‘ଅଖିଳ ଦିବସ’ : ଜିଦ୍‌ରେ ଗପଲେଖା ଆରମ୍ଭ କରିଥିଲେ ଅଖିଳମୋହନ

ଭୁବନେଶ୍ୱର : ଅଖିଳ ମୋହନ ପଟ୍ଟନାୟକ ଥିଲେ ଅସରନ୍ତି ଗଳ୍ପର ଭଣ୍ଡାର। ଓଡ଼ିଶାର ସବୁଠୁ ସ୍ମାର୍ଟ ଗଳ୍ପର ମାଲିକାନା ତାଙ୍କ ନାମରେ ଥିଲା। ରେଭେନ୍ସାରେ ଫୁଟ୍‌ବଲ୍‌ ଖେଳି ସାରିବା ପରେ ଝାଳ ମାରୁଥିବା ବେଳେ ସେ ଜାଗାରୁ ତାଙ୍କୁ ଉଠିବାକୁ କହିବାରୁ ସେ ଜିଦ୍‌ରେ ବକ୍ତତା ପ୍ରତିଯୋଗିତାରେ ଭାଗ ନେଇ ଚାନ୍‌ସେଲର ପୁରସ୍କାର ଜିତିଥିଲେ। ପୁଣି ଏକ ପତ୍ରିକାରେ ତାଙ୍କର ଗଳ୍ପ ବାହାରିବ ବୋଲି ଜିଦ୍‌ରେ ଗପ ଲେଖି ପକାଇଥିଲେ। ଓଡ଼ିଆ ସାହିତ୍ୟର ଦିଗ୍‌ଗଜ କଥାଶିଳ୍ପୀ ଅଖିଳ ମୋହନ ପଟ୍ଟନାୟକଙ୍କ ଜୟନ୍ତୀରେ ନିଜର ମିଶ୍ରିତ ଅନୁଭବକୁ ଏମିତି ବ୍ୟକ୍ତ କରିଛନ୍ତି ବିଶିଷ୍ଟ ଗୀତିକାର ଦେବଦାସ ଛୋଟରାୟ।

ଅଖିଳ ମୋହନ ଫାଉଣ୍ଡେସନ୍‌ ପକ୍ଷରୁ ପାନ୍ଥ ନିବାସରେ ଅନୁଷ୍ଠିତ ‘ଅଖିଳ ଦିବସ’ରେ ସେ କହିଲେ, ଅକ୍ଷୟ ମହାନ୍ତି ଅଖିଳନାଙ୍କୁ ମୋ ଭାଗ୍ୟରେ ଦେବଦୂତ ଭଳି ପ୍ରବେଶ କରାଇଥିଲେ। ତାଙ୍କ ଚେହେରାରେ ସେମିତି ବୈଶିଷ୍ଟ୍ୟ ନଥିଲା। ହେଲେ ସେ ଥରେ କଥା କହିବା ଆରମ୍ଭ କଲେ, ସେଠୁ ଲେଉଟିବା ସମ୍ଭବ ହେଉନଥିଲା।

ପରେ ‘ସାହିତ୍ୟ ଓ ସିନେମା’କୁ ନେଇ ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦେଶକ ସବ୍ୟସାଚୀ ମହାପାତ୍ର, ସୁଶାନ୍ତ ମିଶ୍ର ଏବଂ ସୂର୍ଯ୍ୟ ଦେଓଙ୍କ ସହ ଫାଉଣ୍ଡେସନ୍‌ର ନିର୍ଦେଶକ କେଦାର ମିଶ୍ର ଆଲୋଚନା କରିଥିଲେ। ଏହି ଅବସରରେ ଡ.ଫନୀ ମହାନ୍ତିଙ୍କ ଅଧ୍ୟକ୍ଷତାରେ ୧୪ ଜଣ କବି କବିତା ପାଠ କରିଥିଲେ।

ସୁପ୍ରିୟା ପଣ୍ଡାଙ୍କୁ ଅଖିଳ କଥା ସମ୍ମାନ, ପ୍ରହଲ୍ଲାଦ ଶତପଥୀଙ୍କୁ ଅଖିଳ କବିତା ସମ୍ମାନ, ଅମରେଶ ବିଶ୍ୱାଳଙ୍କୁ ଜ୍ଞାନଦା କଥା ସମ୍ମାନ ଏବଂ ଭାରତ ମାଝୀଙ୍କୁ ଜ୍ଞାନଦା କବିତା ସମ୍ମାନ ପ୍ରଦାନ କରାଯାଇଥିଲା। ଫାଉଣ୍ଡେସନ୍‌ର ଅଧ୍ୟକ୍ଷା ମମତା ଦାଶ ଆଦ୍ୟ କଥନ ରଖିଥିବା ବେଳେ କେଦାର ମିଶ୍ର ପରିଚାଳନା କରିଥିଲେ। ଅନ୍ୟତମ ନିର୍ଦେଶକ ତିମିର ବରଣ ପଟ୍ଟନାୟକ ପରିଚାଳନାରେ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର