ଦାୟିତ୍ବ ନେଲେ ଏମ୍‌ସର ନୂଆ ସଭାପତି

ଖଣ୍ଡଗିରି: ଭୁବନେଶ୍ବର ଏମ୍‌ସର ନୂଆ ସଭାପତି ଭାବେ ପଦ୍ମଶ୍ରୀ ପ୍ରଫେସର ସୁବ୍ରତ ଆଚାର୍ଯ୍ୟ ଶନିବାର ଆନୁଷ୍ଠାନିକ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କ ଅନୁମୋଦନକ୍ରମେ ପ୍ରଫେସର ଆଚାର୍ଯ୍ୟଙ୍କୁ ଏହି ଗୁରୁ ଦାୟିତ୍ବ ଦିଆଯାଇଛି ଓ ସେ ଭୁବନେଶ୍ବର ଏମ୍‌ସର ଉନ୍ନତି ପାଇଁ ଏହାକୁ ଏକ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରିଥିବା କହିଛନ୍ତି। ଭୁବନେଶ୍ବର ଏମ୍‌ସରେ ପ୍ରଫେସର ଆଚାର୍ଯ୍ୟ ହେଉଛନ୍ତି ୪ର୍ଥ ସଭାପତି। ଆଜି ସେ ଏହି ଦାୟିତ୍ବ ଗ୍ରହଣ କରିବା ଅବସରରେ ନିର୍ଦେଶିକା ପ୍ରଫେସର ଗୀତାଞ୍ଜଳି ବାଟ୍‌ମାନେ, ଅଧୀକ୍ଷକ ପ୍ରଫେସର ସଚ୍ଚିଦାନନ୍ଦ ମହାନ୍ତି, ଡିନ୍‌ ପ୍ରଫେସର ପିଆର୍ ମହାପାତ୍ର, ଉପନିର୍ଦେଶକ ପିକେ ରାୟ ପ୍ରମୁଖ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଧନା ଜ୍ଞାପନ କରିଥିଲେ। ମିଳିତ ଉଦ୍ୟମରେ ଭୁବନେଶ୍ବର ଏମ୍‌ସକୁ ଆଗେଇ ନେବାକୁ ସେ ସମସ୍ତଙ୍କୁ ଆହ୍ବାନ ଦେଇଥିଲେ। ସୂଚନାଯୋଗ୍ୟ ଯେ ବାଲେଶ୍ବରରେ ଜନ୍ମିତ ପ୍ରଫେସର ଆଚାର୍ଯ୍ୟ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜରୁ ଏମ୍‌ବିବିଏସ୍‌ ପାସ୍‌ କରିବା ପରେ ଦିଲ୍ଲୀ ଏମ୍‌ସରେ ଗ୍ୟାସ୍‌ଟ୍ରୋଏଣ୍ଟରଲୋଜିରେ ଏମ୍‌ଡି କରିଥିଲେ ଓ ପଢ଼ା ପରେ ପରେ ସେହିଠାରେ ପ୍ରଫେସର ଓ ଡିନ୍‌ଭାବେ କାର୍ଯ୍ୟ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ ଦେଶର ସମସ୍ତ ଏମ୍‌ସ ପାଇଁ ଏବେ ଏଭଳି ଖ୍ୟାତିସମ୍ପନ୍ନ ପ୍ରଫେସରମାନଙ୍କୁ ସଭାପତି ପଦରେ ଅଧିଷ୍ଠିତ କରାଯାଇଛି। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ସମସ୍ତ ଏମ୍‌ସର ସେଣ୍ଟ୍ରାଲ୍ ଇନ୍‌ଷ୍ଟିଚ୍ୟୁଟ୍‌ ବଡିର ଅଧ୍ୟକ୍ଷ ରହୁଥିବାବେଳେ ପ୍ରତି ଏମ୍‌ସ ପାଇଁ ସଭାପତି ପଦରେ ଜଣେ ଜଣେ ପ୍ରଫେସରଙ୍କୁ ନିଯୁକ୍ତି ଦିଆଯାଇଛି। ଫଳରେ ଏଣିକି ଏମ୍‌ସର ଅଗ୍ରଗତି ପାଇଁ ବହୁ ଗୁରୁତ୍ବପୂର୍ଣ ନିଷ୍ପତ୍ତି ନିଆଯିବାରେ ବିଳମ୍ବ ଘଟିବ ନାହିଁ। ଏଣିକି ବାଲେଶ୍ବରରେ ଏମ୍‌ସର ସାଟେଲାଇଟ୍ କେନ୍ଦ୍ର ପ୍ରତିଷ୍ଠା ହେଉ କି ପୂର୍ଣାଙ୍ଗ୍ ଏମ୍‌ସ ଗଠନ ପାଇଁ ପଦକ୍ଷେପ ନେବା ହେଉ, ସମସ୍ତ ପଦକ୍ଷେପ ତ୍ବରାନ୍ବିତ ହେବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର