ପୁଣି ଫସିଲେ ଏୟାର୍‌ ଓଡ଼ିଶା ଏମ୍‌ଡି

ମୃଦୁ ପାନୀୟରେ ନିଶା ଦେଇ ୨ ଥର ଦୁଷ୍କର୍ମ ଅଭିଯୋଗ

ଖଣ୍ଡଗିରି: ଏୟାର୍‌ ଓଡ଼ିଶା ପରିଚାଳନା ନିର୍ଦେଶକ ସନ୍ତୋଷ ପାଣିଙ୍କୁ ଅପରାଧିକ ମାମଲା ପିଛା ଛାଡ଼ୁନି। ତିନି ତିନିଟି ଠକାମି ଅଭିଯୋଗରେ ଗିରଫ ହେବା ପରେ ଏବେ ଆହୁରି ଏକ ସଂଗିନ୍‌ ଅଭିଯୋଗରେ ସେ ଛନ୍ଦି ହୋଇପଡ଼ିଛନ୍ତି। ତାଙ୍କ କମ୍ପାନିର ଜଣେ ମହିଳା କର୍ମଚାରୀଙ୍କୁ ମୃଦୁ ପାନୀୟରେ ନିଶା ଦେଇ କାର୍‌ ଭିତରେ ଓ ଘରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଦୁଷ୍କର୍ମର ଶିକାର ହୋଇଥିବା ବଙ୍ଗୀୟ ମହିଳା ବୁଧବାର ଖଣ୍ଡଗିରି ଥାନାରେ ଲିଖିତ ଅଭିଯୋଗ କରିବା ପରେ ଘଟଣାଟି ରାଜଧାନୀରେ ଚର୍ଚ୍ଚାର ବିଷୟ ହୋଇଛି। ଖଣ୍ଡଗିରି ଥାନା ପୁଲିସ ଯୁବତୀଙ୍କ ଅଭିଯୋଗ ପରେ ତାଙ୍କର ଡାକ୍ତରୀ ଯାଞ୍ଚ କରାଇବା ସହ ଅଦାଲତରେ ବୟାନ୍‌ ରେକର୍ଡ କରାଇଛି। ମେଡିକାଲ ରିପୋର୍ଟ ମିଳିବା ପରେ ପୁଲିସ ସନ୍ତୋଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ସୂଚନା ମିଳିଛି।

ଏହି ବଙ୍ଗୀୟ ମହିଳାଙ୍କ ଅଭିଯୋଗ ଅନୁସାରେ ସେ ଏୟାର୍‌ ଓଡ଼ିଶା କମ୍ପାନିରେ ସିକ୍ୟୁରିଟି ସୁପରଭାଇଜର୍‌ ଭାବେ କାମ କରୁଥିଲେ। ଚଳିତ ବର୍ଷ ଜୁଲାଇ ମାସରେ ସେ କମ୍ପାନିରେ ଯୋଗ ଦେଇଥିଲେ। ମାତ୍ର ମାସେ ୧୧ ଦିନ ପରେ ବାଧ୍ୟ ହୋଇ ଚାକିରି ଛାଡ଼ି କୋଲକାତା ପଳାଇଥିଲେ। ଚାକିରି ଛାଡ଼ିବା ନେଇ ସେ ଅଭିଯୋଗ କରିଛନ୍ତି ଯେ, ଅଗଷ୍ଟ ୧୦ ତାରିଖରେ ଏମ୍‌ଡି ସନ୍ତୋଷ ପାଣି ତାଙ୍କୁ ତାଙ୍କ ଘରେ ଛାଡ଼ିଦେବା ପାଇଁ କହି କାର୍‌ରେ ନେଇଥିଲେ। ବରମୁଣ୍ଡା ନିକଟରେ ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱସ୍ଥ ଏକ ମଦ ଦୋକାନରୁ ସେ ମଦ କିଣିଥିଲେ। କାର୍‌ ଭିତରେ ସନ୍ତୋଷ ତାଙ୍କୁ ମଦ ପିଇବାକୁ ଯାଚିଥିଲେ, କିନ୍ତୁ ସେ ପଅନ୍ତି ନାହିଁ ବୋଲି କହିବାରୁ ତାଙ୍କୁ ମୃଦୁ ପାନୀୟ ପିଇବାକୁ ଦେଇଥିଲେ। ନିଶା ମିଶିଥିବା ପାନୀୟ ପିଇବା ପରେ ସେ କିଛି ଜାଣି ପାରି ନଥିଲେ। ଏହି ଅବସ୍ଥାରେ ସନ୍ତୋଷ ତାଙ୍କୁ ଦୁଷ୍କର୍ମ କରିଥିଲେ ଓ ପରେ ତାଙ୍କ ଘରେ ଛାଡ଼ି ଦେଇଥିଲେ। ଠିକ୍‌ ସେହିଭଳି ୧୧ ତାରିଖରେ ଖଣ୍ଡଗିରି ଅଞ୍ଚଳରେ ରହୁଥିବା ସନ୍ତୋଷ ଜାଲି ନାମକ ଜଣେ ଅଧିକାରୀଙ୍କ ଘରକୁ ଯିବାକୁ କହି ସେ ତାଙ୍କୁ କାର୍‌ରେ ନେଇଥିଲେ। ବାଟରେ ପୁଣି ଏକ ମଦ ଦୋକାନରୁ ମଦ କିଣିଥିଲେ। ପରେ ତାଙ୍କୁ ଶ୍ରୀ ଜାଲିଙ୍କ ଘରକୁ ନେଇ ଦୁଷ୍କର୍ମ କରିଥିଲେ। ଏମିତି ଦୁଇ ଦୁଇ ଥର ଦୁଷ୍କର୍ମର ଶିକାର ହେବା ପରେ ଯୁବତୀ ଜଣଙ୍କ ଚାକିରି ଛାଡ଼ି କୋଲକାତା ପଳାଇଥିଲେ। ପରେ ସେ ତାଙ୍କ ସ୍ୱାମୀଙ୍କୁ ଏ ସଂପର୍କରେ କହିଥିଲେ। ଘଟଣା ଜାଣିବା ପରେ ତାଙ୍କ ସ୍ୱାମୀ ଅନ୍ୟାୟର ପ୍ରତିବାଦ କରିବାକୁ ପରାମର୍ଶ ଦେଇଥିଲେ। ତେଣୁ ସେ ନ୍ୟାୟ ପାଇବା ପାଇଁ ଆଜି ଖଣ୍ଡଗିରି ଥାନାର ଦ୍ୱାରସ୍ଥ ହୋଇଥିବା କହିଛନ୍ତି।

ଏଭଳି ଅଭିଯୋଗକୁ ଶ୍ରୀ ପାଣି ଖଣ୍ଡନ କରିଛନ୍ତି। ଅଭିଯୋଗକାରିଣୀଙ୍କୁ ବିଭିନ୍ନ କାରଣରୁ ଚାକିରିରୁ ବାହାର କରି ଦିଆଯିବାରୁ ସେ ଏଭଳି ମିଛ ଅଭିଯୋଗ କରିଛନ୍ତି ବୋଲି ସେ ଜଣାଇଛନ୍ତି। ପୁଲିସ ତଦନ୍ତକୁ ସେ ସ୍ୱାଗତ କରୁଛନ୍ତି ବୋଲି କହିଛନ୍ତି। ଏହା ପଛରେ ଏକ ଷଡ଼ଯନ୍ତ୍ର ରହିଛି ବୋଲି ସେ ଆଶଙ୍କା କରିଥିବା କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ବିଧାୟକ ଦିଲ୍ଲୀପ ରାୟଙ୍କ ପୁଅ ସନ୍ଦୀପ ଏୟାର୍‌ ଓଡ଼ିଶା କମ୍ପାନିରେ ପୁଞ୍ଜି ବିନିଯୋଗ କରି ଠକାମିର ଶିକାର ହୋଇଥିଲେ। ଶ୍ରୀ ପାଣି ତାଙ୍କୁ ୪୦ ଲକ୍ଷ ଟଙ୍କା ଠକିଥିଲେ ବୋଲି ସେ ଅଭିଯୋଗ କରିବା ପରେ ଖଣ୍ଡଗିରି ଥାନା ପୁଲିସ ତାଙ୍କୁ ଗିରଫ କରିଥିଲା। ସେହିଭଳି ସୁନା ବ୍ୟବସାୟୀ ମିତେଶ ଖିମ୍‌ଜୀ ମଧ୍ୟ ଏହି କମ୍ପାନିରେ ଏକ ଅଂଶୀଦାର ହେବା ପାଇଁ ପୁଞ୍ଜି ବିନିଯୋଗ କରି ଦେଢ଼ କୋଟି ଟଙ୍କାର ଠକାମିର ଶିକାର ହୋଇଥିବା ଅଭିଯୋଗ ହୋଇଥିଲା। ଏମିତିକି ଆୟାର୍ଲ୍ୟାଣ୍ଡର ଷ୍ଟିଭେନ୍‌ ନିକ୍ସନ ଏହି କମ୍ପାନିରେ ପୁଞ୍ଜି ବିନିଯୋଗ କରିବା ପରେ ପ୍ରାୟ ୨.୫ କୋଟି ଟଙ୍କାର ଠକାମିର ଶିକାର ହୋଇଥିବା ଅଭିଯୋଗ ହୋଇଥିଲା। ଏୟାର୍‌ ଓଡ଼ିଶାରେ ଅଂଶୀଦାର ହେବାକୁ କହି ଶ୍ରୀ ପାଣି ସେମାନଙ୍କୁ ଠକିଥିଲେ ବୋଲି ଅଭିଯୋଗ ହୋଇଥିଲା।

ସମ୍ବନ୍ଧିତ ଖବର