ଏମିତି ବ୍ୟବସ୍ଥିତ ଆମ ‘ଏମ୍‌ସ’ ! ରୋଗୀ ଓ ସଂପକର୍କୀୟଙ୍କୁ ଦୁର୍ବ୍ୟବହାର କରୁଛନ୍ତି ସୁରକ୍ଷାକର୍ମୀ

ଆମ୍ବୁଲାନ୍‌ସ ସେବା ଅଛି, ସାଧାରଣ ଲୋକଙ୍କ କାମରେ ଲାଗୁନି

ଭୁବନେଶ୍ବର: ଯେମିତି ଜାଗାଟା କିଣି ଦେଇଛି… ! ତୁ କିଏ? ଏଠି କ’ଣ ଗଳୁଛି? ଗଲା ବୁଲିବାଲିକି ପଳେଇ ଆସିଲା, ଲାଇନ୍‌ ଭିତରେ ଠିଆ ହେଇଯାଉଛି..। ଯା’… ବାହାରେ…। ‌ଏମ୍‌ସରେ ଉନ୍ନତ ଚିକିତ୍ସା ପାଇଁ କାହିଁ କେତେ ଆଶା ନେଇ ଧାଇଁ ଆସିଥିବା ଜଣେ ବ୍ୟକ୍ତିଙ୍କ ପ୍ରତି ଦୁଇ ସୁରକ୍ଷା କର୍ମୀଙ୍କ ଏଭଳି ରୁକ୍ଷ ଆଚରଣ ଅନେକଙ୍କୁ ଆଚମ୍ବିତ କରୁଥିଲା। ଏଭଳି ଘଟଣା ଦେଖିବାକୁ ମିଳିଥିଲା ରାସନ୍‌ କାର୍ଡ ଓ ଇଏଚ୍‌ଏସ୍‌ କାଉଣ୍ଟର ସମ୍ମୁଖରେ। ଏମ୍‌ସ ସମ୍ବନ୍ଧରେ ଖବର ପାଇଁ ଯେତେବେଳେ ହସ୍ପିଟାଲ୍‌ ପରିସରକୁ ପ୍ରବେଶ କଲୁ, ସୁରକ୍ଷା କର୍ମୀଙ୍କ ଏପରି ବ୍ୟବହାରର କାରଣ ଜାଣିବାକୁ ସେଇଠି କେଇ କ୍ଷଣ ଛିଡ଼ା ହେଲୁ। ଜାଣିବାକୁ ମିଳିଲା, ସମ୍ପୃକ୍ତ ବ୍ୟକ୍ତିଟି ସେଇ କାଉଣ୍ଟର ସମ୍ମୁଖରେ ଲାଗିଥିବା ଲମ୍ବା ଧାଡ଼ିରେ ଆଗରୁ ଛିଡ଼ା ହୋଇଥିଲେ ବି କିଛି ସମୟ ଆଗରୁ ଲାଇନ୍‌ ବାହାରକୁ ଚାଲି ଯାଇଥିଲେ। ପରେ ପୁଣି ଆସି ସେଇ ଲାଇନ୍‌ ମଝିରେ ପ୍ରବେଶ କରିଥିଲେ। ଏହା ସମ୍ଭବତଃ ସମ୍ପୃକ୍ତ ବ୍ୟକ୍ତିଙ୍କର ଭୁଲ୍‌ ଥିଲା। ମାତ୍ର ରୋଗୀଙ୍କୁ ପାଖରେ ଧରି ଛିଡ଼ା ହୋଇଥିବା ବେଳେ ସୁରକ୍ଷା କର୍ମୀଙ୍କ ଏ ବ୍ୟବହାର ତାଙ୍କୁ କାନ୍ଦକାନ୍ଦ କରିଦେଇଥିଲା।

