ବାଲିପାଟଣାରେ ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମ : ରାଜସ ପାଇଁ ୩୫ ଲକ୍ଷ ଟଙ୍କାର ପ୍ରକଳ୍ପ ମଞ୍ଜୁର

ବାଲିପାଟଣା : ରାଜ୍ୟ ସରକାରଙ୍କ ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମ ଆଜି ବାଲିପାଟଣା ବ୍ଲକର ରାଜସ ପଞ୍ଚାୟତରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନିଜ କାର୍ଯ୍ୟାଳୟରୁ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ରାଜସ ସରପଞ୍ଚଙ୍କ ସହ କଥା ହୋଇଛନ୍ତି। ଏଥିସହ ସରକାରଙ୍କ ତରଫରୁ ରାଜସ ପଞ୍ଚାୟତର ବିକାଶ ପାଇଁ ୩୫ ଲକ୍ଷ ଟଙ୍କାର ଅନୁଦାନ ପ୍ରଦାନ କରାଯାଇଛି। ମଧ୍ୟାହ୍ନ ପ୍ରାୟ ୧୨ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ କାର୍ଯ୍ୟାଳୟରୁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ରାଜ୍ୟର ୪ଟି ଜିଲ୍ଲାର ବିଭିନ୍ନ ପଞ୍ଚାୟତର ଜନସାଧାରଣ ଓ ଲୋକପ୍ରତିନିଧିଙ୍କ ସହ କଥା ହୋଇଥିଲେ। ପ୍ରଥମେ ଖୋର୍ଧା ଜିଲ୍ଲା ବାଲିପାଟଣା ବ୍ଲକର ରାଜସ ପଞ୍ଚାୟତର ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇଥିଲେ। ପରେ ସ୍ଥାନୀୟ ଯୁବ ସରପଞ୍ଚ ବାସୁଦେବ ପାଳଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ। ସରପଞ୍ଚ ନିଜ ପଞ୍ଚାୟତର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ୭ଟି ପ୍ରକଳ୍ପ ନିମନ୍ତେ ଦାବି କରିଥିଲେ। ମୁଖ୍ୟମନ୍ତ୍ରୀ ଉକ୍ତ ପ୍ରକଳ୍ପକୁ ମଞ୍ଜୁର ମଧ୍ୟ କରିଥିଲେ। କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଖୋର୍ଧା ଜିଲ୍ଲାପାଳ ନିର୍ମଳ ଚନ୍ଦ୍ର ମିଶ୍ର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ମଞ୍ଜୁର ହୋଇଥିବା ପ୍ରକଳ୍ପର ମଞ୍ଜୁରିପତ୍ର ସରପଞ୍ଚଙ୍କୁ ପ୍ରଦାନ କରିଥିଲେ। ପ୍ରକଳ୍ପଗୁଡ଼ିକ ମଧ୍ୟରେ ୭ଲକ୍ଷ ଟଙ୍କାରେ ବାରହଳ ବଡ଼ପୋଖରୀ ସୌନ୍ଦର୍ଯ୍ୟକରଣ, ୫ଲକ୍ଷ ଟଙ୍କାରେ ନୀଳକଣ୍ଠେଶ୍ୱର ଶିବ ମନ୍ଦିର ମରାମତି ଓ ମଣ୍ଡପ, ୫ଲକ୍ଷ ଟଙ୍କାରେ ବାରହଳ ସାପ୍ତାହିକ ହାଟ ନିକଟରେ ମଣ୍ଡପ, ୫ଲକ୍ଷ ଟଙ୍କାରେ ରାଜସ ଗ୍ରାମର ମହାବୀର ଗୋଷ୍ଠୀ ଓ ଚିତ୍ତ ବିନୋଦନ କେନ୍ଦ୍ର, ୫ଲକ୍ଷ ଟଙ୍କାରେ ରାଜସ ମଠସାହିରେ ପାଠାଗାର ଓ ଚିତ୍ତ ବିନୋଦନ କେନ୍ଦ୍ର, ୪ ଲକ୍ଷ ଟଙ୍କାରେ ବାରହଳ ବସ୍ତି ସମସୁରୁ-ଉ-ଲ୍ଲମ ମାଦ୍ରାସା ନିକଟରେ ଗୋଷ୍ଠୀକେନ୍ଦ୍ର, ୪ ଲକ୍ଷରେ ବତିଲୋ ଭଗବତ ବାସୁଦେବ ଗୋଷ୍ଠୀ ଗୃହ ନିର୍ମାଣ। କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ ସମେତ ବହୁ ଲୋକପ୍ରତିନିଧି, ଜିଲ୍ଲା ପ୍ରକଳ୍ପ ସଂଯୋଜକ ସରୋଜ ମିଶ୍ର, ସହକାରୀ ଜିଲ୍ଲାପାଳ ବିଦ୍ୟାରଶ୍ମି ସାହୁ, ବିଡିଓ ରଶ୍ମିରେଖା ଦାସ, ତହସିଲଦାର ପ୍ରାଚୀ ମହାପାତ୍ର, ଏବିଡିଓ ନୃସିଂହ ପ୍ରସାଦ ମିଶ୍ର, ଜିପିଓ ରଞ୍ଜନ ସ୍ୱାଇଁଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ଦେଖିବା ପାଇଁ ଜନସାଧାରଣଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଯାଇଥିଲା।

ସମ୍ବନ୍ଧିତ ଖବର