ଭୁବନେଶ୍ବର: ଭୁବନେଶ୍ୱର ବିମାନ ବନ୍ଦର ଛାତ ଭୁଶୁଡିବା ଘଟଣାରେ ଭାରତୀୟ ବିମାନସେବା କର୍ତ୍ତୃପକ୍ଷ(ଏଏଆଇ)ର ସ୍ବତନ୍ତ୍ର ଟିମ୍ ଘଟଣାସ୍ଥଳରେ ତଦନ୍ତ କରି ଫେରିଯାଇଛି। ଆଜି ସ୍ବତନ୍ତ୍ର ଦଳ ଘଟଣାସ୍ଥଳରେ ଭୁଶୁଡ଼ି ପଡ଼ିଥିବା କୋଠାକୁ ଭିନ୍ନ ଭିନ୍ନ କୋଣରୁ ଯାଞ୍ଚ କରିଥିଲା। ଛାତର ଉଚ୍ଚତା ସହ ଛାତର ଆକାର, ଖୁଣ୍ଟ ମଧ୍ୟରେ ବ୍ୟବଧାନ, ଛାତର ମୋଟେଇ ପ୍ରଭୃତି ମାପ କରିଥିଲା। ଅନ୍ୟ ଶ୍ରମିକଙ୍କ ସହ ମଧ୍ୟ ଟିମ୍ ଆଲୋଚନା କରିଥିଲା। ଘଟଣାସ୍ଥଳର ଭିଡିଓ ଓ ଫଟୋ ମଧ୍ୟ ସଂଗ୍ରହ କରିଥିଲା। ଟିମ୍ରେ ଜଣେ ନିର୍ବାହୀ ଯନ୍ତ୍ରୀଙ୍କ ସହ ମ୍ୟାନେଜର ଓ ବୈଷୟିକ ବିଶେଷଜ୍ଞ ରହିଥିଲେ। ଟିମ୍ ଏ ନେଇ ପ୍ରାଥମିକ ରିପୋର୍ଟ ଏଏଆଇ ନିକଟରେ ଦାଖଲ କରିବ। ଏହା ପରେ ଆଉ ଏକ ଟିମ୍ ଘଟଣାସ୍ଥଳରେ ତଦନ୍ତ କରିବ। ଏହି ଟିମ୍ ସହ ଫରେନ୍ସିକ୍ ଓ ଅନ୍ୟାନ୍ୟ ବିଶେଷଜ୍ଞମାନେ ସାମିଲ ହେବେ। ଦ୍ବିତୀୟ ପର୍ଯ୍ୟାୟରେ ଆସିବାକୁ ଥିବା ରିକୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜଣାପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସିବିଆଇ ତଦନ୍ତ ଦାବି
ଏକାମ୍ର ଜନ ଜାଗରଣ ମଞ୍ଚ ପକ୍ଷରୁ ଘଟଣାର ସିବିଆଇ ତଦନ୍ତ ଦାବି କରାଯାଇଛି। ଏ ନେଇ ସିବିଆଇକୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ବେପରୱା ଭାବରେ କାମ ହେଉଥିବାରୁ ଜଣେ ଶ୍ରମିକଙ୍କ ଜୀବନ ଯାଇଛି ଆଉ ଜଣେ ପଙ୍ଗୁ ହେବାକୁ ବସିଛି। ଏହାର ଉଚିତ ତଦନ୍ତ ହେଲେ ଅନେକ କଥା ପଦାକୁ ଆସିବ। ସେହିଭଳି ପ୍ରାୟ ୬୦ କୋଟି ଟଙ୍କା ବ୍ୟୟରେ ନିର୍ମାଣାଧୀନ ଏହି ପ୍ରକଳ୍ପରୁ କୋଟି କୋଟି ଟଙ୍କା ଆତ୍ମସାତ୍ ହେବା ଗନ୍ଧ ବାରି ହୋଇ ପଡ଼ୁଛି। ଯେଉଁଠି ଲୁହା ପାଇପ୍ରେ କାମ ହେବା କଥା ସେଠାରେ ବାଉଁଶରେ କାମ ଚଳୁଛି। ସେଥିପାଇଁ ଘଟଣାର ଭିଜିଲାନ୍ସ ତଦନ୍ତ କରିବା ପାଇଁ ମଞ୍ଚ ଦାବି କରିଛି। ମଞ୍ଚର ସଭାପତି ଭିଷ୍ମ ନାରାୟଣ ନାୟକଙ୍କ ନେତୃତ୍ବରେ ମୃତ୍ୟୁଞ୍ଜୟ ମହାନ୍ତି, ରାଜ ରାଉତରାୟ, ପ୍ରଭାତ କୁମାର ପ୍ରଧାନ, ସୁଲତା ସାହାଣୀ, ସ୍ବପ୍ନାରାଣୀ ସାମଲ, ସଂଯୁଲତା ପଟ୍ଟନାୟକ, ବିଷ୍ଣୁ ପ୍ରିୟା ଜେନା, ତିଳୋତ୍ତମା ନାୟକ ପ୍ରମୁଖ ସାମିଲ ହୋଇଥିଲେ।ଖୋଲୁଛି ଗୁମର
କୋଟି କୋଟି ଟଙ୍କା ବ୍ୟୟରେ ନିର୍ମାଣାଧୀନ କୋଠା ଭୁଶୁଡ଼ି ଜଣଙ୍କର ମୃତ୍ୟୁ ହେବା ପରେ ଦିଲୀପ କନ୍ଷ୍ଟ୍ରକ୍ସନ ମାଲିକ ଦିଲୀପ ଖଟେଇଙ୍କୁ ଗିରଫ କରିଛି ଏୟାରପୋର୍ଟ ପୁଲିସ। ତାଙ୍କ ସହିତ ଅନ୍ୟ ତିନିଜଣ ମଧ୍ୟ ଗିରଫ ହୋଇଛନ୍ତି। ଏହି ଗିରଫଦାରୀ ପରେ ଦିଲୀପ କନ୍ଷ୍ଟ୍ରକ୍ସନ୍ ଗୁମର ଫିଟିବାରେ ଲାଗିଛି। ଏୟାରପୋର୍ଟରେ ଏହି ବଡ଼ ପ୍ରକଳ୍ପ ପାଇବା ପୂର୍ବରୁ ଏହି କନ୍ଷ୍ଟ୍ରକସନ୍ କମ୍ପାନି ୨୧ ନମ୍ବରରେ ରହିଥିଲା। ସେତେବେଳେ କିଭଳି ଏହି ପ୍ରକଳ୍ପ ମିଳିଗଲ ସେ ନେଇ ଚର୍ଚ୍ଚା ଜୋର୍ ଧରିଛି। ତେବେ ଏୟାରପୋର୍ଟ କର୍ତ୍ତୃପକ୍ଷ ଏ ନେଇ ମୁହଁ ଖୋଲି ନାହାନ୍ତି। ସେହିଭଳି ଭୁବନେଶ୍ବରର ଏକ ବଡ଼ ପ୍ରକଳ୍ପ ନିର୍ମାଣ ଚାଲିଥିବା ବେଳେ ମଞ୍ଚେଶ୍ବରର ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଥିଲା। ଏଥିରେ ମୋଟା ଅଙ୍କର ଅର୍ଥ କାରବାର କରି ମାମଲାକୁ ଚପାଇ ଦିଆଯାଇଥିଲା। ବ୍ରହ୍ମପୁରରେ ଏକ ବଡ଼ ପ୍ରକଳ୍ପ କାମ ସରିବାର ଅଳ୍ପ ଦିନ ମଧ୍ୟରେ ସେଥିରୁ ପ୍ଲାଷ୍ଟର ଖସିବାକୁ ଆରମ୍ଭ କରିଥିଲା। ତେବେ ଯୁଦ୍ଧକାଳୀନ ଭିତ୍ତିରେ ଏହାର ମରାମତି ହେବାରୁ ମାମଲା ଥମି ଯାଇଥିଲା। ଗତ ୨୦୧୭ ମସିହାରେ ଦିଲୀପଙ୍କୁ ଆୟକର ବିଭାଗ ଘେରିଥିଲା। କୋଟିଏରୁ ଊର୍ଦ୍ଧ୍ବ ଟଙ୍କାର ଆୟକର ଠକେଇ ଅଭିଯୋଗ କରି ନୋଟିସ୍ କରିଥିଲା। ବେଶ୍ କିଛି ଦିନ ସେ ଅଣ୍ଡର ଗ୍ରାଉଣ୍ଡ ହେବା ପରେ କୌଣସି ମତେ ଏହି ପରିସ୍ଥିତିରୁ ସେ କ୍ଷାନ୍ତ ପାଇଥିଲେ।