ଭୁବନେଶ୍ୱର: ଭୋକିଲା ପେଟକୁ ଗଣ୍ଡାଏ ଆହାର ଦେବାକୁ ସହରରେ ଖୋଲିଛି ‘ଆହାର କେନ୍ଦ୍ର’। ଗରିବ, ଦିନ ମଜୁରିଆ ଏବଂ ସହରକୁ କର୍ମ ଯୋଗାଡ଼ରେ ଆସୁଥିବା ବ୍ୟକ୍ତିବିଶେଷଙ୍କୁ ଆଖି ଆଗରେ ରଖି ସୁଲଭ ଦରରେ ଭୋଜନ ଯୋଗାଇ ଦେବା ଉଦ୍ଦେଶ୍ୟରେ ସରକାର ଆରମ୍ଭ କରିଥିଲେ ଆହାର ଯୋଜନା। ୨୦୧୫ ମସିହା ଏପ୍ରିଲ୍ ୧ ଉତ୍କଳ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଥିବା ଏହି ଯୋଜନାକୁ ୪ ବର୍ଷ ପୂରିଛି। ୟାରି ଭିତରେ ରାଜଧାନୀରେ ୯ଟି ଆହାର କେନ୍ଦ୍ରରେ ୬ହଜାର ୫୦୦ ମିଲ୍ ଯୋଗାଇ ଦିଆଯାଉଛି। ତଥାପି ତାହା ଅଣ୍ଟୁ ନାହିଁ। ନା ପେଟକୁ ପାଉଛି ନା ଭୋକ ମେଣ୍ଟାଇ ପାରୁଛି। କାଉଣ୍ଟର ୧୧ଟାରେ ଖୋଲୁଥିଲେ ହେଁ ୧୨ଟା ବାଜିବା ବେଳକୁ ମିଲ୍ ଶେଷ ହୋଇଯାଉଛି। ଆଜି ଆମେ ନୟାପଲ୍ଲୀ ନାବାର୍ଡ କାର୍ଯ୍ୟାଳୟ ସମ୍ମୁଖ ଆହାର କେନ୍ଦ୍ର ନିକଟରେ ମଧ୍ୟାହ୍ନ ୧ଟାରେ ପହଞ୍ଚିଲା ବେଳକୁ କେନ୍ଦ୍ରରୁ କର୍ମଚାରୀମାନେ ଧୁଆଧୋଇ ହୋଇ ବାହାରି ଆସୁଥିଲେ। ପଚାରିବାରୁ କହିଲେ, ମିଲ୍ ଆଉ ନାହିଁ। ୧୨ଟାରୁ ସରିଲାଣି। ମାତ୍ର ଘଣ୍ଟାଏ ଭିତରେ ୫୦୦ ମିଲ୍ ଶେଷ ହୋଇଯାଇଥିଲା। ତେବେ ଖାଲି ଆଜି ନୁହେଁ, ପ୍ରତି ନିରାମିଷ ବାରିରେ ଏଇଠି ଠିକ୍ ଏମିତି ହିଁ ଘଟେ।
Sambad is now on WhatsApp
Join and get latest news updates delivered to you via WhatsApp
ଷ୍ଟେସନ୍, ବସ୍ଷ୍ଟାଣ୍ଡ, ହସ୍ପିଟାଲ୍କୁ ଦୃଷ୍ଟିରେ ରଖି ପ୍ରଥମେ ୪ଟି କେନ୍ଦ୍ରରୁ ଶୁଭାରମ୍ଭ କରାଯାଇଥିବା ‘ଆହାର’ ଯୋଜନାରେ ଏବେ ୯ଟି କେନ୍ଦ୍ରରେ ଖାଦ୍ୟ ଯୋଗାଇ ଦିଆଯାଉଛି। କଳ୍ପନା, ମାଷ୍ଟରକ୍ୟାଣ୍ଟିନ୍, କ୍ୟାପିଟାଲ୍ ହସ୍ପିଟାଲ୍, ରସୁଲଗଡ଼ ଆହାର କେନ୍ଦ୍ରରେ ୧ହଜାର ମିଲ୍ ଏବଂ ନୟାପଲ୍ଲୀ, ବରମୁଣ୍ଡା ବସ୍ଷ୍ଟାଣ୍ଡ୍, ଅଶୋକ ନଗର, ସୈନିକ ସ୍କୁଲ୍ ନିକଟ ଏବଂ ସମ୍ ହସ୍ପିଟାଲ୍ ନିକଟ ଆହାର କେନ୍ଦ୍ରରେ ୫୦୦ ମିଲ୍ ଉପଲବ୍ଧ ହେଉଛି। ୨୦ଟଙ୍କାର ମିଲ୍କୁ ସରକାର ଭାତ ଓ ଡାଲମା ସହ ୫ଟଙ୍କାରେ ପରଷୁଛନ୍ତି। ଏ ବାବଦରେ ରାଜଧାନୀରେ ସରକାର ପ୍ରତିଦିନ ୧ଲକ୍ଷ ୩୦ ହଜାର ଟଙ୍କା ବ୍ୟୟ କରୁଛନ୍ତି। ବାହାରୁ ଆସୁଥିବା ଅନେକ ଛାତ୍ରଛାତ୍ରୀ, ଶ୍ରମିକଙ୍କ ସମେତ ବହୁ ଚାକିରିଆ ମଧ୍ୟ ଉପକୃତ ହେଉଛନ୍ତି। ମାତ୍ର କିଛି ନିର୍ଦିଷ୍ଟ କେନ୍ଦ୍ରରେ ଆବଶ୍ୟକୀୟ ମିଲ୍ ପାଇଁ କରାଯାଇଥିବା ଆକଳନ ଏବଂ ପରିଚାଳନାଗତ ତ୍ରୁଟି ପାଇଁ ବହୁ ହିତାଧିକାରୀ ୫ ଟଙ୍କିଆ ଭାତ ଡାଲମାରୁ ବଞ୍ଚିତ ହେଉଛନ୍ତି। ସୋସାଇଟି ରେଜିଷ୍ଟ୍ରେସନ୍ ନିୟମ-୧୯୮୦ ଭିତ୍ତିରେ ସିଟି ଆହାର ସୋସାଇଟି ଏହାର ପରିଚାଳନା ଦାୟିତ୍ୱରେ ରହିଛି। ତେବେ ବରମୁଣ୍ଡା ବସଷ୍ଟାଣ୍ଡ ଏବଂ ନୟାପଲ୍ଲୀ ନିକଟସ୍ଥ କେନ୍ଦ୍ରରେ ମାତ୍ର ୫୦୦ ମିଲ୍ର ବ୍ୟବସ୍ଥା ହୋଇଥିବା ବେଳେ ଏହା ସେଠାକାର ଆବଶ୍ୟକତାକୁ ପୂରଣ କରି ପାରୁନାହିଁ। ଏନେଇ ବିଏମ୍ସିର ଡେପୁଟି କମିସନର ଶ୍ରୀମନ୍ତ ମିଶ୍ରଙ୍କୁ ପଚାରିବାରୁ ସେ କହିଛନ୍ତି, ଏଭଳି ଆହାର ନିଅଣ୍ଟ ହେଉଥିବା ନେଇ ଆମେ କୌଣସି ଅଭିଯୋଗ ପାଇନୁ। ଲୋକେ ଏନେଇ ଜଣାଇଲେ ଆମେ ସରକାରଙ୍କୁ ଅବଗତ କରିବୁ। ଏହାପରେ ସମସ୍ୟା ନେଇ ବିଚାର କରାଯିବ ବୋଲି ସେ କହିଛନ୍ତି।
ସାଢ଼େ ୧୦ରୁ ଲାଇନ୍
