ଡେଙ୍ଗୁ ନେଲା ଜୀବନ!

ଚନ୍ଦ୍ରଶେଖରପୁର: ରାଜଧାନୀରେ କାୟା ମେଲାଉଛି ଡେଙ୍ଗୁ। ଦୁଇ ମାସ ହେଲା ସହରର ଗୋଟିଏରୁ ଆଉ ଗୋଟିଏ ଓ୍ଵାର୍ଡକୁ ଡେଉଁଥିବା ଡେଙ୍ଗୁରେ ଆଜି ସାଲିଆସାହିର ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ, ସାଲିଆସାହି ପ୍ରଧାନସାହି-୨ ଅଞ୍ଚଳର ରାକେଶ ପ୍ରଧାନ। କିଛି ଦିନ ହେଲା ଡେଙ୍ଗୁରେ ଆକ୍ରାନ୍ତ ହୋଇ ସେ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ। ଆଜି ସକାଳୁ ତାଙ୍କର ମୃତ୍ୟୁ ହୋଇଥିଲା। ଏନେଇ ସ୍ଥାନୀୟ ଲୋକେ ପ୍ରଶାସନକୁ ଦାୟୀ କରିଛନ୍ତି। ପ୍ରାଧାନ ସାହିରେ ଡେଙ୍ଗୁ ବ୍ୟାପିଥିବା ଜଣାପଡ଼ିବା ପରେ ଲୋକଙ୍କ ମଧ୍ୟରେ କୋକୁଆ ଭୟ ଖେଳି ଯାଇଛି। ଏକ ମାସ ତଳେ ମଧ୍ୟ ଏହି ଅଞ୍ଚଳର କେତେ ଜଣ ଲୋକ ଡେଙ୍ଗୁରେ ଆକ୍ରାନ୍ତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେମାନେ ଚିକିତ୍ସିତ ହୋଇ ଘରକୁ ଫେରିବା ପରେ ବି ପରିସ୍ଥିତିରେ କୌଣସି ଫରକ୍‌ ପଡ଼ି ନାହିଁ। ପୁଣି ଶତାଧିକ ଲୋକ ଡେଙ୍ଗୁରେ ଆକ୍ରାନ୍ତ ହୋଇ ରାଜଧାନୀର ବିଭିନ୍ନ ମେଡିକାଲରେ ଚିକିତ୍ସାଧୀନ ଥିବା ସ୍ଥାନୀୟ ଲୋକେ କହିଛନ୍ତି। ଆଜି ଜଣଙ୍କର ମୃତ୍ୟୁ ହେବା ପରେ ସ୍ୱାସ୍ଥ୍ୟ ବିଭାଗର ଏକ ପ୍ରତିନିଧି ଦଳ ସ୍ଥାନୀୟ ଅଞ୍ଚଳକୁ ଗସ୍ତ କରି ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ରକ୍ତନମୁନା ପରୀକ୍ଷା ଲାଗି ଏବେ ଲୋକଙ୍କ ମଧ୍ୟରେ ତତ୍ପରତା ପ୍ରକାଶ ପାଇଛି। ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଲୋକେ ଲମ୍ବା ଧାଡ଼ିରେ ଛିଡ଼ା ହୋଇ ରକ୍ତନମୁନା ପରୀକ୍ଷା କରୁଛନ୍ତି। କଳିଙ୍ଗ ହସ୍ପିଟାଲ ନିକଟରେ ଥିବା ରିଜିଓନାଲ ମେଡିକାଲ ରିସର୍ଚ୍ଚର୍ ସେଣ୍ଟର (ଆରଏମ୍‌ଆରସି)ରେ ପ୍ରତିଦିନ ସକାଳୁ ସନ୍ଧ୍ୟା ପର୍ଯର୍୍ୟନ୍ତ ଲମ୍ବା ଲାଇନ୍‌ ଲାଗୁଛି। ପ୍ରତିଦିନ ଏଠାକୁ ୪୦ରୁ ୫୦ ଜଣ ଲୋକ ରକ୍ତ ନମୁନା ପରୀକ୍ଷା କରିବାକୁ ଆସୁଥିବା ବେଳେ ୧୦ରୁ ୧୫ ଜଣଙ୍କଠାରେ ଡେଙ୍ଗୁ ଚିହ୍ନଟ ହେଉଛି।

ସାଲିଆ ସାହିରେ ଶତାଧିକ ଆକ୍ରାନ୍ତ
ପ୍ରତିଦିନ ପରୀକ୍ଷା ହେଉଛି ୪୦ ନମୁନା
ଅଞ୍ଚଳ ବୁଲିଲେ ସ୍ଥାନୀୟ ବିଧାୟକ

ବିଧାୟକ ପ୍ର୍ରିୟଦର୍ଶୀ ମିଶ୍ର ଆଜି ସ୍ଥାନୀୟ ଅଞ୍ଚଳ ଗସ୍ତ କରି ଲୋକଙ୍କ ସହ ଆଲୋଚନା କରିଛନ୍ତି। ଭୟଭୀତ ନ ହେବାକୁ ପରାମର୍ଶ ଦେବା ସହ ବିଏମ୍‌ସିର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଶ୍ରୀ ମିଶ୍ର କହିଛନ୍ତି ଯେ ଡେଙ୍ଗୁରେ ମୃତ୍ୟୁ ହୋଇଥିବା ଖବର ପାଇବା ପରେ ପ୍ରଧାନସାହି ଯାଇ ଅନୁଧ୍ୟାନ କରିଥିଲି। ସମ୍ପୃକ୍ତ ବ୍ୟକ୍ତିଙ୍କର କିଭଳି ମୃତ୍ୟୁ ହୋଇଛି, ରିପୋର୍ଟ ଦେଖିପାରିନି। ହେଲେ ପ୍ରଧାନସାହି ଅଞ୍ଚଳରେ ଡେଙ୍ଗୁ ବ୍ୟାପିଛି। ଏବେ ବି କ୍ୟାପିଟାଲ ଓ ସମ୍‌ ହସ୍ପିଟାଲରେ ଅନେକ ରୋଗୀ ଚିକିତ୍ସିତ ହେଉଛନ୍ତି। ବିଏମ୍‌ସି ଅତିରିକ୍ତ କମିସନରଙ୍କ ସହ ଆଲୋଚନା କରିଛି। ନିକଟବର୍ତ୍ତୀ ଅଞ୍ଚଳରେ ବହୁଦିନ ହେଲା ଜମି ରହିଥିବା ପାଣିକୁ ସଫେଇ କରିବା, ଆବର୍ଜନା ନିୟମିତ ଉଠାଇବାକୁ କୁହାଯାଇଛି। ଆର୍‌ଏମ୍‌ଆରସି ଯାଇ ସେଠାକାର ସ୍ଥିତି ଅନୁଧ୍ୟାନ କରିଛି। ଲୋକେ ଏନେଇ ସଚେତନ ହେବା ଆବଶ୍ୟକ ବୋଲି ସେ କହିଛନ୍ତି। ଡେଙ୍ଗୁ ମୃତ୍ୟୁ ହୋଇଥିବା ନେଇ ଲୋକେ ଅଭିଯୋଗ କରୁଥିବା ବେଳେ ପ୍ରଶାସନ ପକ୍ଷରୁ ଏନେଇ କୌଣସି ସୂଚନା ଦିଆଯାଇ ନାହିଁ।

ସମ୍ବନ୍ଧିତ ଖବର