ସୁଧୁରୁନାହାନ୍ତି ଗାଡ଼ି ଚାଳକ, ନା‌ଲ୍‌କୋ ଛକରେ ଫସିଲା ଆମ୍ବୁଲାନ୍ସ

ଚନ୍ଦ୍ରଶେଖରପୁର : ଟ୍ରାଫିକ୍ ନୂଆ ନିୟମ ନେଇ ଯେତେ ସଚେତନ କରାଗଲେ ମଧ୍ୟ ଲୋକ ସୁଧୁରୁ ନାହାନ୍ତି। ନୂଆ ନିୟମକୁ ନେଇ ରାଜମହଲ ଛକରେ ଉତ୍ତେଜନା ଦେଖାଯିବା ପରେ ଏହାକୁ ସାମୟିକ କୋହଳ କରାଯାଇଛି। ଗାଡ଼ିର ସମସ୍ତ କାଗଜପତ୍ର ପ୍ରସ୍ତୁତ କରିବାକୁ ୩ମାସ ସମୟ ଦିଆଯାଇଛି। ହେଲେ ଗାଡ଼ି ଚାଳକ ଏହାକୁ ମୌକା ଭାବି ପୁଣିଥରେ ଟ୍ରାଫିକ୍‌ ଅବମାନନା କରିବା ଆରମ୍ଭ କରିଦେଲେଣି। ଏପରିକି ଆମ୍ବୁଲାନସ୍‌କୁ ମଧ୍ୟ ରାସ୍ତା ଛାଡ଼ୁ ନାହାନ୍ତି। ଆଜି ମଧ୍ୟାହ୍ନରେ ଏମିତି ଏକ ଘଟଣା ଦେଖିବାକୁ ମିଳିଥିଲା ନାଲ୍‌କୋ ଟ୍ରାଫିକ୍ ଛକରେ। କ୍ୟାପିଟାଲ ହସ୍ପିଟାଲରୁ ଜଣେ ରୋଗୀଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରୁଥିବା ଏକ ଆମ୍ବୁଲାନ୍ସ ଆଜି ନାଲ୍‌କୋ ଟ୍ରାଫିକ୍ ଛକରେ ପ୍ରାୟ ୫ ମିନିଟ୍‌ ଫସି ଯାଇଥିଲା। ହର୍ଣ୍ଣ ଓ ସାଇରନ ବଜାଇବା ପରେ ମଧ୍ୟ ଆମ୍ବୁଲାନସ୍ (ଓଡି୦୨ଜେ-୭୩୭୮)କୁ କେହି ବାଟ ଛାଡ଼ି ନଥିଲେ। ଏହା ଦେଖି ଜଣେ ଟ୍ରାଫିକ୍ ପୁଲିସ ଆମ୍ବୁଲାନ୍ସ ନିକଟକୁ ଆସି ଆଗରେ ଥିବା ଗାଡ଼ିଗୁଡ଼ିକୁ ହଟାଇଥିଲେ। ହେଲେ ଏହା ପର ସ୍ଥିତି ଥିଲା ସାଂଘାତିକ। ଓମଫେଡ୍‌ ଓ ଡମଣା ସହ ପଟିଆ ଓ ମ୍ୟାଗନେଟ୍ ଛକରେ ମଧ୍ୟ ସମାନ ପରିସ୍ଥିତି ଭୋଗିବାକୁ ପଡ଼ିଥିଲା ଆମ୍ବୁଲାନସ୍‌ରେ ଥିବା ରୋଗୀଙ୍କୁ।

ସମ୍ବନ୍ଧିତ ଖବର