ଉଦ୍ଦେଶ୍ୟରୁ ବିଚ୍ୟୁତ ହୋଇଛି ଅଳକା: ଯୁବ କଂଗ୍ରେସ

ଭୁବନେଶ୍ୱର : ୧୯୬୨ରେ ପ୍ରତିଷ୍ଠା ହୋଇଥିବା ଅଳକା କୋଅପରେଟିଭ୍‌ ସୋସାଇଟି ଲକ୍ଷ୍ୟଠାରୁ ବିଚ୍ୟୁତ ହୋଇଯାଇଛି ବୋଲି ଅଭିଯୋଗ କରିଛନ୍ତି ପ୍ରଦେଶ ଯୁବ କଂଗ୍ରେସ ଆଇନ ବିଭାଗ ଅଧ୍ୟକ୍ଷ ଦେବାଶିଷ ମହାପାତ୍ର। ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାପାତ୍ର କହିଛନ୍ତି ଯେ ସରକାରୀ ନିୟମ ଅନୁଯାୟୀ ସାଧାରଣ ପ୍ରଶାସନ ବିଭାଗଠାରୁ ‘ଅଳକା’ ଭଡ଼ାରେ ଘର ଆଣିଛି। ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ସାଧାରଣ ଲୋକଙ୍କୁ ଶସ୍ତାରେ ବିକ୍ରି କରିବା ହେଉଛି ଏହାର ଉଦ୍ଦେଶ୍ୟ। କିନ୍ତୁ ଅଳକା କୋଅପରେଟିଭ୍‌ ସୋସାଇଟି ନିୟମକୁ ଉଲ୍ଲଂଘନ କରି ୯୦ ପ୍ରତିଶତ ଘର ଭଡ଼ା ଲଗାଇଛି। ମାତ୍ର ୧୦ ପ୍ରତିଶତ ଘର ସାଧାରଣ ଲୋକଙ୍କ ଲାଗି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ବିକ୍ରି କରାଯାଉଛି। ଘରଗୁଡ଼ିକ ଏବେ ‘ଅଳକା’ ହାତରୁ ଯାଇ ତୃତୀୟ ବ୍ୟକ୍ତିଙ୍କ ପାଖରେ ପହଞ୍ଚିଲାଣି। ଜଣେ ବ୍ୟକ୍ତି ୩ଟି ନାଁରେ ଘର ହାତେଇଛନ୍ତି। ମାର୍କେଟ ବିଲଡିଂ ପଛ ପଟେ ‘ଅଳକା’ର ୪ମହଲା ବିଲଡିଂକୁ ଶାଗମାଛ ମୂଲ୍ୟରେ ଭଡ଼ାରେ ଲଗାଯାଇଛି। ଖଣ୍ଡଗିରିର ଧର୍ମ ବିହାରରେ ଥିବା ଘରଭଡ଼ା ନେଇଥିବା ବ୍ୟକ୍ତି ସେଠାରେ ହଷ୍ଟେଲ କରି ଭଡ଼ାରେ ଲଗାଇ ଦେଇଛନ୍ତି। ଆସନ୍ତା ୩୦ଦିନ ମଧ୍ୟରେ ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ରିପୋର୍ଟକୁ ସର୍ବଜନୀନ କରା ନ ଗଲେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ସମ୍ବନ୍ଧିତ ଖବର