ବିମାନବନ୍ଦରରେ ଅପରେସନ୍‌ କ୍ରାସ୍‌

ବିମାନ ଦୁର୍ଘଟଣାର ମକ୍‌ ଡ୍ରିଲ୍‌

ଭୁବନେଶ୍ୱର: ଅପରାହ୍ନ ୩ଟା ୪୦। ବିଜୁ ପଟ୍ଟନାୟକ ବିମାନବନ୍ଦରର ସତର୍କ ସାଇରନ୍‌ ବାଜିଲା। ବିମାନବନ୍ଦରର କଣ୍ଟ୍ରୋଲ ରୁମ୍‌ ସବୁ ବିଭାଗକୁ ବାର୍ତ୍ତା ପଠାଇ ଦେଲା, ନୂଆଦିଲ୍ଲୀରୁ ଆସୁଥିବା ଟାଙ୍ଗୋ ଆଲ୍‌ଫା ବ୍ରାଭୋ (ଟିଏବି) ଏୟାରକ୍ରାଫ୍ଟ ଅବତରଣ କରିବା ସମୟରେ କ୍ରାସ୍‌ କରିଯାଇଛି। ବିମାନଟି ରନେଓ୍ଵ ଉପରେ ଅଟକି ଯାଇଛି। ଆଲର୍ଟ, ଆଲର୍ଟ।
ଏହାପରେ ବିମାନବନ୍ଦରରେ ଜରୁରୀକାଳୀନ ସେବା ଯୋଗାଉଥିବା ସମସ୍ତ ସଂସ୍ଥା/ବିଭାଗ ତତ୍ପର ହୋଇ ଉଠିଥିଲେ। ବିମାନରେ ଆସୁଥିବା ୫୦ଜଣ ଯାତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ରନେଓ୍ଵରେ ପହଞ୍ଚି ଯାଇଥିଲେ। ଏହି ସମୟରେ ଏଟିସି ଉଡ଼ାଣ/ଅବତରଣ କରିବାକୁ ଥିବା ବିମାନଗୁଡ଼ିକୁ ଆଲର୍ଟ କରିଦେଲା। ସମସ୍ତ ଉଡ଼ାଣ ବାତିଲ୍‌ କରିବା ସହ ଯାତ୍ରୀଙ୍କୁ ଓ ବିମାନକୁ ସୁରକ୍ଷିତ ସ୍ଥାନରେ ପାର୍କିଂ କରିବାକୁ କୁହାଯାଇଥିଲା। ଏହାପରେ ଅପରେସନ୍‌ ‘କ୍ରାସ୍‌’ ଆରମ୍ଭ ହୋଇଥିଲା। ବିମାନବନ୍ଦରରେ ଥିବା ଅଗ୍ନିଶମ କେନ୍ଦ୍ରର କର୍ମଚାରୀମାନେ ଦମ୍‌କଳ ନେଇ ବିମାନ ନିକଟରେ ପହଞ୍ଚିଥିଲେ। ଏନଡିଆରଏଫ୍‌, ଓସଡମା, ଭୁବନେଶ୍ୱରର କେତେକ ହସ୍ପିଟାଲର ଡାକ୍ତର, ବିଭିନ୍ନ ବିମାନ କମ୍ପାନିର ଗ୍ରାଉଣ୍ଡ କ୍ରିଉ, ଆମ୍ବୁଲାନ୍ସ ସବୁ ୧୫ରୁ ୨୦ମିନିଟ ଭିତରେ ପହଞ୍ଚି ଯାଇଥିଲେ। କେତେକ ଗୁରୁତର ଆହତଙ୍କୁ ତୁରନ୍ତ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଘଟଣାସ୍ଥଳରେ ଡାକ୍ତରୀ ଟିମ୍‌ ଜରୁରୀକାଳୀନ ଚିକିତ୍ସା ଯୋଗାଇ ଥିଲେ। କିନ୍ତୁ ବିମାନ ଦୁର୍ଘଟଣାର ଭୟାବହତା ଏପରି ଥିଲା ଯେ, ଜଣେ ବି ଯାତ୍ରୀ ବର୍ତ୍ତି ନଥିଲେ।

ବିଜୁ ପଟ୍ଟନାୟକ ବିମାନବନ୍ଦରରେ ସତସତିକା ବିମାନ ଦୁର୍ଘଟଣା ଘଟିନଥିଲା। ବିମାନ ଦୁର୍ଘଟଣା ହେଲେ କିପରି ଏହାର ମୁକାବିଲା କରାଯିବ ସେଥିପାଇଁ ଅପରେସନ୍‌ ‘କ୍ରାସ୍‌’ ଆୟୋଜନ କରାଯାଇଥିଲା। ଟାୟାର ଜାଳି ବିମାନବନ୍ଦର ରନେଓ୍ଵ ନିକଟରେ ନିଆଁ ଲଗା ଯାଇଥିଲା। ଖିନ୍‌ଭିନ୍‌ ହୋଇ କେତେ ଜଣ ପଡ଼ିଥିଲେ। ଅଗ୍ନିଶମ କର୍ମଚାରୀ ଏବଂ ହସ୍ପିଟାଲ କର୍ମଚାରୀ ଆହତ ଓ ମୃତକଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସରେ ହସ୍ପିଟାଲ ପଠାଇବା ବ୍ୟବସ୍ଥା କରିଥିଲେ। ଏହିପରି ପ୍ରାୟ ଅପରାହ୍ନ ୩ଟା ୪୦ରୁ ୫ଟା ୪୦ ପର୍ଯ୍ୟନ୍ତ ବିମାନ ଦୁର୍ଘଟଣାର ମକ୍‌ ଡ୍ରିଲ୍‌ ହୋଇଥିଲା। ବିମାନବନ୍ଦର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତାଙ୍କ ନେତୃତ୍ୱରେ ଏହି ମକ୍‌ ଡ୍ରିଲ୍‌ ହୋଇଥିଲା। ମକ୍‌ ଡ୍ରିଲ୍‌ ପରେ ବିମାନ ଦୁର୍ଘଟଣା ମୁକାବିଲାରେ କେଉଁଠି ତ୍ରୁଟି ରହିଲା, କେତେ ସମୟ ବିଳମ୍ବରେ ଅଗ୍ନିଶମ କର୍ମଚାରୀ, ହସ୍ପିଟାଲ କର୍ମଚାରୀ ପହଞ୍ଚିଲେ, ବିମାନବନ୍ଦର ଓ ଯାତ୍ରୀଙ୍କ ସୁରକ୍ଷା ପାଇଁ କ’ଣ ପଦକ୍ଷେପ ନିଆଯାଇପାରିଥାନ୍ତା ସେ ବିଷୟରେ ସବିଶେଷ ଆଲୋଚନା ହୋଇଥିଲା।

ସମ୍ବନ୍ଧିତ ଖବର