ବିମାନବନ୍ଦରରେ ହାଇଜାକ୍‌ ଡ୍ରାମା

ଭୁବନେଶ୍ୱର: ନୂଆଦିଲ୍ଲୀରୁ ଚେନ୍ନାଇ ଅଭିମୁଖେ ଆସୁଥିବା ଟାଙ୍ଗୋ ଆଲ୍‌ଫା ବ୍ରାଭୋ (ଟିଏବି)ର ଏୟାରବସ୍‌-୩୨୦ ବିମାନକୁ ଆଜି ଚାରି ଜଣ ଆତଙ୍କବାଦୀ ଅପହରଣ କରିନେଇଥିଲେ। ୧୫୩ଜଣ ଯାତ୍ରୀଙ୍କ ମୁଣ୍ଡ ଜାମିନ ରଖି ବିମାନଟିକୁ ଚେନ୍ନାଇ ବଦଳରେ ଭୁବନେଶ୍ୱରରେ ଅବତରଣ କରାଇଥିଲେ। ବିମାନଟି ଅବତରଣ କରିବା ପରେ ସୁରକ୍ଷା କର୍ମୀ ଓ ଚାରି ଜଣ ଆତଙ୍କବାଦୀଙ୍କ ମଧ୍ୟରେ ପ୍ରାୟ ୧ଘଣ୍ଟା ୨୦ମିନିଟ୍‌ କାଳ ସଂଘର୍ଷ ହୋଇଥିଲା। ଆଉ ଶେଷରେ ଆତଙ୍କବାଦୀଙ୍କୁ ନିହତ କରି ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାରେ ସକ୍ଷମ ହୋଇଛନ୍ତି ବିମାନବନ୍ଦର ସୁରକ୍ଷାକର୍ମୀ। ବାସ୍ତବରେ କିନ୍ତୁ ଏଭଳି ଘଟଣା ଘଟିନାହିଁ। ବିମାନବନ୍ଦରରେ ପଶି ଆତଙ୍କବାଦୀମାନେ ବିମାନ ହାଇଜାକ୍‌ କରିବାକୁ ଚେଷ୍ଟା କଲେ କିପରି ଏହାର ମୁକାବିଲା କରାଯିବ ତାହାର ପ୍ରସ୍ତୁତି ସ୍ୱରୂପ ଆଜି ଏଭଳି ମକ୍‌ଡ୍ରିଲ୍‌ କରାଯାଇଥିଲା।

ବିମାନବନ୍ଦର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତାଙ୍କ ସୂଚନା ଅନୁଯାୟୀ, ନୂଆଦିଲ୍ଲୀରୁ ଚେନ୍ନାଇକୁ ଆସୁଥିବା ବିମାନର ଏହି ହାଇଜାକ୍‌ ଡ୍ରାମା ହୋଇଥିଲା। ଏଥିପାଇଁ ବିମାନବନ୍ଦରରେ ଏକ ଭଲଭୋ ବସ୍‌କୁ ବିମାନର ରୂପ ଦେଇ ଏଭଳି ମକ୍‌ ଡି୍ରଲ୍‌ କରାଯାଇଥିଲା। ବିମାନବନ୍ଦର ସହ ସଂପୃକ୍ତ ସମସ୍ତ ସୁରକ୍ଷା ଏଜେନ୍ସି ଓ ସଂସ୍ଥା ଏଥିରେ ସାମିଲ୍‌ ହୋଇଥିଲେ। ଯୋଜନା ଅନୁଯାୟୀ ଆଜି ଅପରାହ୍ନରେ ନୂଆଦିଲ୍ଲୀ-ଚେନ୍ନାଇ ବିମାନ ଉଡ଼ାଣ ଆରମ୍ଭ କରିବା ପରେ ଅଧା ଆକାଶରେ ଆତଙ୍କବାଦୀମାନେ ପାଇଲଟ୍‌ ମୁଣ୍ଡରେ ବନ୍ଧୁକ ଲଗାଇ ଧମକ ଦେଇଥିଲେ। ଆଉ ବିମାନକୁ କୋଲକତା ନ ନେଇ ଭୁବନେଶ୍ୱର ଅଭିମୁଖେ ନେବାକୁ କହିଥିଲେ। ବିମାନ ନିର୍ଦ୍ଧାରିତ ସମୟରେ କୋଲକତାରେ ନ ପହଞ୍ଚିବାରୁ ଯାତ୍ରୀମାନେ ଏୟାର ହୋଷ୍ଟେସ୍‌ଙ୍କୁ ବିଳମ୍ବର କାରଣ ପଚାରିଥିଲେ। ଏତିକିବେଳେ ଜଣେ ଆତଙ୍କବାଦୀ କକ୍‌ପିଟ୍‌ରୁ ବାହାରି ଆସି କହିଥଲେ ବିମାନ ହାଇଜାକ୍‌ ହୋଇଛି। ଯିଏ ଅଧିକ ଚାଲାକି ଦେଖାଇବ ତାଙ୍କୁ ହତ୍ୟା କରାଯିବ। ଏହାପରେ ଯାତ୍ରୀଙ୍କ ମଧ୍ୟରେ ଛନକା ପଶିଯାଇଥିଲା। ହେଲେ ଜୀବନ ଭୟରେ କେହି ପାଟି ଫିଟାଇ ନ ଥିଲେ। ଏହି ସମୟରେ ପାଇଲଟ୍‌ ଭୁବନେଶ୍ୱର ବିମାନବନ୍ଦର ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲ (ଏଟିସି)କୁ ଜଣାଇଥିଲେ ଯେ ବିମାନ ହାଇଜାକ୍‌ ହୋଇଛି। ଆତଙ୍କବାଦୀମାନେ ଭୁବନେଶ୍ୱରରେ ଅବତରଣ କରିବାକୁ ଚାହୁଁଛନ୍ତି। ଏଟିସି ବିମାନ ଅବତରଣ କରିବାକୁ ଅନୁମତି ଦେଇ ଆତଙ୍କବାଦୀ ମୁକାବିଲା ପାଇଁ ସୁରକ୍ଷା ଅଧିକାରୀ ଓ ବିମାନବନ୍ଦର ନିର୍ଦ୍ଦେଶକଙ୍କୁ ସୂଚନା ଦେଇଥିଲା। ଏହାପରେ ବିମାନବନ୍ଦର ନିର୍ଦ୍ଦେଶକ ଏରୋଡ୍ରାମ କମିଟିକୁ ଏହି ବାର୍ତ୍ତା ଦେଇଥିଲେ। ସଙ୍ଗେ ସଙ୍ଗେ ଭାରତୀୟ ବିମାନବନ୍ଦର ପ୍ରାଧିକରଣ ଅଧିକାରୀ, ସିଆଇଏସ୍‌ଏଫ୍‌ ଯବାନ ଓ ଅଧିକାରୀ, ବିଭିନ୍ନ ଏୟାରଲାଇନ୍ସ ଅଧିକାରୀ, ରାଜ୍ୟ ପୁଲିସ, ବିବିଡିଏସ୍‌, ରାଜ୍ୟ ଗୁଇନ୍ଦା ସଂସ୍ଥାର ଅଧିକାରୀମାନେ ଏକଜୁଟ୍‌ ହୋଇଯାଇଥିଲେ। ବିମାନବନ୍ଦରକୁ ଚାରିଆଡ଼ୁ ସୁରକ୍ଷା କର୍ମୀମାନେ ଘେରିଯାଇଥିଲେ। ବିମାନଟିକୁ ଏଟିସି ରନ୍‌େଓ୍ଵରୁ ଏକ କୋଣକୁ ନେଇଯାଇଥିଲା। ସେଠାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। କେତେକ ଯବାନ ବିମାନ ଭିତରେ ପଶି ଆତଙ୍କବାଦୀଙ୍କୁ ମାରିବାରେ ସକ୍ଷମ ହୋଇଥିଲେ। ଅପରାହ୍ନ ୩ଟା ୩୦ରୁ ୪ଟା ୫୦ପର୍ଯ୍ୟନ୍ତ ପ୍ରାୟ ୧ଘଣ୍ଟା ୨୦ମିନିଟ ଧରି ଲଢ଼େଇ ଚାଲିବା ପରେ ଯାତ୍ରୀମାନେ ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିଲେ।

ବିମାନ ହାଇଜାକ୍‌ ହେଲେ କିପରି ଯାତ୍ରୀଙ୍କୁ ଉଦ୍ଧାର କରାଯାଇପାରିବ ସେଥିପାଇଁ ସୁରକ୍ଷାକର୍ମୀମାନେ ଶିଖିଥିବା ଜ୍ଞାନକୌଶଳ ଦେଖାଇଥିଲେ। ଏପରିକି ମିଛ ବିମାନ, ମିଛ ଆତଙ୍କବାଦୀ, ମିଛ ଯାତ୍ରୀ ଏବଂ ସତ ଯବାନଙ୍କୁ ନେଇ ଏହି ଡ୍ରିଲ୍‌ ହୋଇଥିଲା।

ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଆତଙ୍କାବଦୀ ମୁକାବିଲା, ବିମାନ ହାଇଜାକ୍‌ ଭଳି ସ୍ଥିତି ପାଇଁ କିପରି ପ୍ରସ୍ତୁତ ଅଛି ସେନେଇ ଆଜି ହାଇଜାକ୍‌ ମକ୍‌ ଡ୍ରିଲ୍‌ ହୋଇଥିଲା। ବ୍ୟୁରୋ ଅଫ୍‌ ସିଭିଲ୍‌ ଆଭିଏସନ୍‌ ସିକ୍ୟୁରିଟିକୁ ଭୁବନେଶ୍ୱର ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ ଦିଆଯାଇଥିବା ପ୍ଲାନ୍‌ ଅନୁଯାୟୀ ଆଜି ବିମାନ ହାଇଜାକ୍‌ ମକ୍‌ ଡ୍ରିଲ୍‌ ହୋଇଥିଲା। ଏରୋଡ୍ରମ କମିଟି ଅଧ୍ୟକ୍ଷ ତଥା ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏବଂ ବିମାନବନ୍ଦର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଏହି ମକ୍‌ ଡ୍ରିଲ୍‌ ହୋଇଥିଲା। ବିମାନବନ୍ଦର କର୍ତ୍ତୃପକ୍ଷ ପ୍ରମାଣ କରି ଦେଖାଇଥିଲେ ଯେ, ସେମାନେ ସମସ୍ତ ପ୍ରକାରର ଆତଙ୍କବାଦୀ ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି।

ସମ୍ବନ୍ଧିତ ଖବର