ଏମ୍‌ସରେ ଚିକିତ୍ସାଧୀନ ମହିଳାଙ୍କ ମୃତ୍ୟୁ, ମୃତଦେହ ଛାଡ଼ି ସମ୍ପର୍କୀୟ ଫେରାର୍

ଖଣ୍ଡଗିରି: ୧୬ ତାରିଖରୁ ଭୁବନେଶ୍ବର ଏମ୍‌ସରେ ଚିକିତ୍ସାଧୀନ ଥିବା ଜଣେ ମହିଳାଙ୍କର ଶୁକ୍ରବାର ସକାଳ‌େ ମୃତ୍ୟୁ ଘଟିଛି। ମୃତା ମହିଳା ହେଲେ ବ୍ରହ୍ମପୁରର ମାମା ବେହେରାଙ୍କ ପତ୍ନୀ ଲକ୍ଷ୍ମୀ ବେହେରା(୬୫)। ମାତ୍ର ହସ୍ପିଟାଲରେ ଭର୍ତି କରାଇଥିବା ସମ୍ପର୍କୀୟଜଣଙ୍କ ମୃତଦେହ ଛାଡ଼ି ପଳାଇଥିବାରୁ ପୁଲିସ ଅଡ଼ୁଆରେ ପଡ଼ିଛି। ମୃତା ଲକ୍ଷ୍ମୀଙ୍କ ଠିକଣାରେ ଯୋଗାଯୋଗ ସମ୍ଭବ ହେଉନଥିବାରୁ ପୁଲିସ ମୃତଦେହକୁ ଶବ ସଂରକ୍ଷଣ ଗୃହରେ ରଖିବାକୁ ବାଧ୍ୟ ହୋଇଛି। ଖଣ୍ଡଗିରି ଥାନା ସୂଚନାନୁସାରେ ଗତ ୧୬ ତାରିଖରେ ସରୋଜ ପାତ୍ର ନାମକ ଜଣେ ଯୁବକ ଲକ୍ଷ୍ମୀଙ୍କୁ ଭୁବନେଶ୍ବର ଏମ୍‌ସରେ ଭର୍ତ୍ତି କରାଇଥିଲେ। ଏକ ସଡ଼କ ଦୁର୍ଘଟଣାରେ ଲକ୍ଷ୍ମୀ ଗୁରୁତର ଆହତ ହୋଇଥିଲେ। ସରୋଜ ଲକ୍ଷ୍ମୀଙ୍କ ସ୍ବାମୀଙ୍କ ନାମ ଓ ଠିକଣା ଗଞ୍ଜାମ ବ୍ରହ୍ମପୁର ବୋଲି ଲେଖାଇଥିଲେ। ମାତ୍ର ଆଜି ସକାଳେ ତାଙ୍କ ମୃତ୍ୟୁ ଘଟିବା ପରେ ସରୋଜଙ୍କ ଦେଖା ଦର୍ଶନ ମିଳିନଥିଲା। ମୋବାଇଲ୍‌ ନମ୍ବର ନଥିବାରୁ ପୁଲିସ ସରୋଜଙ୍କୁ ଠାବ କରିବା ସମ୍ଭବ ହୋଇନଥିଲା। ତେଣୁ ସରୋଜ କିଏ ଓ ମୃତା ଲକ୍ଷ୍ମୀ ପ୍ରକୃତରେ କିଏ, ତାହା ପୁଲିସ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି। ଖଣ୍ଡଗିରି ଥାନା ପୁଲିସ ମୃତା ମହିଳାଙ୍କ ଫଟୋ ଗଞ୍ଜାମ ପୁଲିସକୁ ପଠାଇ ପରିଚୟ ଓ ଠିକଣା ଜାଣିବାକୁ ଉଦ୍ୟମ ଚଳାଇଛି।

ସମ୍ବନ୍ଧିତ ଖବର