ଏମ୍‌ସ ଛାତ୍ର ସୋହେଲ ନିଖୋଜ ମାମଲା : ଦିଲ୍ଲୀରୁ ଖାଲି ହାତରେ ଫେରିଲା ପୁଲିସ

ଖଣ୍ଡଗିରି : ଦିଲ୍ଲୀରେ ବି ମିଳିଲାନି ଭୁବନେଶ୍ୱର ଏମ୍‌ସର ନିଖୋଜ କଶ୍ମୀର ଛାତ୍ର ସୋହେଲ ଏଜାଜ୍‌। ତେଣୁ ଦୁଇ ସପ୍ତାହ କାଳ ଦିଲ୍ଲୀରେ ବୁଲି ବୁଲି ଶେଷକୁ ଖାଲି ହାତରେ ଫେରିଲା କମିସନରେଟ୍‌ ପୁଲିସ। ଗୁରଗାଓଁରେ ବିଭିନ୍ନ ସ୍ଥାନରେ ସିସିଟିଭି ଫୁଟେଜ୍‌ ଯାଞ୍ଚ କଲା, ପୋଷ୍ଟର ଲଗାଇଲା, ମୁସଲମାନ ବସ୍ତିମାନଙ୍କରେ ଖବରୀ ଖଞ୍ଜିଲା, ୫/୬ଟି ଥାନାରେ ଅପମୃତ୍ୟୁ ମାମଲାଗୁଡ଼ିକର ତଥ୍ୟ ଯାଞ୍ଚ କଲା, କିନ୍ତୁ କେଉଁଥିରୁ ବି କିଛି ମିଳିଲା ନାହିଁ। ତେଣୁ ଆଜି ରାତିରେ ପୁଲିସ ଟିମ୍‌ ଭୁବନେଶ୍ୱର ଫେରି ଆସିଛି। ଫଳରେ ସୋହେଲ୍‌ର ନିଖୋଜ ମାମଲା ଅଧିକ ରହସ୍ୟମୟ ହୋଇପଡ଼ିଛି।
କୋଲକାତାରୁ ଖାଲି ହାତରେ ଫେରିବା ପରେ ପୁଲିସ ସୋହେଲକୁ ଖୋଜି ପାଇବା ଆଶା ଛାଡ଼ି ଦେଇଥିଲା। କିନ୍ତୁ ଗତ ୬ ତାରିଖରେ ଦିଲ୍ଲୀରେ ସୋହେଲ୍‌ଙ୍କୁ ଦେଖିଥିବା ନେଇ କେହି ଜଣେ ସୋହେଲଙ୍କ ବାପା ଏଜାଜ୍‌ ଅହମ୍ମଦଙ୍କୁ ଫୋନ୍‌ ଯୋଗେ ଜଣାଇଥିଲା। ସେତେବେଳକୁ ଭୁବନେଶ୍ୱରରେ ରହିଥିବା ଏଜାଜ୍‌ ତୁରନ୍ତ ଖଣ୍ଡଗିରି ଥାନା ପୁଲିସକୁ ଏ ବାବଦରେ ଜଣାଇଥିଲେ। ଗୁରଗାଓଁ ସେକ୍ଟର-୪୪ ସ୍ଥିତ ଜମ୍ମୁକଶ୍ମୀର ବ୍ୟାଙ୍କ ନିକଟରେ ସୋହେଲଙ୍କୁ ଦେଖିଛି ବୋଲି ଉକ୍ତ ବ୍ୟକ୍ତି ଜଣଙ୍କ ଏଜାଜ୍‌ଙ୍କୁ କହିଥିଲା। ପୁଲିସ ସିସିଟିଭି ଫୁଟେଜ୍‌ ଯାଞ୍ଚ କଲା, ଜମ୍ମୁକଶ୍ମୀର ବ୍ୟାଙ୍କ ଯାଇ ସିସିଟିଭି ଫୁଟେଜ୍‌ ଓ ଆକାଉଣ୍ଟ ନମ୍ବର ଯାଞ୍ଚ କଲା। ବିଭିନ୍ନ ଜନଗହଳିପୂର୍ଣ ସ୍ଥାନରେ ସୋହେଲ୍‌ ଫଟୋ ଥିବା ପୋଷ୍ଟର ଲଗାଇଲା। ଗୁରୁଗାଓଁ ଇସ୍‌ଲାମପୁର ଓ ସୋହନା ରୋଡ୍‌ ଭଳି ମୁସଲମାନ ରହୁଥିବା ଅଞ୍ଚଳରେ ପୁଲିସ ଖବରୀ ଖଞ୍ଜିଲା। କିନ୍ତୁ କିଛି ବି ଲାଭ ମିଳିଲାନାହିଁ।

ଦୁର୍ଘଟଣାରେ ସୋହେଲ୍‌ଙ୍କ ଦାଦା ମୃତ, ବାପା ଗୁରୁତର

ଏକ ଦୁଃଖଦ ଘଟଣାକ୍ରମରେ ନିଖୋଜ ସୋହେଲ୍‌ ଏଜାଜ୍‌ଙ୍କ ଜଣେ ଦାଦାଙ୍କ ରାସ୍ତା ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଥିବା ବେଳେ ତାଙ୍କ ବାପା ଏଜାଜ୍‌ ଅହମ୍ମଦ ଓ ଆଇ ଜଣେ ଦାଦା ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି। ଉଭୟଙ୍କୁ ଶ୍ରୀନଗରସ୍ଥିତ ସେର୍‌-ଇ-କଶ୍ମୀର ମେଡିକାଲ୍‌ ସାଇନ୍‌ସ ହସ୍ପିଟାଲ୍‌ରେ ଭର୍ତି କରାଯାଇଛି। ସୂଚନା ଅନୁଯାୟୀ ଏଜାଜ୍‌ ଓ ତାଙ୍କ ଦୁଇ ଭାଇ ଭୁବନେଶ୍ୱରରୁ ଟ୍ରେନ୍‌ରେ ଜମ୍ମୁ ଓ କଶ୍ମୀରର କୁପୁଓ୍ଵାର ଜିଲ୍ଲାସ୍ଥିତ ଘରକୁ ଫେରୁଥିଲେ। ଷ୍ଟେସନ୍‌ରୁ ଏକ କାର୍‌ରେ ଯାଉଥିବା ବେଳେ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ଏଜାଜ୍‌ଙ୍କ ଜଣେ ଭାଇଙ୍କ ମୃତ୍ୟୁ ହୋଇଥିବାବେଳେ ୨ ଜଣ ଗୁରୁତର ହୋଇଥିଲେ।

ସମ୍ବନ୍ଧିତ ଖବର