ପୁଣି ୩ ଡେଙ୍ଗୁ ପଜିଟିଭ୍‌: ଆଜିଠୁ ନୀଳାଦ୍ରିବିହାର ପିଏଚ୍‌ସିରେ କଣ୍ଟ୍ରୋଲ ରୁମ୍‌

ମିଳିତ ଭାବେ କାର୍ଯ୍ୟ କରିବେ ୪ ବିଭାଗ

ଭୁବନେଶ୍ୱର: ରାଜଧାନୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ଏହା ଏବେ ବିଏମ୍‌ସି ଓ ସ୍ୱାସ୍ଥ୍ୟ ବିଭାଗର ନିଦ ହଜାଇଦେଇଛି। ଗତ ଦୁଇ ଦିନ ହେବ ଘନ ଘନ ବୈଠକ ବସିବା ସହିତ ଡେଙ୍ଗୁକୁ କିଭଳି ନିୟନ୍ତ୍ରଣକୁ ଅଣାଯିବ ସେଥିପାଇଁ ବିଭାଗୀୟ ଅଧିକାରୀମାନେ ଲାଗି ପଡ଼ିଛନ୍ତି। ଏକାଧିକ ବିଭାଗର ସମନ୍ଵୟରେ ରାଜଧାନୀରେ ଡେଙ୍ଗୁ ନିୟନ୍ତ୍ରଣ ଲାଗି ଯୋଜନା ପ୍ରସ୍ତୁତ କରାଯାଇଛି। ଅପରପକ୍ଷରେ ଆଜି ରାଜଧାନୀରେ ୩ଟି ଡେଙ୍ଗୁ ପଜିଟିଭ୍‌ ଚିହ୍ନଟ ହୋଇଛି। ଏହାକୁ ମିଶାଇ ରାଜଧାନୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୧୩ରେ ପହଞ୍ଚିଛି। ଖୋର୍ଧା ଜିଲ୍ଲାରେ ଚିହ୍ନଟ ହୋଇଥିବା ୫ଜଣଙ୍କୁ ମିଶାଇଲେ ଏହି ସଂଖ୍ୟାରେ ୧୮ ଛୁଇଁଛି। ଏହାସହ ନୀଳାଦ୍ରିବିହାର ପିଏଚ୍‌ସିରେ ଗୋଟିଏ ଡେଙ୍ଗୁ କଣ୍ଟ୍ରୋଲ ରୁମ୍‌ ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି। ଆସନ୍ତାକାଲିଠାରୁ ଏହା କାର୍ଯ୍ୟ କରିବ। ଯାହାଫଳରେ ସ୍ଥାନୀୟ ଅଞ୍ଚଳରେ ଡେଙ୍ଗୁ ସଂପର୍କିତ ସମସ୍ତ ତଥ୍ୟର ଆଦାନ ପ୍ରଦାନ ହୋଇପାରିବ। ଏହାସହ ସ୍ୱାସ୍ଥ୍ୟସେବା ନିର୍ଦେଶାଳୟ ପରିସରରେ ମଧ୍ୟ ଏକ କଣ୍ଟ୍ରୋଲ ରୁମ୍‌ ପୂର୍ବରୁ କାର୍ଯ୍ୟ କରୁଛି।

ସୂଚନା ଅନୁଯାୟୀ, ସାଲିଆସାହି ଅଞ୍ଚଳରେ ପ୍ରତିବର୍ଷ ଡେଙ୍ଗୁ ଘଟଣା ନଜରକୁ ଆସୁଥିବାରୁ ସେହି ଅଞ୍ଚଳରେ ଏହାର ଉତ୍ସକୁ କିଭଳି ନିପାତ କରାଯିବ ତାହା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏଥିପାଇଁ ସ୍ଥାନୀୟ ଅଞ୍ଚଳରେ ବୁଦାଗୁଡ଼ିକୁ କାଟିବା ସହିତ ଫଗିଂ ଓ ଟିଫା ମେସିନ୍‌ ଜରିଆରେ ଗ୍ୟାସ୍‌ ପ୍ରଯୋଗ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଯଦିଓ ବସ୍ତି ଅଞ୍ଚଳରେ ଗ୍ୟାସ୍‌ ପ୍ରଯୋଗ ସହଜ ହେଉଛି ତେବେ କଲୋନି ଓ ରେସିଡେନ୍‌ସି ଅଞ୍ଚଳରେ ଘରକୁ ଘର ଯାଇ ଗ୍ୟାସ୍‌ ପ୍ରୟୋଗ ସମ୍ଭବ ହୋଇପାରୁ ନ ଥିବା ସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।
ଅପରପକ୍ଷରେ ଡେଙ୍ଗୁ ନିୟନ୍ତ୍ରଣ ଲାଗି ରାଜ୍ୟ ସରକାରଙ୍କ ୪ଟି ବିଭାଗ ଏକକାଳୀନ ସାଲିଆସାହି ଓ ଏହା ନିକଟବର୍ତୀ ଅଞ୍ଚଳରେ କାର୍ଯ୍ୟ କରିବେ। ଏଡିଏମ୍‌ଓ(ଜନସ୍ୱାସ୍ଥ୍ୟ), ସହରାଞ୍ଚଳ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଫାଇଲେରିଆ ଇନ୍‌ସପେକ୍ଟର, ବିଏମ୍‌ସିର ଓ୍ଵାର୍ଡ ଅଧିକାରୀ ଓ ଖୋର୍ଧା ଜିଲ୍ଲା ମ୍ୟାଲେରିଆ ଅଧିକାରୀ ମିଳିତଭାବେ କାର୍ଯ୍ୟ କରିବାକୁ ନିର୍ଦେଶ ଦିଆଯାଇଛି। ତେବେ ସ୍ଥାନୀୟ ଅଞ୍ଚଳରେ ସଚେତନତା ସୃଷ୍ଟି କରିବା ପାଇଁ ଲିଫଲେଟ୍‌ ବଣ୍ଟନ କରାଯିବ। ପ୍ଲାନ୍‌ ଇଣ୍ଡିଆ ନାମକ ଏକ ସଂସ୍ଥାକୁ ସ୍ଥାନୀୟ ଅଞ୍ଚଳରେ ସଚେତନତା ପାଇଁ ଦାୟିତ୍ୱ ଦିଆଯାଇଥିବା ଅଧିକାରୀ ଜଣକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର