
ସେହିପରି ଖୋର୍ଦ୍ଧାରେ ଥିବା ଏଆରଟିଓ ଅଫିସ ଏବେ ଭୁବନେଶ୍ବର ଆରଟିଓ-୧ ଅଧୀନରେ ଥିବା‌ବେଳେ ଏହାକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ ଆରଟିଓରେ ପରିଣତ କରାଯିବ। ଖୋର୍ଦ୍ଧା ଏଆରଟିଓରେ ୨୦୧୬ରେ ୬୮୧୦ଟି, ୨୦୧୭ରେ ୭୦୦୦ ଏବଂ ୨୦୧୮ରେ ୬୨୩୦ଟି ଗାଡ଼ି ପଞ୍ଜୀକରଣ ହୋଇଛି। ଯାହାକି ବୌଦ୍ଧ, ସୋନପୁର ଆରଟିଓର ବାର୍ଷିକ ଆୟ ସହ ପ୍ରାୟ ସମାନ। ତେଣୁ ଏହି ଏଆରଟିଓକୁ ଆରଟିଓରେ ପରିଣତ କରାଯିବ। ଏହା ଅଧୀନରେ ଖୋର୍ଦ୍ଧା ଥାନା ସମେତ ଜଟଣୀ, ବେଗୁନିଆ, ବୋଲଗଡ଼, ଖୋର୍ଦ୍ଧା ସଦର, ଜଙ୍କିଆ, ନିରାକରପୁର, ଟାଙ୍ଗୀ, ବାଣପୁର, ବାଲୁଗାଁ ଥାନା ଅଞ୍ଚଳ ରଖିବାକୁ ପ୍ରସ୍ତାବ ଦିଆଯାଇଛି।

ଆଧୁନିକୀକରଣ ହେବ ଆର୍‌ଟିଓ-୧
ଆଚାର୍ଯ୍ୟ ବିହାର ଛକ ନିକଟରେ ଥିବା ଆରଟିଓ-୧ କାର୍ଯ୍ୟାଳୟକୁ ନୂଆ ରୂପ ଦିଆଯିବ। ଅତ୍ୟାଧୁନିକ କୋଠାରେ ଏହି କାର୍ଯ୍ୟାଳୟ ଚାଲିବ। ଜାତୀୟ ରାଜପଥରେ ଯେମିତି ଭିଡ଼ ନଜମିବ ସେଥିପାଇଁ ବି କାର୍ଯ୍ୟାଳୟ ପରିସରରେ ଆବଶ୍ୟକୀୟ ପାର୍କିଂ ବ୍ୟବସ୍ଥା ରହିବ। ଏଥିପାଇଁ ଆରଟିଓ-୧ କାର୍ଯ୍ୟାଳୟ ପଛରେ ନୂଆ କାର୍ଯ୍ୟାଳୟ ନିର୍ମାଣ ହେଉଛି। ୩.୯୬କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେଉଥିବା ଏହି ବିଲ୍‌ଡିଂ ପ୍ରାୟ ୧୮ହଜାର ବର୍ଗଫୁଟ ଅଞ୍ଚଳରେ ହେବ। ତିନିମହଲା ବିଶିଷ୍ଟ ଏହି ବିଲ୍‌ଡିଂରେ ଅଣ୍ଡରଗ୍ରାଉଣ୍ଡ ପାର୍କିଂ ସହ ପ୍ରଥମ ମହଲା ବି ପାର୍କିଂ ପାଇଁ ବ୍ୟବହାର ହେବ। ପ୍ରାୟ ୧୦୦ କାର୍ ପାର୍କିଂ ହେବାର ବ୍ୟବସ୍ଥା ଏଠାରେ ରହିବ। ଉପର ଦୁଇମହଲାରେ ଆରଟିଓ କାର୍ଯ୍ୟାଳୟ ଚାଲିବ। ଏଠାରେ ଏକ ବଡ଼ ସମ୍ମିଳନୀ ସହ ପ୍ରତ୍ୟେକ ସେକ୍ସନ ସମ୍ମୁଖରେ ଲୋକ ବସିବା ପାଇଁ ବ୍ୟବସ୍ଥା ରହିବ। ଏବେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା‌େବଳେ ୨୦୨୦ରେ ଏହି କୋଠାକୁ ପୁରୁଣା କାର୍ଯ୍ୟାଳୟ ସ୍ଥାନାନ୍ତର ହେବ। ଏହାପରେ ପୁରୁଣା କାର୍ଯ୍ୟାଳୟକୁ ଭାଙ୍ଗି ଦିଆଯିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର