ବଞ୍ଚିତ ବର୍ଗର ଛାତ୍ରଛାତ୍ରୀଙ୍କୁ ମିଳିବ ସାଇନ୍‌ସ ପାର୍କର ଅନୁଭୂତି

ପୁରୀ, କଟକ ଓ ଖୋର୍ଧା ଜିଲ୍ଲାର ଛାତ୍ରଛାତ୍ରୀଙ୍କୁ ମିଳିବ ସୁବିଧା

ଭୁବନେଶ୍ବର: ସମାଜର ବଞ୍ଚିତ ବର୍ଗ ଓ ବସ୍ତି ଅଞ୍ଚଳରେ ବସବାସ କରୁଥିବା ଛାତ୍ରଛାତ୍ରୀମାନଙ୍କୁ ବିଜ୍ଞାନ ସମ୍ବନ୍ଧରେ ସୂଚନା ଦେବା ଓ ଆକୃଷ୍ଟ କରିବା ଉଦ୍ଦେଶ୍ୟରେ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଗତ ଆର୍ଥିକ ବର୍ଷଠାରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ କେବଳ ରାଜଧାନୀ ଓ ଏହାର ଆଖପାଖ ଅଞ୍ଚଳରେ ସୀମିତ ଥିବା ବେଳେ ଆଗାମୀ ଦିନରେ ଏହାକୁ ଜିଲ୍ଲାସ୍ତରକୁ ନେବା ପାଇଁ ନିଷ୍ପତ୍ତି ହୋଇଛି। ଖୋର୍ଧା, ପୁରୀ ଓ କଟକ ଜିଲ୍ଲାରେ ଥିବା ଏହି ବଞ୍ଚିତ ଛାତ୍ରଛାତ୍ରୀମାନେ ମାତ୍ର ୫ଟଙ୍କା ମୂଲ୍ୟରେ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ବୁଲିବାର ସୁଯୋଗ ପାଇବେ। ଏହାସହ ସେମାନଙ୍କ ଯିବା ଆସିବା ଖର୍ଚ ମଧ୍ୟ ବିଜ୍ଞାନ କେନ୍ଦ୍ର କର୍ତୃପକ୍ଷ ବହନ କରିବେ ବୋଲି ସୂଚନା ମିଳିଛି।

