ପୁଣି ଜବତ ହେଲା ବ୍ରାଉନ୍ ସୁଗାର: ୨ ଗିରଫ, ବାଇକ୍‌ରୁ ମିଳିଲା ୧୧ ଗ୍ରାମ୍‌

ଖଣ୍ଡଗିରି: ପୁଣି ରାଜଧାନୀରୁ ଜବତ ହୋଇଛି ବ୍ରାଉନ୍ ସୁଗାର। ଗୁରୁବାର ଭୁବନେଶ୍ବର ଅବକାରୀ ବିଭାଗ ଖୋର୍ଧାରୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡଗିରି କୋଳଥିଆ ଛକରେ ୨ ଜଣଙ୍କୁ କାବୁ କରିଛି। ସେମାନେ ହେଲେ ସାଲିଆ ସାହିର ଦେବାଶିଷ ପାତ୍ର ଓ ନୂଆପଲ୍ଲୀ ଅଞ୍ଚଳର ଲିଲୁ ପ୍ରଧାନ। ସେମାନଙ୍କଠାରୁ ୧୧ ଗ୍ରାମ୍‌ ବ୍ରାଉନ୍ ସୁଗାର ଜବତ କରାଯାଇଛି। ଏହାର ଆନୁମାନିକ ମୂଲ୍ୟ ଲକ୍ଷେ ଟଙ୍କା ହେବ ବୋଲି କୁହାଯାଉଛି। କୋର୍ଟରେ ଜାମିନ୍ ନାମଞ୍ଜୁର ହେବାରୁ ସେମା‌ନଙ୍କୁ ଝାରପଡ଼ା ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ସୂଚନାନୁସାରେ ସାଲିଆସାହିର ଦିଲୁ ନାମକ ଜଣେ ଯୁବକକୁ ଟାର୍ଗ‌େଟ୍‌ କରିଥିଲା ଅବକାରୀ ବିଭାଗ। ଆଜି ଦିଲୁ ଖୋର୍ଧାରୁ ମାଲ୍ ଆଣିବ ବୋଲି ଖବର ମିଳିଥିଲା। ତେଣୁ ସକାଳୁ ଅବକାରୀ ଟିମ୍‌ ସାଲିଆ ସାହିରେ ଡେରା ପକାଇଥିଲା। କିନ୍ତୁ ପରେ ଜଣାଗଲା ଯେ ଦିଲୁ ନିଜେ ନ ଯାଇ ଦୁଇ ଜଣ ସହଯୋଗୀଙ୍କୁ ଖୋର୍ଧା ପଠାଇଛି। ତେଣୁ ଅବକାରୀ ଟିମ୍‌ ଦୁଇ ଭାଗ ହୋଇ ପିତାପଲ୍ଲୀ ଛକରେ ଓ ତମାଣ୍ଡୋ କଳିଙ୍ଗନଗର ଛକରେ ଜଗି ରହିଥିଲେ। ଶେଷରେ ଅବକାରୀ ଟିମ୍‌ ସେମାନଙ୍କୁ ଖଣ୍ଡଗିରି କୋଳଥିଆ ଛକରେ କାବୁ କରିଥିଲା। ସେମାନଙ୍କ ବାଇକ୍‌(ଓଡି୦୨ସି-୧୦୨୩)କୁ ଯାଞ୍ଚ କରିବା ପରେ ସେଥିରୁ ୧୧ ଗ୍ରାମ୍‌ ବ୍ରାଉନ୍ ସୁଗାର ମିଳିଥିଲା। ଏହି ଚଢ଼ଉରେ ଅବକାରୀ ଆଇଆଇସି ପ୍ରଭାତ କୁମାର ସେଠୀଙ୍କ ସହ ଏସଆଇ ଏଚ୍‌ସି ସାମନ୍ତ, ସୁଜିତ୍ ମୁଦୁଲି ଓ ଅନ୍ୟମାନେ ସାମିଲ୍‌ ହୋଇଥିଲେ।

ସମ୍ବନ୍ଧିତ ଖବର