ଆହାର କେନ୍ଦ୍ରଗୁଡ଼ିକ ରବିବାର ଛଡ଼ା ଅନ୍ୟ ବାରଗୁଡ଼ିକରେ ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଖୋଲା ରହୁଛି। ତେବେ ବୁଧବାର ଓ ଶୁକ୍ରବାର ଭଳି ଆମିଷ ବାରିକୁ ଛାଡ଼ିଦେଲେ ଅନ୍ୟ ଦିନରେ ଆହାର କେନ୍ଦ୍ର ଆଗରେ ସକାଳ ସାଢ଼େ ୧୦ରୁ ଲାଇନ୍ ଲାଗୁଛି। ତେଣୁ ସମୟ ସୀମା ୩ଟା ପର୍ଯ୍ୟନ୍ତ ଥିଲେ ହେଁ ଭାତ ଡାଲମା ଅଧିକାଂଶ କେନ୍ଦ୍ରରେ ୧୨ଟାରୁ ଗୋଟେ ମଧ୍ୟରେ ସରି ଯାଉଛି। ତେବେ ବୁଧବାର ଓ ଶୁକ୍ରବାର ସମେତ ଅନ୍ୟାନ୍ୟ ଛୁଟିଦିନଗୁଡ଼ିକରେ ଆହାର କେନ୍ଦ୍ରର ଆହାର ସରୁନାହିଁ। ବରଂ ପାଖାପାଖି ଅଧା ମିଲ୍ ବଳି ଫେରି ଯାଉଥିବା ଆହାର କେନ୍ଦ୍ରର ଜଣେ କର୍ମଚାରୀ କହିଛନ୍ତି।
ପାର୍ସଲରେ ଅଙ୍କୁଶ ନାହିଁ
ଆହାର ଶୀଘ୍ର ଶେଷ ହୋଇଯିବା ପଛରେ ଅନେକ କାରଣ ରହିଛି। ୫ ଟଙ୍କାରେ ଜଣେ କେବଳ ଥରେ ମାତ୍ର ଖାଦ୍ୟ ନେଇପାରିବ। ତେବେ କିଛି ଶ୍ରମିକ ଶ୍ରେଣୀର ବ୍ୟକ୍ତିଙ୍କ କହିବା ମୁତାବକ, ଗୋଟିଏ ମିଲ୍ରେ ଯେତିକି ଖାଦ୍ୟ ଥାଳିରେ ଦିଆଯାଉଛି, ଆମ ପେଟକୁ ପାଉନି। ତେଣୁ ୨ଟି କୁପନ୍ ନେବାର ନିୟମ ନଥିଲେ ହେଁ ସେମାନେ ବାଧ୍ୟ ହୋଇ ୨ଟି ମିଲ୍ ଖାଉଛନ୍ତି। ଏଣେ ନୟାପଲ୍ଲୀ ଆହାର କେନ୍ଦ୍ରକୁ ବଡ଼ ବସ୍ତିଟିଏ ଲାଗିଥିବାରୁ କିଛି ଶ୍ରମିକ ଶ୍ରେଣୀର ବସ୍ତିବାସିନ୍ଦା କାମ ମିଳୁନଥିବା ଦିନମାନଙ୍କରେ ଏହି ଆହାର କେନ୍ଦ୍ର ଉପରେ ପ୍ରାୟତଃ ନିର୍ଭରଶୀଳ ହୋଇପଡ଼ୁଥିବା ଦେଖିବାକୁ ମିଳେ। ଏହା ଛଡ଼ା ଅନ୍ୟ କାରଣଟି ହେଉଛି, ପାର୍ସଲ। ବରମୁଣ୍ଡା ଆହାର କେନ୍ଦ୍ର ସମ୍ମୁଖରେ କିଛି ବ୍ୟକ୍ତିବିଶେଷ ଧାଡ଼ିରେ ୨ଥର ଛିଡ଼ା ହୋଇ ୪ଟି ମିଲ୍ ଆଣି ଟିଫିନ୍ରେ ଘର ପାଇଁ ସଜାଡ଼ି ନେଉଥିବା ଦୃଶ୍ୟ ମଧ୍ୟ ଦେଖିବାକୁ ମିଳୁଛି। ତେଣୁ ଅଧିକାଂଶ ସ୍ଥାନରେ ୨ଟା ବାଜିବା ବେଳକୁ ମିଲ୍ ଶେଷ ହୋଇଯାଉଛି।