କୁହାଯାଏ ଡାକ୍ତରଙ୍କ ସ୍ନେହବୋଳା ଓ ଭୁଲାଣିଆ କଥାରେ ଅଧା ରୋଗ ଭଲ ହୋଇଯାଏ। ମାତ୍ର ଡାକ୍ତରଙ୍କ ପାଖରେ ପହଞ୍ଚିବା ଆଗରୁ ରୋଗୀଙ୍କ ଆଗରେ ତାଙ୍କ ସମ୍ପର୍କୀୟଙ୍କ ପ୍ରତି ସୁରକ୍ଷା କର୍ମୀଙ୍କ ଏଭଳି ରୁକ୍ଷ ଆଚରଣ ବେଳେ ରୋଗୀର ମାନସିକ ଅବସ୍ଥା କ’ଣ ହେଉଥିବ, ତାହା ସେଇ ରୋଗୀ ହିଁ ଅନୁଭବ କରିପାରିଥିବ। ପ୍ରଥମତଃ ପ୍ରଶ୍ନ ଉଠୁଛି, ଏମ୍‌ସ ଭଳି ବଡ଼ ସ୍ପିଟାଲ୍‌ରେ ରାସନକାର୍ଡ ଓ ଇଏଚ୍‌ଏସ୍‌ କାଉଣ୍ଟରରେ ରାସନ କାର୍ଡ ଯାଞ୍ଚ କରିବା ପାଇଁ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରିବା କେତେ ଯଥାର୍ଥ? କିଛି ରୋଗୀଙ୍କ ସମ୍ପର୍କୀୟଙ୍କଠୁ ମିଳିଥିବା ସୂଚନା ଅନୁସାରେ, ଯଦିଓ ସୁରକ୍ଷା କର୍ମୀମାନେ ଏଠାରେ ସୁରକ୍ଷା ଦାୟିତ୍ବ‌ରେ ଅଛନ୍ତି, କିନ୍ତୁ ଏମ୍‌ସରେ ତାଙ୍କର ଭାରି ଦବ୍‌ଦବା। ଏମିତିକି ସେମାନଙ୍କୁ ହାତ କଲେ ଡାକ୍ତରଙ୍କୁ ପରାମର୍ଶ କରିବା ବି ସୁଗମ ହୋଇଯାଏ ବୋଲି ଜଣେ ରୋଗୀଙ୍କ ସମ୍ପର୍କୀୟ ନିଜ ନାମକୁ ଗୋପନ ରଖି କହିଛନ୍ତି।

