ଷ୍ଟାଡିୟମ୍‌ରେ ଏଡ୍‌ସ ସଚେତନତା

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମ୍‌ରେ ହେବ ଏଡ୍‌ସ ସଚେତନତା। ଖେଳାଳି ଓ ସେଲିବ୍ରିଟିଙ୍କ ଏଡ୍‌ସ ସଚେତନତାର ଭିଡିଓ ବାର୍ତା ଦର୍ଶକ ଦେଖିବେ। ଚଳିତବର୍ଷ ବିଶ୍ବ ଏଡ୍‌ସ ଦିବସକୁ ନିଆରା ଢଙ୍ଗରେ ପାଳନ କରିବାକୁ ଯୋଜନା କରିଛି ରାଜ୍ୟ ଏଡ୍‌ସ ନିୟନ୍ତ୍ରଣ ସମିତି ବା ଓସାକ୍ସ। ରାଜଧାନୀରେ ବିଶ୍ବକପ୍‌ ହକି ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇଯାଇଥିବା ବେଳେ ବିଶ୍ବସ୍ତରରେ ଏହି ସଚେତନତା ବାର୍ତା ପହଞ୍ଚାଇବା ପାଇଁ ପ୍ରଥମଥର ଲାଗି ଏଭଳି ଏକ ଆୟୋଜନ କରାଯାଇଛି। ଡିସେମ୍ବର ୧ତାରିଖରେ ହେବାକୁ ଥିବା ମ୍ୟାଚ୍‌ରେ ଏଡ୍‌ସ ସଚେତନତାର ସମସ୍ତ କାର୍ଯ୍ୟକ୍ରମ ଦର୍ଶକ ଦେଖିବାକୁ ପାଇବେ। ଚଳିତବର୍ଷ ବିଶ୍ବ ଏଡ୍‌ସ ଦିବସର ବିଷୟବସ୍ତୁ ବା ଥିମ୍ ରହିଛି ‘ନୋ ଇୟୋ‌ର ଷ୍ଟାଟସ୍ ବା ନିଜର ସ୍ଥିତି ସଂପର୍କରେ ଜାଣନ୍ତୁ’। ଏହାର ଆଧାରରେ ଓସାକ୍ସ ପକ୍ଷରୁ ସ୍ବାସ୍ଥ୍ୟ ବିଭାଗ, କ୍ରୀଡ଼ା ଓ ଯୁବ ବ୍ୟାପାର ଓ ଭାରତୀୟ ହକି ସଂଘର ମିଳିତ ଉଦ୍ୟମରେ ହକି ମ୍ୟାଚ୍ ଅବସରରେ ଏହି କାର୍ଯ୍ୟକ୍ରମ ପାଇଁ ଯୋଜନା ହୋଇଛି। ଏଥିରେ ଛାତ୍ରଛାତ୍ରୀଙ୍କୁ ନେଇ ମାନବ ରେଡ୍ ରିବନ, ଅନ୍ତର୍ଜାତୀୟ ଖେଳାଳି, ସେଲିବ୍ରିଟି ଓ ମ୍ୟାଚ୍ ଦେଖିବା ପାଇଁ ଲାଗିଥିବା ସ୍କ୍ରିନ୍‌ର ତଳେ ଚାଲୁଥିବା ସ୍କ୍ରଲ୍‌ରେ ଏଡ୍‌ସ ସଚେତନତାର ବାର୍ତା ଦିଆଯିବ। ତେବେ ଇଷ୍ଟ ଗ୍ୟାଲେରିରେ ଏକ ମାନବ ରେଡ୍‌ ରିବନ୍ ଗଠନ କରିବା ଏହି ସଚେତନତା କାର୍ଯ୍ୟକ୍ରମର ହେଉଛି ପ୍ରମୁଖ ଆକର୍ଷଣ। ଏଥିରେ ୨/୩ହଜାର ଛାତ୍ରଛାତ୍ରୀ ସାମିଲ ହେବା ସହିତ ରିବନ୍ ଗଠନ କରିବେ। ଏଥିରେ ରେଡ୍‌ ରିବନ୍ କ୍ଲବର ସଦସ୍ୟ, ପିଏଲ୍-ଏଚ୍‌ଆଇଭି, ଏନ୍‌ସିପି, ସ୍କାଉଟ୍ ଏଣ୍ଡ ଗାଇଡ୍ ଓ ସ୍ବେଚ୍ଛାସେବୀ ସାମିଲ ହେବେ। ଗ୍ୟାଲେରିରେ କିଭଳି ଏହି ରିବନ୍ ଗଠନ ହେବ ତାହାର ଡିଜାଇନ୍ ଶେଷ ହୋଇଛି। ଏଥିରେ ଭାଗ ନେବାକୁ ଥିବା ଛାତ୍ରଛାତ୍ରୀ ଓ ଅନ୍ୟମାନଙ୍କୁ ଓସାକ୍ସ ପକ୍ଷରୁ ଟି-ସାର୍ଟ ଓ ଟୋପି ଯୋଗାଇ ଦିଆଯିବ।

ଇଷ୍ଟ ଗ୍ୟାଲେରିରେ ମାନବ ରେଡ୍ ରିବନ, ମ୍ୟାଚ୍ ମଝିରେ ବାଜିବ ଖେଳାଳି ଓ ସେଲିବ୍ରିଟିଙ୍କ ଭିଡିଓ ବାର୍ତା

ସେହିପରି ଦେଶର ଅନ୍ତର୍ଜାତୀୟ ଖେଳାଳି ଓ ସେଲିବ୍ରିଟିଙ୍କୁ ମଧ୍ୟ ଏଥିରେ ସାମିଲ କରାଯାଇଛି। ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଦିଲ୍ଲୀପ ତିର୍କି, କ୍ରିକେଟର ଦେବାଶିଷ ମହାନ୍ତି, ଭାରତୀୟ ହକି ଦଳର ଅଧିନାୟକ ମନପ୍ରୀତ ସିଂହ, ଦୌଡ଼ରାଣୀ ଦୂତୀ ଚାନ୍ଦଙ୍କ ସମେତ ବାବୁଶାନ, ଅର୍ଚିତା, ବିଭୁ କିଶୋର, ଶିବାନୀ ଓ ସ୍ବରାଜଙ୍କ ଏଡ୍‌ସ ସଚେତନତାର ଭିଡିଓ ବାର୍ତା ଦର୍ଶକ ସ୍କ୍ରିନ୍‌ରେ ଦେଖିବାକୁ ପାଇବେ। ଏହି ବାର୍ତା ୨୦ ସେକେଣ୍ଡର ରହିଛି। ମ୍ୟାଚ୍ ମଝିରେ ହେଉଥିବା ବିଶ୍ରାମ ଓ ଦୁଇ ମ୍ୟାଚ୍ ମଝିରେ ଏହାକୁ ପ୍ରଦର୍ଶନ କରାଯିବ। ଏହାସହ ହକି ମ୍ୟାଚ୍ ଦେଖିବା ଲାଗି ଷ୍ଟାଡିୟମ୍‌ ଓ ଯେଉଁ ସ୍ଥାନରେ ଏଲ୍‌ସିଡି ସ୍କ୍ରିନ୍ ଲାଗିଥିବ ଏହାର ସ୍କ୍ରଲ୍‌ରେ ବିଶ୍ବ ଏଡ୍‌ସ ଦିବସର ସଚେତନତା ବାର୍ତା ଦେଖାଯିବ ‌ବୋଲି ଓସାକ୍ସର ଯୁଗ୍ମ ନିର୍ଦେଶକ(ଆଇଇସି) ସୋନିଆ ବେହେରା ସୂଚନା ଦେଇଛି। ସେ କହିଛନ୍ତି ଯେ, ବିଶ୍ବ ଏଡ୍‌ସ ଦିବସ ପାଇଁ ଏଭଳି ନିଆରା ଢଙ୍ଗରେ ଏହାକୁ ପାଳନ କରିବା ପାଇଁ ଯୋଜନା ହୋଇଛି। ପୂର୍ବରୁ ଏଭଳି ସଚେତତନା କାର୍ଯ୍ୟକ୍ରମ ଆୟୋଜିତ ହୋଇ ନ ଥିଲା। ହକି ମ୍ୟାଚ୍‌ରେ ସଚେତନତା ବାଦ ସକାଳୁ ଏକ ସଚେତନତା ଶୋଭାଯାତ୍ରା ଏକାମ୍ର ହାଟରୁ ବାହାରି ଜୟଦେବ ଭବନରେ ପହଞ୍ଚିବ ବୋଲି ଶ୍ରୀମତୀ ବେହେରା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର