ନ୍ୟାୟ ନ ମିଳିଲେ ସପରିବାର ଆତ୍ମାହୁତି ଦେବେ

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଭିନ୍ନକ୍ଷମ ପ୍ରକାଶ

ଭୁବନେଶ୍ୱର: ଭୁଲ ପ୍ରମାଣ ଦର୍ଶାଇ ପୈତୃକ ସମ୍ପତିକୁ ନିମାପଡ଼ା ସବ୍‌ରେଜିଷ୍ଟ୍ରାର ବିକ୍ରି କରାଇ ଦେଇଥିବାରୁ ସର୍ବହରା ହୋଇଛନ୍ତି ଏକ ଭିନ୍ନକ୍ଷମ ପରିବାର। ନିମାପଡ଼ା ଥାନା ଅଧୀନ ରେଞ୍ଚଖେଲାର ଗ୍ରାମର ପ୍ରକାଶ ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଏହି ଅଭିଯୋଗ କରିଛନ୍ତି। ସମସ୍ୟାର ସମାଧାନ ନ ହେଲେ ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ସପରିବାରେ ଆତ୍ମାହୁତି ଦେବାକୁ ବାଧ୍ୟ ହେବୁ ବୋଲି ଚେତାବନୀ ଦେଇଛନ୍ତି।

ପ୍ରକାଶଙ୍କ କହିବା ଅନୁଯାୟୀ, ସେ ଜଣେ ଶତକଡ଼ା ୮୦ ଭାଗ ଶାରୀରିକ ଭିନ୍ନକ୍ଷମ। ଖେଲାରବଜାର ସ୍ଥିତ ଖାତା ନଂ୧୬୮, ପ୍ଲଟ୍‌ ନଂ୧୨୭, ଏରିଆ ୦.୦୮ଡିସିମିଲ. ମ୍ୟୁଟେସନ୍‌ ଖାତା ନଂ୨୫୫/୧୪୪ମ୍ବର, ପ୍ଲଟ ନଂ ୧୨୭/୮୬୭ମ୍ବର ତାଙ୍କର ପୈତୃକ ସମ୍ପତ୍ତି ରହିଛି। ତାହା ତାଙ୍କ ବାପାଙ୍କ ନାମରେ ରେକର୍ଡ ଥିବାବେଳେ ତହିଁରେ ୧୪ ବଖରା ଆଜବେଷ୍ଟସ୍‌ ଘର ନିର୍ମାଣ କରି ସେ ଦୀର୍ଘ ୨୦ ବର୍ଷ ହେଲା ରହି ଆସୁଛନ୍ତି। ଏହି ଜମିକୁ ନେଇ ବିବାଦ ଥିବା ବେଳେ ଏହାକୁ ବିକ୍ରୟ ନ କରିବା ପାଇଁ ସିଭିଲ୍‌ ଜଜ୍‌ ସିନିୟର ଡିଭିଜନ୍‌, ନିମାପଡ଼ାଙ୍କ ଅଦାଲତାରେ କେସ୍‌ ନଂ୨୦୧/୧୨ ରହିଛି। ତେବେ କୋର୍ଟର ଆଦେଶକୁ ନ ମାନି ନିମାପଡ଼ା ସବ୍‌ ରେଜିଷ୍ଟ୍ରାର ଏହାର ବିକ୍ରୟ କରାଇ ଦେଇଛନ୍ତି। ସେହିପରି ୨୦୧୩ ମସିହାରେ ଏହି ସମ୍ପତ୍ତିର ସରକାରୀ ମୂଲ୍ୟ ପାଞ୍ଚ ଲକ୍ଷ ଚଉବନ ହଜାର ଏକଶହ ଟଙ୍କା ଥିବା ବେଳେ ୨୦୧୭ ମସିହାରେ ତାହାର ସରକାରୀ ଏକ ଲକ୍ଷ ଚଉବନ ହଜାର ଟଙ୍କା ମାତ୍ର ହୋଇଛି। ଅପର ପକ୍ଷରେ ଉକ୍ତ ଜମିକୁ ବେଆଇନ୍‌ ଭାବେ ଖରିଦ କରିଥିବା ବ୍ୟକ୍ତି ତାଙ୍କ ପରିବାରକୁ ସେଠାରୁ ଉଠିଯିବାକୁ ବିଭିନ୍ନ ଉପାୟରେ ଧମକ ଦେଉଛନ୍ତି। ନିମାପଡ଼ା ସବ୍‌ ରେଜିଷ୍ଟ୍ରାର ଏଭଳି ଚଞ୍ଚକତା କରି ଜମି ବିକ୍ରି କରିଥବାରୁ ନ୍ୟାୟ ପାଇଁ ସେ ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରିଥିବା କହିଛନ୍ତି। ନ୍ୟାୟ ନ ମିଳିଲେ ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ସପରିବାରେ ଆତ୍ମାହୁତି ଦେବାକୁ ବାଧ୍ୟ ହେବୁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ସମ୍ବନ୍ଧିତ ଖବର