ସନ୍ଧ୍ୟାରେ ପୁଣି ବର୍ଷିଲା, ୩୫ ମିନିଟ୍‌ରେ ୧୬ ମିମି

ବିଜୁଳି କଟିଲା, ଲୋକେ ନାକେଦମ, ବମିଖାଲ ରେଲୱେ ଓଭରବ୍ରିଜ୍‌ ଉପରେ ଜମିଲା ପାଣି

ଭୁବନେଶ୍ବର: ସକାଳେ ପାଗ ଶୁଖିଲା ଥିଲା। ତାପମାତ୍ରା ୪୦ ଡିଗ୍ରି ତଳେ ରହିଥିଲେ ମଧ୍ୟ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଥିଲା। ପୂର୍ବାହ୍ନ ୧୧ଟାରୁ ଅପରାହ୍‌ଣ ୪ଟା ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗିରହିଥିଲା। ଲୋକେ ମଧ୍ୟ ଗୁଳୁଗୁଳିରେ ଆଉଟପାଉଟୁ ହେଉଥିଲେ। ତେବେ ସନ୍ଧ୍ୟା ସମୟରେ ହଠାତ୍‌ ପାଗରେ ପରତିବର୍ତନ ଘଟିଲା। ରାଜଧାନୀ ଆକାଶରେ ଘୋଟି ଆସିଲା କଳାହାଣ୍ଡିଆ ମେଘ। କେହି କିଛି ବୁଝିବା ପୂର୍ବରୁ ତୁହାକୁ ତୁହା ପବନ ସାଙ୍ଗକୁ ବର୍ଷା ହୋଇଥିଲା। ୩୫ ମିନିଟ୍‌ ମଧ୍ୟରେ ସହରରେ ୧୬ ମିମି ବର୍ଷା ହେଲା। ବର୍ଷାର ପ୍ରକୋପ ଏଭଳି ଥିଲା ଯେ ଯିଏ ଯେଉଁଠି ଥିଲେ ସେଠାରେ ଅଟକି ରହିଯାଇଥିଲେ। ସନ୍ଧ୍ୟା ସାଢ଼େ ୬ଟାରୁ ୮ଟା ପର୍ଯ୍ୟନ୍ତ କାଳବୈଶାଖୀ ବର୍ଷା ସହ ବଜ୍ରପାତରେ ଭୟଭୀତ ହୋଇପଡ଼ିଲେ ଲୋକେ। ଅସରାଏ ବର୍ଷାରେ ସହରର ବିଭିନ୍ନ ଖାଲୁଆ ସ୍ଥାନରେ ପାଣି ଲହଡ଼ି ଭାଙ୍ଗିଛି। ପ୍ରତିଥର ପରି ଏଥର ମଧ୍ୟ ରସୁଲଗଡ଼-ବମିଖାଲ ରାସ୍ତାରେ ବର୍ଷା ପାଣି ଢେଉ ଖେଳିଥିଲା। ଲୋକ ରାସ୍ତା ଜାଣିପାରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ସୂଚନା ମିଳିଛି। ବର୍ଷା ଯୋଗୁଁ ବମିଖାଲ ରେଲ୍‌ୱେ ଓଭରବ୍ରିଜ୍‌କୁ ବିପଦ ଦେଖାଦେଇଛି। ବ୍ରିଜ୍‌ ଉପରେ ପାଣି ଜମି ରହୁଥିବାରୁ ଭବିଷ୍ୟତରେ ବ୍ରିଜ୍‌ ରାସ୍ତା ନଷ୍ଟ ହେବାର ଆଶଙ୍କା ପ୍ରକାଶ ପାଇଛି। ପାଣି ଜମି ରହିଥିବାରୁ ଲୋକଙ୍କୁ ମଧ୍ୟ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଅନେକ ସ୍ଥାନରେ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହୋଇଥିଲା। ବର୍ଷା ଯୋଗୁଁ ସହରରେ ବିଜୁଳି ବିଭ୍ରାଟ ଦେଖାଦେଇଛି। ସମସ୍ତ ଅଞ୍ଚଳରେ ଘନ ଘନ ବିଜୁଳି କାଟ ହୋଇଥିଲା। ରାତିରେ ଲୋକଙ୍କୁ ନାକେଦମ ହେବାକୁ ପଡ଼ିଥିଲା। କେତେକ ସ୍ଥାନରେ ସନ୍ଧ୍ୟାରୁ ବିଜୁଳି ଯାଇଛି ଯେ ମଧ୍ୟ ରାତି ପର୍ଯ୍ୟନ୍ତ ସ୍ଥିତି ସ୍ବାଭାବିକ ହୋଇପାରିନି। ଗତକାଲିଠାରୁ ସହରରେଏଭଳି ବିଜୁଳି କାଟ ସମସ୍ୟା ଲାଗିରହିଥିଲେ ମଧ୍ୟ କେହି ଗୁରୁତ୍ବ ଦେଉ ନାହାନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ଅର୍ଧାଧିକ ସମୟ ସହରରେ ବିଜୁଳି କାଟ ହେଉଛି। ସମସ୍ୟା ନେଇ ଲୋକେ ଯେତେ ଫୋନ୍‌ କଲେ ମଧ୍ୟ ସେକ୍ସନରେ ଥିବା ବିଭାଗୀୟ ଅଧିକାରୀମାନେ ଶୁଣୁ ନଥିବା ଲୋକେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର