ଏମ୍‌ସକୁ ‘କାୟାକଳ୍ପ’ ପୁରସ୍କାର

ଖଣ୍ଡଗିରି: ସ୍ୱଚ୍ଛ ଭାରତ ମିସନ୍‌ ଯୋଜନାରେ ଭୁବନେଶ୍ୱର ଏମ୍‌ସକୁ ମିଳିବ ‘କାୟାକଳ୍ପ’ ପୁରସ୍କାର। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏ ବାବଦରେ ଭୁବନେଶ୍ୱର ଏମ୍‌ସକୁ କୋଟିଏ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ। ସମଗ୍ର ଦେଶରେ ବି କାଟାଗୋରିର ମେଡିକାଲ କଲେଜମାନଙ୍କ ଭିତରେ ଭୁବନେଶ୍ୱର ଏମ୍‌ସକୁ ଦ୍ୱିତୀୟ ଶ୍ରେଷ୍ଠ ହସ୍ପିଟାଲ ଭାବେ ବିବେଚିତ କରାଯାଇଛି। ଚଳିତ ମାସ ୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ଚାଲିଥିବା ସ୍ୱଚ୍ଛ ପଖଓ୍ଵାଡ଼ା କାର୍ଯ୍ୟକ୍ରମ ଅବସରରେ ଏମ୍‌ସକୁ ଏହି ପୁରସ୍କାର ମିଳୁଥିବାରୁ ନିର୍ଦେଶକଙ୍କଠାରୁ ଆରମ୍ଭ କରି ସମସ୍ତ ପଦସ୍ଥ ଅଧିକାରୀ, ପ୍ରଫେସର, ଡାକ୍ତର, ନର୍ସ, ଛାତ୍ରଛାତ୍ରୀ, କର୍ମଚାରୀମାନଙ୍କ ଭିତରେ ଖୁସିର ଲହରି ଖେଳି ଯାଇଛି। ଗତ ୧୧ ତାରିଖରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଗାୟତ୍ରୀ ମିଶ୍ର ସ୍ୱଚ୍ଛ ପଖଓ୍ଵାଡ଼ା କାର୍ଯ୍ୟକ୍ରମରେ ଅତିଥିଭାବେ ଯୋଗ ଦେଇଥିଲେ। ହସ୍ପିଟାଲର ସ୍ୱଚ୍ଛତା କାର୍ଯ୍ୟକ୍ରମ ଉପରେ ସେ ପର୍ଯ୍ୟବେକ୍ଷଣ କରିଥିଲେ। ହସ୍ପିଟାଲର ବାହାର ପରିବେଶ ସହ ଭିତର ସମସ୍ତ ଓ୍ଵାର୍ଡ ଭ୍ରମଣ କରି ସେ ହସ୍ପିଟାଲର ପରିଚ୍ଛନ୍ନତାରେ ଖୁସି ବ୍ୟକ୍ତ କରିଥିଲେ। ବିଶେଷକରି ଓ୍ଵାର୍ଡମାନଙ୍କରେ ଚିକିତ୍ସାଧୀନ ରୋଗୀମାନଙ୍କୁ ଯୋଗାଇ ଦିଆଯାଉଥିବା ସଂକ୍ରମଣ ପ୍ରତିଷେଧକ ବ୍ୟବସ୍ଥାରେ ଶ୍ରୀମତୀ ମିଶ୍ର ଅଧିକ ଆନନ୍ଦ ପ୍ରକାଶ କରିଥିଲେ। ହସ୍ପିଟାଲର ପରିଚ୍ଛନ୍ନତା ଉପରେ ମେଡିକାଲ ଛାତ୍ରଛାତ୍ରୀମାନେ ବିଭିନ୍ନ ସମୟରେ ନେଉଥିବା ସଚେତନତା କାର୍ଯ୍ୟକ୍ରମ ପାଇଁ ଶ୍ରୀମତୀ ମିଶ୍ର ଛାତ୍ର ପ୍ରତିନିଧିଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ନିର୍ଦେଶକ ଗୀତାଞ୍ଜଳି ବାତ୍ମାବାନୋ, ଅଧୀକ୍ଷକ ପ୍ରଫେସର ସଚ୍ଚିଦାନନ୍ଦ ମହାନ୍ତି, ଡିନ୍‌ ପ୍ରଫେସର ବିକାଶ ଭାଟିଆ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର