ଏମ୍‌ସ ଛାତ୍ର ନିଖୋଜ ପ୍ରସଙ୍ଗ: ୯ ମାସ ବିତିଲା

ଏବେ ବି ରହସ୍ୟରେ

ଖଣ୍ଡଗିରି ଚଳିତ ବର୍ଷ ଫେବ୍ରୁଆରି ୯ ତାରିଖ ଦିନ ଭୁବନେଶ୍ବର ଏମ୍‌ସ ଛାତ୍ରାବାସରୁ ଚାଲି ଯାଇଥିଲେ ଦ୍ବିତୀୟ ବାର୍ଷିକ ଛାତ୍ର ସୋହେଲ ଏଜାଜ୍। ଚଣ୍ଡୀଗଡ଼ରେ ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ଯିବା ବାହାନାରେ ଯାଇ ସେ ଆଉ ଫେରିନାହାନ୍ତି। ଜମ୍ମୁ କାଶ୍ମୀର, ହରିୟାଣା, ପଶ୍ଚିମବଙ୍ଗ ଓ ଓଡ଼ିଶା ଭଳି ୪ ରାଜ୍ୟର ପୁଲିସ, ସିଆଇଡି ଓ ଶେଷରେ ଏନ୍‌ଆଇଏ ତଦନ୍ତ ହେବା ପରେ ମଧ୍ୟ ଆଜି ପର୍ଯ୍ୟନ୍ତ ସୋହେଲ୍‌ଙ୍କ ପତ୍ତା ମିଳି ପାରି ନାହିଁ। ଦୀର୍ଘ ୯ ମାସ ବିତିଯିବା ପରେ ବି ତାଙ୍କ ନିଖୋଜ ମାମଲା ସେମିତି ରହସ୍ୟ ହୋଇ ରହିଯାଇଛି। କୌଣସି ଆତଙ୍କବାଦୀ ସଂଗଠନରେ ମିଶିଯିବା ଆଶଙ୍କା ମଧ୍ୟ ସେମିତି ରହସ୍ୟାବୃତ୍ତ ହୋଇ ରହିଛି। ଜମ୍ମୁ କାଶ୍ମୀର କୁପୱାଡା ଜିଲ୍ଲାର ଛାତ୍ର ସୋହେଲ୍‌ ଏଜାଜ୍ ୨୦୧୬ ମସିହାରେ ଭୁବନେଶ୍ବର ଏମ୍‌ସରେ ନାମ ଲେଖାଇଥିଲେ। ଚଳିତ ବର୍ଷ ଫେବ୍ରୁଆରି ୯ ତାରିଖ ରାତିରେ ସେ ଚଣ୍ଡୀଗଡ଼ ଅଭିମୁଖେ ବାହାରିଥିଲେ। ଜଣେ ସମ୍ପର୍କୀୟଙ୍କ ବିବାହ ଉତ୍ସବରେ ଯୋଗ ଦେବାକୁ ଚଣ୍ଡୀଗଡ଼ ଯାଉଛନ୍ତି ଓ ୧୭ ତାରିଖରେ ଫେରିବେ କହି ସେ ଏମ୍‌ସ କର୍ତ୍ତୃପକ୍ଷଙ୍କ ଅନୁମତି ନେଇ ଛାତ୍ରାବାସ ଛାଡ଼ିଥିଲେ। ମାତ୍ର ୧୮ ତାରିଖ ସୁଦ୍ଧା ନ ଫେରିବାରୁ ଏମ୍‌ସ କର୍ତ୍ତୃପକ୍ଷ ତାଙ୍କ ବାପା ଏଜାଜ୍ ଅହମ୍ମଦ କାଟାରିଆଙ୍କୁ ଜଣାଇବା ସହ ଖଣ୍ଡଗିରି ଥାନାରେ ଏକ ନିଖୋଜ ମାମଲା ରୁଜୁ କରିଥିଲେ। ଚଣ୍ଡୀଗଡ଼ରେ ତାଙ୍କର କୌଣସି ସମ୍ପର୍କୀୟ ନଥିବା ଓ ବିବାହ ଉତ୍ସବରେ ଯୋଗ ଦେବା ମିଛ ବୋଲି ଜଣାପଡ଼ିବା ପରେ ତାଙ୍କ ନିଖୋଜକୁ ନେଇ ବିଭିନ୍ନ କଥା ଉଠିଥିଲା। ପରେ ବାପା ଏଜାଜ୍ କାଟାରିଆ ମଧ୍ୟ ଖଣ୍ଡଗିରି ଥାନାରେ ପହଞ୍ଚି ଆଉ ଏକ ନିଖୋଜ ମାମଲା ରୁଜୁ କରିଥିଲେ। ପୁଲିସ ସୋହେଲ୍‌ଙ୍କ ମୋବାଇଲ୍ ନମ୍ବର ଟ୍ରାକ୍‌ କରିବା ପରେ ଜଣାଗଲା ଯେ ୧୮ ତାରିଖ ଭୋର୍ ସମୟରେ ସେ ହାୱାଡ଼ା ଷ୍ଟେସନରେ ଥିଲେ ଓ ତା’ ପରଠାରୁ ମୋବାଇଲ୍‌ ସୁଇଚ୍ ଅଫ୍ ଦେଖାଉଥିଲା। ତେଣୁ ଖଣ୍ଡଗିରି ଥାନାର ଏକ ଟିମ୍‌ ହାୱାଡା ଯାଇ କୋଲକାତା ପୁଲିସ ସହଯୋଗରେ ବହୁ ଖୋଜାଖୋଜି କରି ହତାଶ ହୋଇ ଫେରିଥିଲା। ସେହିଭଳି ମାର୍ଚ୍ଚରେ ପୁଲିସକୁ ଖବର ମିଳିଲା ଯେ ଗୁଡ଼ଗାଁଓରେ କାଶ୍ମୀର ବ୍ୟାଙ୍କ ନିକଟରେ ତାଙ୍କୁ କେହି ଦେଖିଛନ୍ତି। ତେଣୁ ଖଣ୍ଡଗିରି ଥାନା ପୁଲିସ ପୁଣି ଗୁଡ଼ଗାଁଓ ଧାଇଁଥିଲା। ସେଠାରେ ହରିୟାଣା ପୁଲିସ ସହଯୋଗରେ ପୋଷ୍ଟର ଲଗାଇ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କ ପତ୍ତା ମିଳିନଥିଲା। ସେ ହୁଏତ କୌଣସି ଆତଙ୍କବାଦୀ ସଂଗଠନରେ ମିଶି ଯାଇଛନ୍ତି ବୋଲି ସନ୍ଦେହ ହେବା ପରେ କାଶ୍ମୀର ପୁଲିସ ଓ ଶେଷରେ ଏନ୍‌ଆଇଏ ସଂସ୍ଥା ଏଥିରେ ହସ୍ତକ୍ଷେପ କରିଥିଲା। ମାତ୍ର ସେଭଳି କୌଣସି ସୁରାକ୍‌ ମଧ୍ୟ ମିଳିନଥିଲା। ଆଜି ବି କମିସନରେଟ୍‌ ପୁଲିସ ସୋହେଲ୍‌ଙ୍କ ମୋବାଇଲ୍‌ ନମ୍ବରକୁ ଟ୍ରାକିଂ କରି ଚାଲିଛି। କିନ୍ତୁ ଫଳ ଶୂନ୍‌।

ସମ୍ବନ୍ଧିତ ଖବର