ଅଜିତ ନାଟ୍ୟ ମହୋତ୍ସବ : ଜୟଦେବଙ୍କ ଭକ୍ତି ଭାବରେ ବିଭୋର ଦର୍ଶକ

ଭୁବନେଶ୍ୱର : ଗୀତଗୋବିନ୍ଦର ରଚୟିତା ଜୟଦେବଙ୍କ ଜନ୍ମ ଯେତିକି ରୋମାଞ୍ଚକ ନୁହେଁ ତାଠୁ ଅଧିକ ରୋମାଂଚକ ତାଙ୍କ ଜୀବନ। ଭଗବାନଙ୍କ ଆଶୀର୍ବାଦରୁ ସେ ଅନେକ ଭକ୍ତିଭରା ପଦାବଳୀ ରଚନା କରିଥିଲେ ମଧ୍ୟ ତାଙ୍କ ରଚିତ ଗୀତଗୋବିନ୍ଦ ସର୍ବୋତ୍ତମ ସୃଷ୍ଟି। ଜୟଦେବଙ୍କ ଭିତରେ ସୃଷ୍ଟି ହୋଇଥିବା ଅଲୌକିକ ଭାବ ଓ ଆଧ୍ୟାତ୍ମିକ ମାନସିକତାକୁ ନେଇ ଆଜି ରବୀନ୍ଦ୍ର ମଣ୍ଡପଠାରେ ପରିବେଷିତ ହୋଇଛି ନାଟକ ‘ଜୟଦେବ ଗୀତଗୋବିନ୍ଦ’।

ଅଭିନୟ ଜାଗୃତି ଇନଷ୍ଟିଚ୍ୟୁଟ ଅଫ ଥିଏଟର (ଅଜିତ) ସଂସ୍ଥା ପକ୍ଷରୁ ଷଷ୍ଠ ଅଜିତ୍‌ ନାଟ୍ୟ ମହୋତ୍ସବ-୨୦୧୮ର ପ୍ରଥମ ସନ୍ଧ୍ୟାରେ ମଞ୍ଚସ୍ଥ ହୋଇଛି ଏହି ନାଟକ। ‘ଜୟଦେବ ଗୀତଗୋବିନ୍ଦ’ ଏକ ଆଧ୍ୟାତ୍ମିକ ରସ ଓ ଚେତନା ଭିତ୍ତିକ ନାଟକ। ଜଗତର ନାଥ ଜଗନ୍ନାଥ ବଡ଼ସିଂହାର ବେଶ, ଦେବଦାସୀ ନୃତ୍ୟ ଓ ସଙ୍ଗୀତକୁ ଭଲ ପାଆନ୍ତି। ଏହା ମଧ୍ୟ ଶ୍ରୀମନ୍ଦିର ରୀତିନୀତି ଉପରେ ଆଧାରିତ। ଏମିତି ଅନେକ ଘଟଣାବଳୀକୁ ନେଇ ପରିବେଷିତ ହୋଇଥିଲା ଆଜିର ନାଟକ। ନାଟ୍ୟକାର ବିଜୟ ମିଶ୍ରଙ୍କ ରଚିତ ଏହି ନାଟକରେ ନିର୍ଦ୍ଦେଶନା ଦେଇଥିଲେ ଅଜିତ ଦାସ ଓ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ରାମହରି ଦାସ। ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ ଗୁରୁ ଅରୁଣା ମହାନ୍ତି ଓ ଗୁରୁ ବିମ୍ବାଧର ଦାସ। ଆଜିର କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ନ୍ୟାସନାଲ୍‌ ସ୍କୁଲ ଅଫ୍‌ ଡ୍ରାମାର ସଭାପତି ଅର୍ଜୁନ ଦେ, ସମ୍ମାନିତ ଅତିଥି ଭାବେ ଅଖିଳ ଭାରତୀୟ ସହସଂଗଠନ ମନ୍ତ୍ରୀ, ସଂସ୍କାର ଭାରତୀ ନୂଆଦିଲ୍ଲୀ ଅମିର ଚାନ୍ଦ, ଏନ୍‌ ଏସ ଡି ରେଜିଷ୍ଟ୍ରର ପ୍ରଦୀପ କୁମାର ମହାନ୍ତି ପ୍ରମୁଖ ଯୋଗଦେଇଥିଲେ। ସଭାରେ ରାମଚନ୍ଦ୍ର ପ୍ରତିହାରୀଙ୍କୁ ଅଜିତ ସମ୍ମାନରେ ସମ୍ମାନିତ କରାଯାଇ ୧୦ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା। ଏହି ନାଟକ ମହୋତ୍ସବ ତିନି ଧରି ଚାଲିବ।

ସମ୍ବନ୍ଧିତ ଖବର