ବାତ୍ୟା ପରଠୁ ସୁଧୁରୁନି
ଫନି ବାତ୍ୟାକୁ ୪ମାସ ପୂରିଲାଣି। ଅଥଚ ଏଯାଏଁ ସୁଧୁରିଲାନି ଏମ୍‌ସର ଅସଜଡ଼ା ସ୍ଥିତି। ଏମ୍‌ସ ପ୍ରବେଶ ପଥ ପୂର୍ବରୁ ଖୁଣ୍ଟ ଛିଡ଼ା ହୋଇଛି କିନ୍ତୁ ଷ୍ଟ୍ରିଟ୍‌ ଲାଇଟ୍‌ ନାହିଁ। ପ୍ରବେଶପଥରେ ଏମ୍‌ସକୁ ବାଟ କଢ଼ାଉଥିବା ମୁଖ୍ୟ ଫାଟକ ଉପର ସେଡ୍‌ ଓ ଏମ୍‌ସ ନାଁ ଉଡ଼ିଯାଇଛି। ପରିସର ମଧ୍ୟରେ ଥିବା ଅନ୍ୟ ହାଇମାଷ୍ଟ୍‌ ଲାଇଟ୍‌ଗୁଡ଼ିକ କୋଉଠି ଖୁଣ୍ଟରେ ଅଧା ଲଟକି ରହିଛି ତ କୋଉଠି ସମ୍ପୂର୍ଣ୍ଣ ଉଡ଼ି ଯାଇଛି। ଭିତର ପ୍ରବେଶ ପଥ ସେଡ୍‌ ଉପରୁ ପ୍ଲାଷ୍ଟିକ୍‌ ସିଟ୍‌ ସମ୍ପୂର୍ଣ୍ଣ ଉଡ଼ି ଯାଇଥିଲେ ହେଁ ତାହାର ମରାମତି କାମ ଆରମ୍ଭ ହେଉନାହିଁ। ବ୍ଲଡ୍‌ ସଂଗ୍ରହ ୟୁନିଟ୍‌କୁ ଯାଇଥିବା ପ୍ରବେଶପଥର ଉପର ଛାତ ଉଡ଼ି ଯାଇଥିବା ବେଳେ ୱାଟର ସ୍ପ୍ରିଙ୍କ୍‌ଲର ବାହାରକୁ ବାହାରି ଆସିଛି। ଏହା ବ୍ୟତୀତ କିଛି କାଚ ‌କବାଟରୁ କାଚ ଉଡ଼ି ଯାଇଛି। କାନ୍ଥରେ ଲାଗିଥିବା କାଚ ସ୍ଲାଇଡ୍‌ ଭାଙ୍ଗିରୁଜି ଯାଇଛି। ମାତ୍ର ଏସବୁକୁ ଏଯାଏଁ ସୁଧାରିବାକୁ ଆନ୍ତରିକତା ପ୍ରକାଶ ପାଇନାହିଁ। ଏପରିକି ବାତ୍ୟା ବେଳେ ସେଡ୍‌ ମଧ୍ୟରୁ ପ୍ଲାଷ୍ଟିକ୍‌ ସିଟ୍‌ ଉଡ଼ି ଯେଉଁଠି ପଡ଼ିଥିଲା ଏବେ ବି ଅଧିକାଂଶ ସ୍ଥାନରେ ପଡ଼ି ରହିଛି।

ଏଣେତେଣେ ପଡ଼ୁଛି ମାସ୍କ, କ୍ଲଥ୍‌ କ୍ୟାପ୍‌
ହସ୍ପିଟାଲ୍‌ରେ ସ୍ବଚ୍ଛତା ପ୍ରତି ପ୍ରାଥମିକତା ଦିଆଯିବା ନେଇ ନିର୍ଦେଶ ଅଛି। ମାତ୍ର ଖୋଦ୍‌ କାର୍ଯ୍ୟରତ କର୍ମଚାରୀଙ୍କ ମାସ୍କ ଓ ମୁଣ୍ଡରେ ପିନ୍ଧା ଯାଉଥିବା କ୍ଲଥ୍‌ କ୍ୟାପ୍‌ ମେଡିକାଲ୍‌ର ପାହାଚମାନଙ୍କରେ ଏଣେତେଣେ ବିଛେଇ ପଡ଼ି ରହିଥିବା ଦେଖିବାକୁ ମିଳିଥିଲା। କେବଳ ସେତିକି ନୁହେଁ, କିଛି ‌ଶୌଚାଳୟ ବନ୍ଦ ରହିଥିବା ବେଳେ ବାହାର ଶୌଚାଳୟରେ ପରିସ୍ରା ପାଇଁ ଲାଇନ୍‌ ଲଗାଇବାକୁ ପଡ଼ୁଥିବା ଦେଖିବାକୁ ମିଳିଛି। ଏମ୍‌ସ ପରିସରରେ ଯେଉଁ ସ୍ଥାନରେ ସୌନ୍ଦର୍ଯୀକରଣ କରାଯାଇଥିଲା, ସେଗୁଡ଼ିକ ଭାଙ୍ଗି ପଡ଼ିଛି। ହସ୍ପିଟାଲ୍‌ ପରିସରର ତଳ ଚଟାଣ ଅନେକ ସ୍ଥାନରେ ଫାଟି ଯାଇଛି।

ଆମ୍ବୁଲାନ୍‌ସ ସେବା ଅଛି, ସାଧାରଣ ଲୋକଙ୍କ କାମରେ ଲାଗୁନି
ସର୍ବଭାରତୀୟ ସ୍ତରର ଏହି ହସ୍ପିଟାଲ୍‌ର ଦୁଇଟି ନିଜସ୍ବ ଆମ୍ବୁଲାନ୍‌ସ ସେବା ଅଛି। ଜରୁରି ସମୟରେ ଏହା ମାଗଣାରେ ମଧ୍ୟ ଯୋଗାଇ ଦିଆଯାଉଛି ବୋଲି ଏମ୍‌ସର ସୁପରିନ୍‌ଟେଣ୍ଡେଣ୍ଟ ସଚ୍ଚିଦାନନ୍ଦ ମହାନ୍ତି କହିଛନ୍ତି। ମାତ୍ର ସେଠାରେ ଚିକିତ୍ସିତ ରୋଗୀଙ୍କ ପରିବାର ପକ୍ଷରୁ ଅଭିଯୋଗ ମୁତାବକ, ଏମ୍‌ସ ଯେ ଆମ୍ବୁଲାନ୍‌ସ ସେବା ଯୋଗାଇ ଦେଉଛି, ତାହା ସେମାନେ ଜାଣନ୍ତି ନାହିଁ। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଲୋକେ ଏବେ ବି ଘରୋଇ ଆମ୍ବୁଲାନ୍‌ସ ଉପରେ ନିର୍ଭରଶୀଳ। ତେଣୁ ଏମ୍‌ସ ପକ୍ଷରୁ ଆମ୍ବୁଲାନ୍‌ସ ସେବା ଥାଇ ଯାହା ନଥାଇ ସେୟା। ଯେଉଁମାନେ ପ୍ରକୃତ ହିତାଧିକାରୀ, ସେମାନେ ନପାଇ କାଳେ ଏହା ଚିହ୍ନା ଜଣା ଓ ବଡ଼ବଡ଼ିଆମାନେ ଏହାର ଫାଇଦା ଉଠାଉଛନ୍ତି ବୋଲି ଅଭିଯୋଗ ହେଉଛି।

ସବୁଠି ଲମ୍ବା ଲାଇନ୍‌, ବିଶୃଙ୍ଖଳା
ରୋଗୀମାନେ ସେବା ପାଇବା ପାଇଁ ହସ୍ପିଟାଲ ପରିସରରେ ବିଭିନ୍ନ ସହାୟତା କେନ୍ଦ୍ରରେ ଲମ୍ବା ଲାଇନ୍‌ ଲଗାଉଛନ୍ତି। ତେବେ ଆଜି ପର୍ଯ୍ୟନ୍ତ ପରିସରରେ ବ୍ୟାରିକେଡ୍‌ ବ୍ୟବସ୍ଥା ନଥିବାରୁ ଯିଏ ପାରୁଛି ମନ ଇଚ୍ଛା ଲାଇନ୍‌ରେ ଛିଡ଼ା ହେଉଛି। ଏନେଇ ବିଭିନ୍ନ ସମୟରେ ଗଣ୍ଡଗୋଳ ସୃଷ୍ଟି ହେଉଛି। ଯଦିଓ ବହୁ ସୁରକ୍ଷାକର୍ମୀ ଧାଡ଼ି ନିୟନ୍ତ୍ରଣ ଦାୟିତ୍ବରେ ରହିବା କଥା କିନ୍ତୁ ସେମାନଙ୍କୁ ଅନ୍ୟ କାମରେ ନିୟୋଜିତ କରାଯାଉଥିବାରୁ ଧାଡ଼ିରେ ରୋଗୀଙ୍କ ପରିବାର କୌଣସି କାଉଣ୍ଟରକୁ ଯିବା ବେଳେ ଅନେକ ସମୟରେ ଗଣ୍ଡଗୋଳ ହେଉଛି।

ସମ୍ବନ୍ଧିତ ଖବର