ଅକ୍ଷୟ ମହାନ୍ତିିଙ୍କୁ ଡିଜିଟାଲ୍‌ ମିଡିଆରେ କଣ୍ଠଶିଳ୍ପୀ ନମ୍ରତାଙ୍କ ସଙ୍ଗୀତ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର : ପ୍ରସିଦ୍ଧ ଗାୟକ ଓ ସଙ୍ଗୀତ ନିର୍ଦ୍ଦେଶକ ଅକ୍ଷୟ ମହାନ୍ତିଙ୍କ ଜନ୍ମଦିନ ଅବସରରେ ଡିଜିଟାଲ୍‌ ମିଡିଆରେ ସଙ୍ଗୀତ ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ଏହି ମହାନ ସୁରକାରଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ତଥା କଣ୍ଠଶିଳ୍ପୀ ନମ୍ରତା ମହାନ୍ତିଙ୍କ ଦ୍ୱାରା ପ୍ରସ୍ତୁତ ୪ଟି ଗୀତକୁ ୱେବ୍‌ ଚ୍ୟାନେଲ୍‌ ‘ଓଡ଼ିଶା ଲାଇଭ୍‌’ ପକ୍ଷରୁ ଡିଜିଟାଲ୍‌ ମିଡିଆରେ ପ୍ରସାରଣ କରାଯାଇଛି।

ଅକ୍ଷୟ ମହାନ୍ତିଙ୍କ ଅତି ପରିଚିତ ଗୀତ ‘ସ୍ମୃତି ତମେ ପାଉଁଶ ତଳର ନିଆଁ’ ଗୀତଟିକୁ ନମ୍ରତା ତାଙ୍କ ଆବେଗଭରା ସ୍ୱରରେ ଗାଇ ଅକ୍ଷୟଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ତା’ ସହିତ ଏହି ଅବସରରେ ସେ ଆଉ ୩ଟି ଗୀତ ମଧ୍ୟ ପ୍ରସ୍ତୁତ କରିଛନ୍ତି, ଯେଉଁଗୁଡ଼ିକ ଅତୀତରେ ଆକାଶବାଣୀ ମାଧ୍ୟମରେ ଶ୍ରୋତାଙ୍କ ପାଖରେ ପହଞ୍ଚିଥିଲା। ନମ୍ରତା କହିଛନ୍ତି ଯେ, ଏହିସବୁ ଗୀତ ଅକ୍ଷୟ ମହାନ୍ତିଙ୍କ କମ୍ପୋଜିସନ୍‌। ମୁଁ ମଧ୍ୟ ବହୁ ଦିନ ପୂର୍ବରୁ ଏହି ଗୀତଗୁଡ଼ିକ ଅଲ୍‌ ଇଣ୍ଡିଆ ରେଡିଓରେ ଗାଇଥିଲି। ମୁଁ ଚାହୁଁଥିଲି ସେଗୁଡ଼ିକ କିଭଳି ଆଜି ଲୋକମାନଙ୍କ ପାଖରେ ପହଞ୍ଚୁ। ସେଥିପାଇଁ ମୁଁ ଏହି ଗୀତଗୁଡ଼ିକୁ ନୂଆ ରୂପରେ ତିଆରି କଲି। ଅକ୍ଷୟ ମହାନ୍ତିଙ୍କ ଜନ୍ମଦିନରେ ଏହାକୁ ରିଲଜ୍‌ କରିଥିବାରୁ ମୋତେ ଖୁସି ଲାଗୁଛି। ଏହି ଅବସରରେ ଅକ୍ଷୟ ମହାନ୍ତିଙ୍କ ପତ୍ନୀ ପ୍ରବୀଣା ମହାନ୍ତି କହିଛନ୍ତି, ‘ଅକ୍ଷୟଙ୍କ ପାଖରେ ବସି ନମ୍ରତା ସେତେବେଳେ ଏହି ଗୀତଗୁଡ଼ିକର ସ୍ୱର କରିଥିଲେ। ୨୦ ବର୍ଷ ପୂର୍ବରୁ ମୁଁ ଗୀତଗୁଡ଼ିକ ଶୁଣିଥିଲି। ତେବେ ବର୍ତମାନ ଯେତେବେଳେ ମୁଁ ନମ୍ରତାଙ୍କ କଣ୍ଠରେ ସେହି ଗୀତଗୁଡ଼ିକ ପୁଣି ଶୁଣୁଛି, ମୋତେ ଆହୁରି ଭଲ ଲାଗୁଛି।

ଏହି ଡିଜିଟାଲ ରିଲିଜ ଅବସରରେ ‘ଓଡ଼ିଶା ଲାଇଭ’ର ପ୍ରତିଷ୍ଠାତା ସମ୍ପାଦକ ଓ ସିଇଓ ନୀଳାମ୍ବର ରଥ କହିଛନ୍ତି, ଅକ୍ଷୟ ମହାନ୍ତି ଓଡ଼ିଆ ସଙ୍ଗୀତ ଦୁନିଆରେ ଜଣେ ଅତି ଆବେଗମୟ ନାଁ। ଓଡ଼ିଆ ସଙ୍ଗୀତ କ୍ଷେତ୍ରରେ ତାଙ୍କର ଅବଦାନ ଅବିସ୍ମରଣୀୟ। ଏହି ଅଡିଓ ଟ୍ରାକ୍‌ଗୁଡ଼ିକ (‘ସ୍ମୃତି ତୁମେ’, ‘କୁନ୍‌ମୁୁନ୍‌ କେବେ ଥିଲି’, ‘ଦିନଟେ ନୀରବ ରହିଲି ବୋଲି’, ‘ଜାଣିଛି ତମକୁ ମୁଁ’) ଏବେ ଓଡ଼ିଶା ଲାଇଭର ୱେବ୍‌ ଏବଂ ସୋସିଆଲ୍‌ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ ଉପଲବ୍ଧ ରହିଛି।

ସମ୍ବନ୍ଧିତ ଖବର