୨୦୧୮/୧୯ରେ ବିଜ୍ଞାନ କେନ୍ଦ୍ର ବୁଲିଛନ୍ତି ୧୨ହଜାର ଛାତ୍ରଛାତ୍ରୀ

ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରରୁ ମିଳିଥିବା ସୂଚନା ଅନୁସାରେ, ରାଜଧାନୀର ବିଭିନ୍ନ ସରକାରୀ ସ୍କୁଲରେ ପଢ଼ୁଥିବା ଛାତ୍ରଛାତ୍ରୀ ଓ ବସ୍ତିର ପିଲାମାନଙ୍କୁ ବିଜ୍ଞାନ କେନ୍ଦ୍ର ବୁଲାଇବା ପାଇଁ ନିଷ୍ପତ୍ତି ହୋଇଛି। ବିଜ୍ଞାନ କେନ୍ଦ୍ର ପାଇଁ ଟିକେଟ୍‌ ଦାମ ୨୫ଟଙ୍କା ରହିଥିବା ବେଳେ ଏହି ବର୍ଗର ଛାତ୍ରଛାତ୍ରୀମାନଙ୍କୁ ମାତ୍ର ୫ଟଙ୍କା ରଖାଯାଇଛି। ଏପରିକି ବସ୍ତିର ଛାତ୍ରଛାତ୍ରୀଙ୍କ ପାଇଁ ଟିକେଟ୍‌ ମାଗଣା କରାଯାଇଛି। ଏହି ଭିତ୍ତିରେ ୨୦୧୮/୧୯ ଆର୍ଥିକ ବର୍ଷରେ ରାଜଧାନୀର ୩୪ଟି ସରକାରୀ ସ୍କୁଲ, ୨୨ଟି ବସ୍ତି, ୫ ଏନ୍‌ଜିଓ ଓ ଜଟଣୀ ବ୍ଳକ୍‌ର ୧୨ଟି ଗାଁର ଛାତ୍ରଛାତ୍ରୀଙ୍କୁ ବିଜ୍ଞାନ କେନ୍ଦ୍ର ବୁଲିବାର ସୁବିଧା ମିଳିଛି। ସମୁଦାୟ ୧୨ହଜାର ଛାତ୍ରଛାତ୍ରୀ ଏହି ସୁବିଧା ପାଇଛନ୍ତି। ଚଳିତବର୍ଷ ଜୁଲାଇ ମାସରୁ ପୁଣିଥରେ ଏହି ବ୍ୟବସ୍ଥା ଆରମ୍ଭ ହୋଇଛି। ବିଜ୍ଞାନ କେନ୍ଦ୍ରର ଜଣେ ଅଧିକାରୀ କହିଛନ୍ତି, ଏଥିପାଇଁ ବିଭିନ୍ନ ସ୍କୁଲର ଅଧ୍ୟକ୍ଷ/ପ୍ରଧାନ ଶିକ୍ଷକଙ୍କ ସହ କେନ୍ଦ୍ର ପକ୍ଷରୁ ଯୋଗାଯୋଗ କରାଯାଉଛି। ଡିଇଓଙ୍କ ଅନୁମତି ପରେ ଛାତ୍ରଛାତ୍ରୀମାନଙ୍କୁ ବସ୍‌ରେ ଅଣାଯିବା ସହିତ ବିଜ୍ଞନ କେନ୍ଦ୍ର ବୁଲିବା ପରେ ପୁଣି ଛାଡ଼ି ଦିଆଯାଉଛି। ଏହି ସମୟରେ କେନ୍ଦ୍ର ପରିଦର୍ଶନ ଗାଇଡ୍, ବିଜ୍ଞାନ ସମ୍ବନ୍ଧୀୟ ଆଲୋଚନା କ୍ଲାସ୍, ବିଜ୍ଞାନଭିତ୍ତିକ ମାଗଣା ଖେଳଣା ଓ ଜଳଖିଆ ଦିଆଯିବାର ବ୍ୟବସ୍ଥା ରହିଛି। ବଞ୍ଚିତ ବର୍ଗର ଛାତ୍ରଛାତ୍ରୀଙ୍କୁ ବିଜ୍ଞାନ ପ୍ରତି ଆକୃଷ୍ଟ କରିବା ପାଇଁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ପ୍ରାଥମିକ ପର୍ଯ୍ୟାୟରେ ରାଜଧାନୀର ଯେତିକି ସଂଖ୍ୟକ ସ୍କୁଲ ସହ ଯୋଗାଯୋଗ ହୋଇଥିଲା, ସେସବୁ ସ୍କୁଲର ଛାତ୍ରଛାତ୍ରୀ ପରିଦର୍ଶନ କରିଛନ୍ତି। ଆଗାମୀ ଦିନରେ ଅନ୍ୟ ସ୍କୁଲ ସହ ଯୋଗାଯୋଗ କରାଯିବ। ଏହାସହ ଖୋର୍ଧା, ପୁରୀ ଓ କଟକ ଜିଲ୍ଲାର ସରକାରୀ ସ୍କୁଲର ଛାତ୍ରଛାତ୍ରୀଙ୍କୁ ଏହି ସୁବିଧା ମିଳିବ। ବିଜ୍ଞାନ କେନ୍ଦ୍ର ପକ୍ଷରୁ ବିଜ୍ଞାନଭିତ୍ତିକ ଖେଳଣା ପ୍ରସ୍ତୁତ କରାଯାଉଛି ବୋଲି ଅଧିକାରୀଜଣଙ୍କ କହିଛନ୍ତି।

ସମ୍ବନ୍ଧିତ ଖବର